ଷ୍ଟକ୍‌କାଙ୍ଗ୍ରି ଆରୋହଣ କଲେ ନୀଳାଚଳ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ପର୍ବତାରୋହୀ ନୀଳାଚଳ ପରିଡ଼ା ୨୦,୫୦୦ ଫୁଟ ଉଚ୍ଚତା ବିଶିଷ୍ଟ ମାଉଣ୍ଟ ଷ୍ଟକକାଙ୍ଗ୍ରିକୁ ସଫଳତାର ସହ ଆରୋହଣ କରିଛନ୍ତି। ଲଦାଖରେ ଥିବା ଏହି ଗିରିଶୃଙ୍ଗ ବେସ୍‌କ୍ୟାମ୍ପରେ ପହଞ୍ଚିବା ପରେ ସେଠାରେ କିଛି ଦିନ ଅଭ୍ୟାସ କରିଥିଲେ ନୀଳାଚଳଙ୍କ ସହ ଯାଇଥିବା ୧୭ ଜଣିଆ ଅଭିଯାତ୍ରୀ ଦଳ। ବେସକ୍ୟାମ୍ପରୁ ଗତ ସୋମବାର ରାତି ଗୋଟାଏରେ ଗିରିଶୃଙ୍ଖ ଚଢ଼ିବା ଆରମ୍ଭ କରିଥିଲେ। ହେଲେ ପ୍ରତିକୂଳ ପାଗ ପାଇଁ ତିନି ଜଣ ପର୍ବତାରୋହୀ କିଛି ଦୂର ଯାଇ ବେସ୍‌କ୍ୟାମ୍ପକୁ ଫେରି ଆସିଥିଲେ। ନୀଳାଚଳଙ୍କ ସହ ଅନ୍ୟ ୧୪ ଜଣ କିନ୍ତୁ ପରଦିନ ସକାଳ ୭.୧୫ରେ ଗିରିଶୃଙ୍ଖ ଉପରେ ସଫଳତାର ସହ ପହଞ୍ଚି ଜାତୀୟ ପାତାକା ଉଡ଼ାଇଥିଲେ। ୨୪ ବର୍ଷୀୟ ନୀଳାଚଳ ଭୁବନେଶ୍ୱର ବରମୁଣ୍ଡା ଗ୍ରାମର ବାସିନ୍ଦା ହୋଇଥିଲା ବେଳେ ତାଙ୍କ ପେସା ହେଉଛି ଗାଡ଼ି ଚଳାଇବା। ହେଲେ ପାହାଡ଼ଚଢ଼ାକୁ ସେ ନିଶା କରିଛନ୍ତି। ଆର୍ଥିକ ଅନଟନ ସତ୍ତ୍ୱେ ବ୍ୟକ୍ତିଗତ ଉଦ୍ୟମରେ ଏଭରେଷ୍ଟ ଉପରେ ପାଦ ଥାପିବାକୁ ଲକ୍ଷ୍ୟ ରଖିଛନ୍ତି। ନୀଳାଚଳ ଗତବର୍ଷ ପର୍ବତାରୋହରଣର ମୌଳିକ ପ୍ରଶିକ୍ଷଣ ସହ କେତେକ ଉଚ୍ଚତର ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ମାଉଣ୍ଟ ଷ୍ଟକ୍‌କାଙ୍ଗ୍ରି ଚଢ଼ିବାରେ କମାଣ୍ଡାଣ୍ଟ୍‌ ବିଜୟ କୁମାର ସାହୁ ନୀଳାଚଳଙ୍କୁ ଯଥେଷ୍ଟ ସହାୟତା କରିଥିଲେ। ଏଭରେଷ୍ଟ ବିଜୟୀ ଗଣେଶ ଜେନାଙ୍କୁ ଆଦର୍ଶ ଭାବେ ଗ୍ରହଣ କରିଥିବା ନୀଳାଚଳ ସହଯୋଗ ପାଇଁ ପୂର୍ଣ୍ଣଚନ୍ଦ୍ର ଦାସ ଓ ଦୀଲିପ କୁମାର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ପର୍ବତାରୋହଣ ପାଠ୍ୟକ୍ରମରେ ୧୪ କୃତକାର୍ଯ୍ୟ
ରାଜ୍ୟର ଉଦୀୟମାନ ପର୍ବତାରୋହୀ ନୀଳାଚଳ ପରିଡ଼ାଙ୍କ ନେତୃତ୍ୱରେ ଓଡ଼ିଶାର ୧୪ ଜଣ ଯୁବ ପର୍ବତାରୋହୀ କଶ୍ମୀରରେ ଥିବା ଜାବାହର ପର୍ବତାରୋହଣ ପ୍ରତିଷ୍ଠାନରୁ ସଫଳତାର ସହ ପର୍ବତାରୋହଣର ମୌଳିକ ଶିକ୍ଷା ଲାଭ କରିଛନ୍ତି। ସେଥିମଧ୍ୟରେ ଅଛନ୍ତି ୧୨ ଜଣ ପୁଅ ଏବଂ ଦୁଇ ଜଣ ଝିଅ। ୨୪ ଦିନ ଧରି ଚାଲିଥିବା ଏହି ପାଠ୍ୟକ୍ରମରେ ପିଲାମାନେ ପହାଡ଼ଚଢ଼ାର ବିଭିନ୍ନ କଳା କୌଶଳ ଶିଖିଥିଲେ। କୃତକାର୍ଯ୍ୟ ହୋଇଥିବା ପର୍ବତାରୋହୀମାନେ ହେଲେ ଯୋଗେଶ ଚନ୍ଦ୍ର ରଣା, ବିଶ୍ୱ ପ୍ରକାଶ ସାହୁ, ସଂଜୟ କୁମାର ଗୋଛାୟତ, ମିଥୁନ ସ୍ୱାଇଁ, ବବୁଲ ଦାସ, ରାକେଶ ବେହେରା, ପ୍ରଦ୍ୟୁମ୍ନ ପ୍ରଧାନ, ନାରାୟଣ ବେହେରା, ସତ୍ୟବ୍ରତ ସାହୁ, ରାଜେନ୍ଦ୍ର ମୁଦୁଲି, ରଜତ କୁମାର ସେଠୀ, ମିନତି ପୂର୍ତି, ସସ୍ମିତା ମଲ୍ଲିକ, ଜଗନ୍ନାଥ ବେହେରା।

ସମ୍ବନ୍ଧିତ ଖବର