ଇଂଲଣ୍ଡକୁ ଜିତାଇଲେ ଷ୍ଟୋକ୍‌ସ

ମାଉଣ୍ଟ୍‌ ମଙ୍ଗନୁଇ: ପ୍ରତ୍ୟାବର୍ତନର ଦ୍ୱିତୀୟ ମୁକାବିଲାରେ ବେନ୍‌ ଷ୍ଟୋକ୍‌ସଙ୍କ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ବୁଧବାର ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଘରୋଇ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟ୍‌ରେ ହରାଇ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୧-୧ ସ୍ଥରକୁ ନେଇଆସିଛି। ଷ୍ଟୋକ୍‌ସ ୪୨ ରନ୍‌ରେ ୨ ଓ୍ଵିକେଟ୍‌ ଅକ୍ତିଆର କରିବା ପରେ ଅପରାଜିତ ୬୩ ରନ୍‌ର ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲେ। ନ୍ୟୁଜିଲାଣ୍ଡ୍‌ର ୯ ମ୍ୟାଚ୍‌ ବିଜୟଧାରାକୁ ରୋକିଥିବା ଷ୍ଟୋକ୍‌ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ପ୍ରଥମ ମ୍ୟାଚ୍‌କୁ ହାରି ଯାଇଥିବା ଇଂଲଣ୍ଡ ବୁଧବାର ଟସ୍‌ ଜିତି ନ୍ୟୁଜିଲାଣ୍ଡ୍‌କୁ ବ୍ୟାଟିଂ ପାଇଁ ଆହ୍ଵାନ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମାର୍ଟିନ୍‌ ଗପ୍ଟିଲ (୫୦) ଅର୍ଧଶତକ ଜମାଇଥିଲା ମଧ୍ୟ ଓ୍ଵିକେଟ୍‌ ଝଡ଼ି ଚାଲିଥିଲା। ଏପରିକି ୧୪୭ ରନ୍‌ ବେଳକୁ ଦଳ ୮ ଓ୍ଵିକେଟ୍‌ ହରାଇ ସଂକଟରେ ପଡ଼ିଯାଇଥିଲା। ତେବେ ନିମ୍ନକ୍ରମରେ ମିଚେଲ ସାଣ୍ଟ୍‌ନର ଧୂଆଁଧାର ବ୍ୟାଟିଂ କରି ଦଳକୁ ୨୦୦ ରନ୍‌ ପାରି କରାଇଥିଲେ। ସାଣ୍ଟ୍‌ନର୍‌ ୫୨ ବଲ୍‌ରେ ୬ ଚୌକା ଓ ଗୋଟିଏ ଛକା ଜରିଆରେ ୬୩ ରନ୍‌ (ପ୍ରଥମ ଅର୍ଧଶତକ) କରି ଅପରାଜିତ ରହିଥିଲା ବେଳେ ନ୍ୟୁଜିଲାଣ୍ଡ୍‌ ୪୯.୪ ଓଭରରେ ୨୨୩ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କଲିନ୍‌ ଡି ଗ୍ରାଣ୍ଡ୍‌ହୋମେ ୩୮, ଟମ୍‌ ଲାଥମ୍‌ ୨୨ ଓ ଲୁକି ଫର୍ଗୁସନ୍‌ ୧୯ ରନ୍‌ କରିଥିଲେ। ହେଲେ ଦମ୍‌ଦାର ବୋଲିଂ ସାଙ୍ଗକୁ ଚମତ୍କାର କ୍ଷେତ୍ରରକ୍ଷଣ ଇଂଲଣ୍ଡକୁ ଫାଇଦାରେ ରଖିଥିଲା। କ୍ରିସ୍‌ ଓ୍ଵକ୍‌ସ, ବେନ୍‌ ଷ୍ଟୋକ୍‌ସ ଓ ମୋଇନ୍‌ ଅଲ୍ଲୀ ୨ ଲେଖାଏଁ ଓ୍ଵିକେଟ୍‌ ବାଣ୍ଟି ନେଇଥିଲା ବେଳେ ନ୍ୟୁଜିଲାଣ୍ଡ୍‌ର ୪ ଜଣ ବ୍ୟାଟ୍‌ସମ୍ୟାନ୍‌ ରନ୍‌ ଆଉଟ୍‌ ହୋଇଥିଲେ। ଜବାବରେ ଜନି ବେୟାରଷ୍ଟୋଙ୍କ ୩୭ (୩୯ ବଲ୍‌, ୫ ଚୌକା, ୧ ଛକା), ଅଧିନାୟକ ଇଓ୍ଵିନ୍‌ ମୋର୍ଗାନ୍‌ (୬୨ ରନ, ୫୩ ବଲ୍‌, ୬ ଚୌକା, ୩ ଛକା) ଏବଂ ଷ୍ଟୋକ୍‌ସ (୬୩* ରନ୍‌, ୭୪ ବଲ୍‌, ୭ ଚୌକା, ୧ ଛକା)ଙ୍କ ଅର୍ଧଶତକ (ଏକାଦଶ) ସାଙ୍ଗକୁ ଓ୍ଵିକେଟ୍‌ ରକ୍ଷକ ଜୋସ୍‌ ବଟ୍ଟଲର୍‌ଙ୍କ ଅପରାଜିତ ୩୬ ରନ୍‌ (୨୦ ବଲ୍‌, ୨ ଚୌକା, ୩ ଛକା) ବଳରେ ଇଂଲଣ୍ଡ ୭୩ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ଇଂଲଣ୍ଡ ୩୭.୫ ଓଭରରେ ୪ ଓ୍ଵିକେଟ୍‌ ହରାଇ ୨୨୫ ରନ୍‌ କରିଥିଲା।

ସମ୍ବନ୍ଧିତ ଖବର