ପର୍ଥ: ମାର୍କସ ଷ୍ଟୋଇନିସ୍ଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ (୫୯ ରନ୍, ୧୮ ବଲ୍, ୪ ଚୌକା, ୬ ଛକା) ବଳରେ ଆୟୋଜକ ଅଷ୍ଟ୍ରେଲିଆ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପ୍ରଥମ ବିଜୟ ହାସଲ କରିଛି। ଗ୍ରୁପ୍-୧ରେ ନିଜର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ନିକଟରୁ ୮୯ ରନ୍ର ପରାଜୟ ବରଣ କରିଥିବା ଅଷ୍ଟ୍ରେଲିଆ ମଙ୍ଗଳବାର ୭ ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍ରେ ଆୟର୍ଲାଣ୍ଡ୍କୁ ୯ ୱିକେଟ୍ରେ ପରାସ୍ତ କରିଥିବା ଶ୍ରୀଲଙ୍କା ମଙ୍ଗଳବାର ପ୍ରଥମ ପରାଜୟ ବରଣ କରିଛି। ଫଳରେ ଶ୍ରୀଲଙ୍କା ପଏଣ୍ଟ ତାଲିକାର ଦ୍ବିତୀୟରୁ ତୃତୀୟ ସ୍ଥାନକୁ ଖସିଯାଇଥିଲା ବେଳେ ଅଷ୍ଟ୍ରେଲିଆ ଶେଷ ତଥା ଷଷ୍ଠ ସ୍ଥାନରୁ ଚତୁର୍ଥକୁ ଉନ୍ନୀତ ହୋଇଛି। ବିସ୍ଫୋରକ ପାଳି ପାଇଁ ଷ୍ଟୋଇନିସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ମଙ୍ଗଳବାର ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିଥିଲା। ଅଧିନାୟକ ଆରୋନ୍ ଫିଞ୍ଚ୍ ମୋଟ ୭ ଜଣଙ୍କୁ ନିୟୋଜିତ କରିଥିଲା ବେଳେ ୫ ଜଣ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ତେବେ ଓପ୍ନର ପଥୁମ ନିଶାଙ୍କ (୪୦), ଚରିଥ ଆଶାଲଙ୍କା (୩୮*) ଓ ଧନଞ୍ଜୟ ଡି’ ସିଲ୍ଭା (୨୬)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ ବଳରେ ଶ୍ରୀଲଙ୍କା ୧୫୭/୬ କରିଥିଲା। ଚାମିକା କରୁଣାରତ୍ନେ ୭ ବଲ୍ରୁ ୨ ଚୌକା ସହାୟତାରେ ଅପରାଜିତ ୧୪ ରନ୍ କରିବାରୁ ସିଂହଳୀ ଦଳ ୧୫୦ ଟପିଥିଲା। ଜବାବରେ ଅଧିନାୟକ ଫିଞ୍ଚ୍ (୩୧*) ଓ ଷ୍ଟୋଇନିସ୍ (୫୯*)ଙ୍କ ଅପରାଜିତ ପାଳି ସାଙ୍ଗକୁ ଅବିଭାଜିତ ଚତୁର୍ଥ ୱିକେଟ୍ରେ ୬୯ ରନ୍ର ଭାଗୀଦାରି ହିଁ ଅଷ୍ଟ୍ରେଲିଆକୁ ୨୧ ବଲ୍ ପୂର୍ବରୁ ବିଜୟ ଭେଟି ଦେଇଥିଲା। ଗ୍ଲେନ୍ ମ୍ୟାକ୍ସୱେଲ ମଧ୍ୟ ୧୨ ବଲ୍ରୁ ୨ ଲେଖାଏଁ ଚୌକା ଓ ଛକା ବଳରେ ୨୩ ରନ୍ କରିଥିଲେ।
ଷ୍ଟୋଇନିସ୍ଙ୍କ ଦ୍ରୁତତମ ଅର୍ଦ୍ଧଶତକ
ମାତ୍ର ୧୮ ବଲ୍ରୁ ୫୯* ରନ୍ର ପାଳି ଖେଳିଥିବା ମାର୍କସ ଷ୍ଟୋଇନିସ୍ ଏହି ଅବସରରେ ଅଷ୍ଟ୍ରେଲିଆ ପକ୍ଷରୁ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଦ୍ରୁତତମ ଅର୍ଦ୍ଧଶତକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ସେ ୧୭ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲା ବେଳେ ଡେଭିଡ୍ ୱର୍ଣ୍ଣର (୧୮ ବଲ୍) ଓ ଗ୍ଲେନ୍ ମ୍ୟାକ୍ସୱେଲ (୧୮ ବଲ୍)ଙ୍କୁ ଟପି ଯାଇଥିଲେ। ମ୍ୟାକ୍ସୱେଲ ଦୁଇଥର (ବନାମ ପାକିସ୍ତାନ, ୨୦୧୪ ମୀରପୁର) ଓ (ବନାମ ଶ୍ରୀଲଙ୍କା, ୨୦୧୬ କଲମ୍ବୋ) ୧୮ ବଲ୍ରେ ଅର୍ଦ୍ଧଶତକ ଜମାଇଥିଲା ବେଳେ ୱର୍ଣ୍ଣର (ବନାମ ଶ୍ରୀଲଙ୍କା, ୨୦୧୦ ସିଡ୍ନି) ଥରେ ୧୭ ବଲ୍ରୁ ଏହି ମାଇଲଖୁଣ୍ଟ ଛୁଇଁଥିଲେ।
ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଦ୍ରୁତତମ ଅର୍ଦ୍ଧଶତକ ଜମାଇବାର କୀର୍ତ୍ତିମାନ ଭାରତୀୟ ଅଲ୍ରାଉଣ୍ଡର ଯୁବରାଜ ସିଂହ (୧୨ ବଲ୍ ବନାମ ଇଂଲଣ୍ଡ, ୨୦୦୭ ଡର୍ବାନ)ଙ୍କ ନାମରେ ଅତୁଟ ରହିଥିଲା ବେଳେ ଷ୍ଟୋଇନିସ୍ ଯୁଗ୍ମ ଦ୍ବିତୀୟ ହୋଇଛନ୍ତି। ଷ୍ଟୋଇନିସ୍ଙ୍କ ପୂର୍ବରୁ ୨୦୧୪ ବିଶ୍ବକପ୍ରେ ଆୟର୍ଲାଣ୍ଡ ବିପକ୍ଷ ସିଲ୍ହେଟ୍ ମ୍ୟାଚ୍ରେ ନେଦରଲାଣ୍ଡ୍ସର ଷ୍ଟିଫେନ ମାଇବର୍ଗ ୧୭ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ।
ସଂକ୍ଷିପ୍ତ ସ୍କୋର୍: ଶ୍ରୀଲଙ୍କା ୨୦ ଓଭରରେ ୧୫୭/୬ (ପଥୁମ ନିଶାଙ୍କ-୪୦, ଚରିଥ ଆଶାଲଙ୍କା-୩୮*, ଧନଞ୍ଜୟ ଡି’ ସିଲ୍ଭା-୨୬, ଚାମିକା କରୁଣାରତ୍ନେ-୧୪*, ଜୋସ୍ ହାଜେଲଉଡ୍-୧/୨୬, ପ୍ୟାଟ୍ କମିନ୍ସ-୧/୩୬, ମିଚେଲ ଷ୍ଟାର୍କ-୧/୨୩, ଅଷ୍ଟନ ଅଗର-୧/୨୫, ଗ୍ଲେନ୍ ମ୍ୟାକ୍ସୱେଲ-୧/୫)। ଅଷ୍ଟ୍ରେଲିଆ ୧୬.୩ ଓଭରରେ ୧୫୮/୩ (ଆରୋନ ଫିଞ୍ଚ୍-୩୧*, ଗ୍ଲେନ୍ ମ୍ୟାକ୍ସୱେଲ-୨୩, ମାର୍କସ ଷ୍ଟୋଇନିସ୍-୫୯*, ଧନଞ୍ଜୟ ଡି’ ସିଲ୍ଭା-୧/୧୮, ଚାମିକା କରୁଣାରତ୍ନେ-୧/୨୦, ମହେଶ ତୀକ୍ଷଣା-୧/୨୩)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/56fsh64h65f46f5h4sf65h.jpg)