ଲଣ୍ଡନ: ଷ୍ଟୋକ୍ସ ଜଣେ ଚମତ୍କାର ଅଧିନାୟକ ହୋଇ ପାରିବେ। ଅଧିନାୟକ ପଦର ସବୁଠାରୁ କଠିନ ଦିଗ ହେଲା ପଡ଼ିଆ ବାହାର ବିଷୟକୁ ପରିଚାଳନା କରିବା। ଅନେକ ଅତିରିକ୍ତ ବୈଠକ ଏବଂ ଯୋଜନାରେ ତାଙ୍କୁ ସାମିଲ ହେବାକୁ ହେବ। କ୍ରିକେଟ୍ର କଳା କୌଶଳକୁ ବୁଝିଲା ଭଳି ବୁଦ୍ଧି ତାଙ୍କର ଥିବାରୁ ଏସବୁ ତାଙ୍କ ପାଇଁ ବଡ଼ ସମସ୍ୟା ହେବନି। ଗତ କିଛି ବର୍ଷ ଭିତରେ ସେ ବେଶ୍ ପରିପକ୍ବ ହୋଇସାରିଛନ୍ତି। ଗୋଟିଏ ମ୍ୟାଚ୍ରେ ଅଧିନାୟକ ଦାୟିତ୍ବ ତୁଲାଇବା ତାଙ୍କ ପାଇଁ କଷ୍ଟକର ହେବନି। ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ସୋମବାର ଏଭଳି ମନ୍ତବ୍ୟ ଦେଇଛନ୍ତି। ଇଂଲଣ୍ଡର ନିୟମିତ ଟେଷ୍ଟ୍ ଅଧିନାୟକ ଜୋ ରୁଟ୍ ପତ୍ନୀଙ୍କ ପ୍ରସବ ପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ଖେଳି ନପାରିବାର ଯଥେଷ୍ଟ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଉପଅଧିନାୟକ ବେନ୍ ଷ୍ଟୋକ୍ସ ସାଉଥାମ୍ପଟନଠାରେ ଜୁଲାଇ ୮ ତାରିଖରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଇଂଲଣ୍ଡର ନେତୃତ୍ବ ନେବେ। ଯାହାକୁ ନେଇ ଇଂଲିସ୍ କ୍ରିକେଟ୍ରେ ସରଗରମ ଚର୍ଚା ଚାଲିଛି। ଏହି ଚର୍ଚାରେ ଅଂଶଗ୍ରହଣ କରି ବ୍ରଡ୍ ଅଲରାଉଣ୍ଡର ଷ୍ଟୋକ୍ସଙ୍କୁ ଦୃଢ଼ ସମର୍ଥନ କରିଛନ୍ତି। ତେବେ ଷ୍ଟୋକ୍ସଙ୍କ ପାଇଁ ଶାରୀରିକ ଅପେକ୍ଷା ଏହା ଅଧିକ ମାନସିକ ଆହ୍ବାନ ହେବ ବୋଲି ସେ ଆକଳନ କରିଛନ୍ତି।
ବେନ୍ ଷ୍ଟୋକ୍ସ ଜଣେ ଚମତ୍କାର ଅଧିନାୟକ ହୋଇପାରିବେ: ବ୍ରଡ୍
/sambad/media/post_attachments/wp-content/uploads/2019/04/ben-stokes.jpg)