୧୦ ଶତକ ଓ ୧୫୦ ୱିକେଟ୍‌ ନେବାରେ ଷ୍ଟୋକ୍ସ ପଞ୍ଚମ

ଷ୍ଟୋକ୍ସ ଇଂଲଣ୍ଡର ଶ୍ରେଷ୍ଠ ଖେଳାଳି: ଭନ୍‌

ମାଞ୍ଚେଷ୍ଟର୍‌: କ୍ରିକେଟ୍‌ର ଲମ୍ବା ଫର୍ମାଟ୍‌ ତଥା ଟେଷ୍ଟ୍‌ରେ ୧୦ ଶତକ ହାସଲ ଏବଂ ୧୫୦ ୱିକେଟ୍‌ ଦଖଲ କରିବାରେ ଇଂଲଣ୍ଡର ବେନ୍‌ ‌ଷ୍ଟୋକ୍ସ ପଞ୍ଚମ ଅଲ୍‌ରାଉଣ୍ଡର ବିବେଚିତ ହୋଇଛନ୍ତି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ନିଜର ଦଶମ ଶତକ ଜମାଇବା ପରେ ଷ୍ଟୋକ୍ସ ଏହି ମାଇଲଖୁଣ୍ଟର ଅଧିକାରୀ ହୋଇଛନ୍ତି। ଇଣ୍ଡିଜ୍‌ ବିପକ୍ଷରେ ଶୁକ୍ରବାର ୧୭୬ ରନ୍‌ କରିଥିବା ଷ୍ଟୋକ୍ସ ମଧ୍ୟ ଦ୍ବିତୀୟ ଥର ପାଇଁ ଟେଷ୍ଟ୍‌ରେ ୧୫୦ରୁ ଅଧିକ ବ୍ୟକ୍ତିଗତ ସ୍କୋର୍‌ କରିଛନ୍ତି।

୧୦ ଶତକ ଓ ୧୫୦ ୱିକେଟ୍‌ ଦଖଲକାରୀ ଅଲ୍‌ରାଉଣ୍ଡରଙ୍କ ତାଲିକାରେ ଷ୍ଟୋକ୍ସଙ୍କ ବ୍ୟତୀତ ଅନ୍ୟ ୪ ମହାନ୍‌ଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର କିଂବଦନ୍ତି ଗ୍ୟାରି ସୋବର୍ସ, ଇଂଲଣ୍ଡର ଇଆନ୍‌ ବୋଥାମ୍, ଭାରତର ରବି ଶାସ୍ତ୍ରୀ ଏବଂ ଦକ୍ଷିଣ ଆଫ୍ରିକାର ଜାକ୍ସ କାଲିସ୍‌ ରହିଛନ୍ତି। ଭାରତୀୟ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ତଥା ଏବର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ତାଙ୍କ ସହ ତାଲିକାରେ ସାମିଲ ହୋଇଥିବାରୁ ଷ୍ଟୋକ୍ସଙ୍କୁ ବଧେଇ ଜଣାଇଛନ୍ତି। ଏହା ପୂର୍ବରୁ ୪୦୦୦ ରନ୍‌ ଏବଂ ୧୫୦ ୱିକେଟ୍‌ ନେଇ ‘ଟେଷ୍ଟ୍‌ ଡବଲ୍‌’ ହାସଲ କରିବାରେ ଷ୍ଟୋକ୍ସ ଦ୍ବିତୀୟ ଦ୍ରୁତତମ ଅଲ୍‌ରାଉଣ୍ଡର ବିବେଚିତ ହୋଇଥିଲେ। ଯାହାକୁ ସେ ଗତ ସପ୍ତାହରେ ରୋଜ୍‌ ବାଉଲ୍‌ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ତୃତୀୟ ଦିବସରେ ହିଁ ହାସଲ କରିଥିଲେ। ଅଲ୍‌ଜେରି ଯୋସେଫ୍‌ଙ୍କୁ ଆଉଟ୍‌ କରି ଷ୍ଟୋକ୍ସ ତାଙ୍କର ୧୫୦ତମ ୱିକେଟ୍‌ କରାୟତ୍ତ କରିଥିଲେ।

ଷ୍ଟୋକ୍ସ ଇଂଲଣ୍ଡର ଶ୍ରେଷ୍ଠ ଖେଳାଳି: ଭନ୍‌
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଚଳିତ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌କୁ ହାରିଯାଇଥିବା ଇଂଲଣ୍ଡ ଗୁରୁବାରଠୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍‌ରେ ଚମତ୍କାର ପ୍ରତ୍ୟାବର୍ତନ କରିଛି। ପ୍ରଥମ ଟେଷ୍ଟ୍‌କୁ ୪ ୱିକେଟ୍‌ରେ ଜିତି ଇଣ୍ଡିଜ୍‌ ଦଳ ୧-୦ରେ ଅଗ୍ରଣୀ ଥିଲା ବେଳେ ଘରୋଇ ଦଳ କିନ୍ତୁ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦୁଇ ଦିନକୁ ନିଜ ନିୟଂତ୍ରଣରେ ରଖିପାରିଛି। ଦମ୍‌ଦାର ବ୍ୟାଟିଂ ବଳରେ ବିଶେଷକରି ଷ୍ଟୋକ୍ସ ଓ ଡୋମିନିକ୍‌ ଶିବ୍‌ଲେଙ୍କ ଶତକତୀୟ ପାଳି ବଳରେ ଦଳ ୪୬୯/୯ରେ ପାଳି ଘୋଷଣା କରିଦେଇଛି। ଷ୍ଟୋକ୍ସ ତାଙ୍କ ବ୍ୟକ୍ତିଗତ ଦଶମ ଶତକ ହାସଲ କରିଥିଲେ। ସେ ୩୫୬ ବଲ୍‌ ଖେଳି ୧୭୬ ରନ୍‌ କରିଥିଲେ। ଯାହାକି ସାମ୍‌ନା କରିଥିବା ବଲ୍‌ ଭିତ୍ତିରେ ଏହା ‌‌ଷ୍ଟୋକ୍ସଙ୍କ ସବୁଠୁ ଲମ୍ବା ପାଳି ଥିଲା। ସେ ମଧ୍ୟ ଦ୍ବିତୀୟ ଥର ପାଇଁ ୧୫୦ରୁ ଅଧିକ ରନ୍‌ କଲେ। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ୍‌ ତାଙ୍କର ଏଭଳି ପ୍ରଦର୍ଶନ ପାଇଁ ଷ୍ଟୋକ୍ସଙ୍କୁ ଇଂଲଣ୍ଡର ଶ୍ରେଷ୍ଠ ଖେଳାଳି ଆଖ୍ୟା ଦେଇଛନ୍ତି। ବିଶ୍ବକପ୍‌ ବିଜେତା ଦଳର ନାୟକ ସାଜିଥିବା ଷ୍ଟୋକ୍ସ ପୁଣି ଥରେ ଇଂଲଣ୍ଡ ପାଇଁ ମୂଲ୍ୟବାନ ଅବଦାନ ଛାଡ଼ିଲେ ବୋଲି କହି ଭନ୍‌ ମଧ୍ୟ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଷ୍ଟୋକ୍ସ ଏବେ ଇଂଲଣ୍ଡର ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ କ୍ଷେତ୍ରରକ୍ଷକ, ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଏବଂ ସବୁଠୁ ପ୍ରଭାବୀ ବୋଲର ବୋଲି ବର୍ଣ୍ଣନା କରିଛନ୍ତି ଭନ୍‌। ଏହି ଅବସରରେ ଭନ୍‌ ମଧ୍ୟ ନିଜର ବ୍ୟକ୍ତିଗତ ଦ୍ବିତୀୟ ଟେଷ୍ଟ୍‌ ଶତକ ହାସଲ କରିଥିବା ଶିବ୍‌ଲେଙ୍କ ପ୍ରଶଂସା କରିଛନ୍ତି। ଅବଶ୍ୟ ଏହା ୨୦୦୦ ପରଠୁ ଇଂଲଣ୍ଡର ସବୁଠୁ ମନ୍ଥର ଶତକ ଥିଲା ବୋଲି ଭନ୍‌ କହିଛନ୍ତି।

ଶିବଲେଙ୍କ ଦୀର୍ଘତମ ସୋ’
ମାଞ୍ଚେଷ୍ଟର୍‌: ଚଳିତ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ଡୋମିନିକ୍ ଶିବଲେ ଏବଂ‌ ବେନ ଷ୍ଟୋକ୍ସଙ୍କ ମଧ୍ୟରେ ହୋଇଥିବା ୨୬୦ ରନ୍ ଭାଗୀଦାରି ଅବସରରେ ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି। ମିଳିତ ଭାବେ ଏମାନେ ୫୬୮ ବଲ୍‌ର ସମ୍ମୁଖୀନ‌ ହୋଇଥିଲେ। ଯାହାକି ୨୦୦୦ ମସିହା ପରେ ଇଂଲଣ୍ଡ ପାଇଁ ବଲ୍‌ ଆଧାରରେ ଦ୍ବିତୀୟ ଦୀର୍ଘତମ। ୨୦୧୦ରେ ଇଂଲଣ୍ଡ ପାଇଁ ଲର୍ଡସରେ ପାକିସ୍ତାନ ବିପକ୍ଷରେ ‌ୟୋନାଥନ୍ ଟ୍ରଟ୍‌ ଓ ଷ୍ଟୁଆର୍ଟ ବ୍ରଡ୍‌ ମୋଟ ୫୭୪ ବଲ୍‌ ଖେଳିଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହା ସବୁଠୁ ଲମ୍ବା (ବଲ୍‌ ଦୃଷ୍ଟିରୁ) ଭାଗୀଦାରି। ୨୦୧୫ରେ ଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆର ସନ୍ ମାର୍ସ ଏବଂ ଆଡାମ୍ ଭୋଗ୍ସ ୫୨୫ ବଲ୍‌ ଖେଳିଥିଲେ। ୧୯୭୫ ମସିହାରେ ଶେଷ ଥର ପାଇଁ ଗୋଟିଏ ଟେଷ୍ଟ୍ ପାଳିରେ ଇଂଲଣ୍ଡ୍‌ ପାଇଁ ଦୁଇ ଜଣ ୩୫୦ରୁ ଊର୍ଧ୍ବ ବଲ୍‌ ଖେଳିଲେ। ଶିବଲେ ୩୭୨ ଏବଂ ‌ଷ୍ଟୋକ୍ସ ୩୫୬ ବଲ୍‌ ଖେଳିଥିଲେ। ୪୫ ବର୍ଷ ତଳେ ସେହ‌ି‌ ଗୋଟିଏ ବର୍ଷ ମାଇକ୍ ଡେନିସ୍‌ ଏବଂ କିଥ୍ ଫ୍ଲେଚର ଦୁଇ ଥର ଏଭଳି କରିଥିଲେ। ମେଲବର୍ନରେ ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ଅକଲାଣ୍ଡ୍‌ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଏମାନେ କରିଥିଲେ।

ବେନ୍ ଷ୍ଟୋକ୍ସଙ୍କ ସମସ୍ତ ୧୦ ଟେଷ୍ଟ୍‌ ଶତକ ୫ ଓ ୬ ନମ୍ବର ବ୍ୟାଟିଂ ବେଳେ ମିଳିଛି। ୫ କିମ୍ବା ଏହାଠୁ ତଳେ ବ୍ୟାଟିଂ କରି ୧୦ କିମ୍ବା ତଦୁର୍ଧ ଶତକ ହାସଲ କରିବାରେ ସେ ଚତୁର୍ଥ ଇଂଲଣ୍ଡ ଖେଳାଳି। ଏହି ସ୍ଥାନରେ ଇଆନ୍ ବେଲ୍‌ (୧୬) ଆଗରେ ରହିଥିବା ବେଳେ ଇଆନ୍ ବୋଥାମ (୧୪), ଗ୍ରାହାମ ଥର୍ପ (୧୧) ପଛକୁ ପଛ ରହିଛନ୍ତି। ‌ଷ୍ଟୋକ୍ସଙ୍କ ପଦାର୍ପଣ ପରଠାରୁ ଏକମାତ୍ର ବ୍ୟାଟ୍‌ସମ୍ୟାନ୍‌ ଭାବେ ଅଜିଙ୍କ୍ୟ ରାହାଣେ ଏହି ସ୍ଥାନରେ ଖେଳି ୧୦ରୁ ଅଧିକ ଶତକ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ର କେମାର ରୋଚ୍‌ ୫୨୧ ବଲ୍‌ ବୋଲିଂ କରି ୱିକେଟଶୂନ୍ୟ ରହିବା ପରେ ଲଗାତାର ବଲରେ ବେନ୍ ‌ଷ୍ଟୋକ୍ସ ଓ କ୍ରିସ୍‌ ୱକ୍ସଙ୍କୁ ଅଉଟ୍ କରିଥିଲେ। ଶେଷ ଥର ପାଇଁ ସେ ଗତବର୍ଷ ଅଗଷ୍ଟ ମାସରେ ଲଗାତାର ବଲ୍‌ରେ କେଏଲ୍ ରାହ‌ୁଲ ଏବଂ ବିରାଟ କୋହଲି (ଗୋଲ୍‌ଡେନ୍ ଡକ୍‌)ଙ୍କ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର