ହୋଲ୍ଡରଙ୍କୁ ହଟାଇ ଷ୍ଟୋକ୍ସ ଏକ ନମ୍ବର ଟେଷ୍ଟ୍‌ ଅଲ୍‌ରାଉଣ୍ଡର

ଦୁବାଇ: ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଚମତ୍କାର ପ୍ରଦର୍ଶନ କରିବାର ପୁରସ୍କାର ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ‌ଷ୍ଟୋକ୍ସଙ୍କୁ ମିଳିଛି। ‌ମଙ୍ଗଳବାର ପ୍ରକାଶିତ ଆଇସିସି ଅଲ୍‌ରାଉଣ୍ଡର ମାନ୍ୟତାରେ ସେ ଶୀର୍ଷକୁ ଉଠିଛନ୍ତି। ୧୮ ମାସ ଧରି ଏହି ସ୍ଥାନ ଅକ୍ତିଆର କରିଥିବା ଇଣ୍ଡିଜ୍‌ ଅଧିନାୟକ ଜାସନ ହୋଲ୍ଡରଙ୍କୁ ହଟାଇ ବିଶ୍ବ କ୍ରିକେଟ୍‌ର ଏକ ନମ୍ବର ଅଲ୍‌ରାଉଣ୍ଡର ହୋଇଛନ୍ତି ସେ। ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ହୋଲ୍ଡରଙ୍କଠୁ ଷ୍ଟୋକ୍ସଙ୍କ ୫୪ ରେଟିଂ ପଏଣ୍ଟ୍‌ କମ୍‌ ଥିଲା। ହେଲେ ମାଞ୍ଚେ‌ଷ୍ଟରରେ ‌ଷ୍ଟୋକ୍ସ ୧୭୬ ଓ ୭୮* ରନ୍‌ ଏବଂ ୩ ୱିକେଟ୍‌ ଅକ୍ତିଆର କରିବା ପରେ ‌ତାଙ୍କ ପଏଣ୍ଟ ହୋଲ୍ଡରଙ୍କଠୁ (୩୮ ପଏଣ୍ଟ୍‌) ଅଧିକ ହୋଇଯାଇଛି। ‌ଷ୍ଟୋକ୍ସ ମଧ୍ୟ ବ୍ୟାଟ୍ସମ୍ୟାନ୍‌ ତାଲିକାର ତୃତୀୟ ସ୍ଥାନକୁ ଉଠି ଜୀବନର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ଏହି ତାଲିକାରେ ତାଙ୍କ ଆଗରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ (ଶୀର୍ଷ) ଓ ଭାରତର ବିରାଟ କୋହଲି (ଦ୍ବିତୀୟ) ରହିଛନ୍ତି। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ନବମ ଏବଂ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଡମ୍‌ ସିବ୍‌ଲେ ୩୫ତମ ସ୍ଥାନରେ ଅଛନ୍ତି। ପ୍ରଥମ ଟେଷ୍ଟ୍‌ରେ ଖେଳିନଥିବା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଦ୍ବିତୀୟ ମ୍ୟାଚ୍‌ର ଉଭୟ ପାଳିରେ ୩ ୱିକେଟ୍‌ ଲେଖାଏଁ ନେଇ ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି। ସେ ଏବେ ଇଂଲଣ୍ଡର ଶୀର୍ଷମାନ୍ୟତା ବୋଲର। ‌ଜେମ୍ସ ଆଣ୍ଡରସନ୍‌ ଏକାଦଶ ଓ କ୍ରିସ ୱକ୍ସ ୨୧ତମ ସ୍ଥାନରେ ରହିଛନ୍ତି।

ୱେଷ୍ଟଇଣ୍ଡିଜ୍‌ର ସାମର ବ୍ରୁକ୍ସ (୪୫ତମ) ୬୮ ଓ ୬୨ ରନ୍‌ କରିବା ପରେ ୨୭ ସ୍ଥାନ ଉପରକୁ ଉଠି ଜୀବନର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ହୋଲ୍‌ଡର୍‌ (୪୧) ୱେଷ୍ଟ୍‌ଇଣ୍ଡିଜ୍‌ର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ବୋଲର ମାନ୍ୟତାରେ ହୋଲ୍‌ଡର ଗୋଟିଏ ସ୍ଥାନ ତଳକୁ ଖସି ପାଟ କମିନ୍ସ ଓ ନିଲ ୱଗନରଙ୍କ ପଛକୁ ତୃତୀୟରେ ରହିଛନ୍ତି। ରସ୍ତନ ଚେଜ୍‌ ଦୁଇଟି ସ୍ଥାନ ଲମ୍ଫ ଦେଇ ୩୧ରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର