ସିରାଜଙ୍କୁ ନେଇ ଷ୍ଟୋକ୍ସ-କୋହଲି ଯୁକ୍ତିତର୍କ

ଗୁରୁବାରଠାରୁ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍‌ର ପ୍ରଥମ ଦିନରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍ ‌ଷ୍ଟୋକ୍ସ କିଛି କହିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିନେଇ ପଡ଼ିଆ ଭିତରେ ହିଁ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଷ୍ଟୋକ୍ସଙ୍କ ମଧ୍ୟରେ ଢେର କିଛି ସମୟ ପର୍ଯ୍ୟନ୍ତ ଯୁକ୍ତି-ତର୍କ ହୋଇଥିଲା। ଅମ୍ପାୟାର ନିତିନ ମେନନଙ୍କ ହସ୍ତକ୍ଷେପ ପରେ ଯାଇ ମାମଲା ଶାନ୍ତ ପଡ଼ିଥିଲା। ‌ଖେଳ ଶେଷ ହେବା ପରେ ସିରାଜ ଏହାର କାରଣ ଉପରୁ ପରଦା ଉଠାଇଥିଲେ। ଷ୍ଟୋକ୍ସ ତାଙ୍କୁ ଗାଳି ଗୁଲଜ କରିଥିଲେ। ଏହି ବିଷୟ ସେ କୋହଲିଙ୍କୁ ଜଣାଇବା ପରେ ପରିସ୍ଥିତିକୁ ସେ (କୋହଲି) ଭଲ ଭାବରେ ନିୟନ୍ତ୍ରଣକୁ ଆଣିଥିଲେ ବୋଲି କହିଥିଲେ। କି ପ୍ରକାର ଓ କେଉଁ ଗାଳି ଦେଇଥିଲେ ତା’ ଉପରେ କିଛି କହିନଥିଲେ ମଧ୍ୟ କୋହଲିଙ୍କ ସହ ଯୁକ୍ତିତର୍କ ହୋଇଥିବା କଥା ଷ୍ଟୋକ୍ସ ବି ସ୍ବୀକାର କରିଥିଲେ। ‘‘ସେ (ଷ୍ଟୋକ୍ସ) ମୋତେ ଗାଳି କରୁଥିଲେ, ଏଣୁ କୋହଲି ଭାଇ ହସ୍ତକ୍ଷେପ କରିଥିଲେ।

ପଡ଼ିଆ ଭିତରେ ଏଭଳି ଘଟଣା କେବେ କେବେ ଘଟେ’’ ବୋଲି ସିରାଜ କହିଥି‌ଲେ। ‌ଷ୍ଟୋକ୍ସ କହିଥିଲେ ଯେ ହଁ ଜୋରଦାର ଯୁକ୍ତିତର୍କ ହୋଇଥିଲା। ହେଲେ ଏହାକୁ ଆପଣ ଭିନ୍ନ ଦିଗରୁ ଦେଖନ୍ତୁ। ଦୁଇ ତିନି ଜଣ ବ୍ୟକ୍ତି ସେମାନେ ଯାହା କରନ୍ତି ଏବଂ କରିବାକୁ ଭଲ ପାଆନ୍ତି, ନିଜ ଦେଶକୁ ପ୍ରତିନିଧିତ୍ବ କରି ଗର୍ବ ଅନୁଭବ କରନ୍ତି, ପରସ୍ପର ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଖେଳିବାକୁ ଭଲ ପାଆନ୍ତି, ସେମାନଙ୍କ ଭିତରେ ଏଭଳି ଯୁକ୍ତିତର୍କ ହେବା ସ୍ବାଭାବିକ। ସିରାଜଙ୍କ ଘନ ଘନ ବାଉନ୍ସର ମାଡ଼ରେ ବିରକ୍ତ ହୋଇ ଷ୍ଟୋକ୍ସ ଏଭଳି କାଣ୍ଡ ଘଟାଇଥିବା କିନ୍ତୁ ପରେ ଜଣାପଡ଼ିଥିଲା। ଷ୍ଟୋକ୍ସଙ୍କୁ ୱାସିଂଟନ୍ ସୁନ୍ଦର ଶିକାର କରିନେବା ପରେ ଏହି ଘଟଣାର ପୁନରାବୃତ୍ତି ଅବଶ୍ୟ ଆଉ ହୋଇନଥିଲା।

ସମ୍ବନ୍ଧିତ ଖବର