ଇଂଲଣ୍ଡ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳକୁ ‌ଫେରିଲେ ଷ୍ଟୋକ୍ସ; ଜାସନ୍‌ ବାଦ୍‌

ଲଣ୍ଡନ୍‌ : ଆୟୋଜକ ଅଷ୍ଟ୍ରେଲିଆ ପରେ ଇଂଲଣ୍ଡ ଦ୍ବିତୀୟ ଦେଶ ଭାବେ ଆସନ୍ତା ମାସର ଆଇସିସି‌‌‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଦଳ ଘୋଷଣା କରିଛି। ଅଭିଜ୍ଞ ଅଲରାଉଣ୍ଡର୍‌ ବେନ୍ ଷ୍ଟୋକ୍ସଙ୍କ ସହିତ କ୍ରିସ୍ ୱକ୍ସ ଏବଂ ମାର୍କ ଉଡ୍‌ ପ୍ରତ୍ୟାବର୍ତନ କରିଛନ୍ତି। ତେବେ ଇଂଲଣ୍ଡ ଧଳାବଲ୍ କ୍ରିକେଟ୍‌ର ଆଭ୍ୟନ୍ତରୀଣ ଅଙ୍ଗ ରହି ଆସିଥିବା ଜାସନ ରୟଙ୍କୁ ଖରାପ ଫର୍ମ କାରଣରୁ ଦଳରୁ ବାଦ୍‌ ଦିଆଯାଇଛି। ତାଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ ଇଂଲଣ୍ଡ ୨୦୧୯ ଦିନିକିଆ (୫୦ ଓଭରିଆ) ବିଶ୍ବକପ୍‌ ଜିତିଥିଲା। ୩୨ ବର୍ଷୀୟ ଜାସନ୍ ବିଗତ ୬ ଅନ୍ତର୍ଜାତୀୟ ‌ଟ୍ବେଣ୍ଟି-୨୦ରୁ ମାତ୍ର ୭୬ ରନ୍‌ ସଂଗ୍ରହ କରିଥିଲେ। ଆହତ ତାଲିକାରେ ଥିଲେ ମଧ୍ୟ କ୍ରିସ୍ ଜୋର୍ଡାନ (ଆଙ୍ଗୁଠି) ଏବଂ ଲିଆମ ଲିଭିଙ୍ଗଷ୍ଟୋନ୍ (ଗୋଇଠି)ଙ୍କୁ ଦଳରେ ନିଆଯାଇଛି। ଉଭୟ ପୁନଃଥଇଥାନ ଯୋଜନାରେ ଥିବାରୁ ଚଳିତ ମାସର ପାକିସ୍ତାନ ଗସ୍ତ ଲାଗି ଘୋଷିତ ଅଲଗା ଦଳରେ ସ୍ଥାନ ଦିଆଯାଇନାହିଁ।
ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ ୨୨ ତାରିଖରେ ପର୍ଥରେ ଆଫଗାନିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ। ଚଳିସ ସେପ୍ଟେମ୍ବର ୨୦ ତାରିଖରେ କରାଚୀରୁ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଏଥି ଲାଗି ଇଂଲଣ୍ଡ ଏହାର ଦଳରେ ୫ ଜଣ ନୂଆ ମୁହଁ ଖେଳାଳିଙ୍କୁ ସୁଯୋଗ ଦେଇଛି।

ଇଂଲଣ୍ଡ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳ: ଜୋସ୍ ବଟ୍ଟଲର୍‌ (ଅଧିନାୟକ), ମୋଇନ୍ ଅଲୀ, ଜନି ବେୟାରଷ୍ଟୋ, ହାରି ବ୍ରୁକ୍‌, ସାମ କରନ୍‌, କ୍ରିସ୍ ଜୋର୍ଡାନ୍‌, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌, ‌ଦାୱିଦ ମଲାନ, ଆଦିଲ ରସିଦ୍‌, ଫିଲ ସଲ୍ଟ, ବେନ୍ ଷ୍ଟୋକ୍ସ, ରିସ୍ ଟପଲେ, ଡେଭିଡ୍‌ ୱିଲି, କ୍ରିସ୍ ୱକ୍ସ, ମାର୍କ ଉଡ୍‌। ସଂରକ୍ଷିତ: ଲିଆମ୍‌ ଡ’ସନ୍, ରିଚାର୍ଡ ଗ୍ଲିସନ୍‌, ଟାଇମଲ୍‌ ମିଲ୍ସ।
ପାକିସ୍ତାନ ଗସ୍ତ ପାଇଁ ଇଂଲଣ୍ଡ ଟ୍ବେଣ୍ଟି-୨୦ ଦଳ: ଜୋସ୍ ବଟ୍ଟଲର୍‌ (ଅଧିନାୟକ), ମୋଇନ୍ ଅଲୀ, ହାରି ବ୍ରୁକ୍‌, ଜୋର୍ଡାନ କକ୍ସ, ସାମ୍ କରନ୍‌, ବେନ ଡକେଟ୍‌, ଲିଆମ୍‌ ଡ’ସନ୍‌, ରିଚାର୍ଡ ଗ୍ଲିସନ୍‌, ଟମ୍ ହେଲ୍ମ, ୱିଲି ଜ୍ୟାକ୍ସ, ଦାୱିଦ ମଲାନ, ଆଦିଲ ରସିଦ୍‌, ଫିଲ ସଲ୍ଟ, ଓଲି ଷ୍ଟୋନ୍‌, ରିସ୍ ଟ‌ପଲେ, ଡେଭିଡ ୱିଲି, କ୍ରିସ୍‌ ୱକ୍ସ, ଲୁକ ଉଡ୍‌, ମାର୍କ ଉଡ୍।

ସମ୍ବନ୍ଧିତ ଖବର