ଷ୍ଟୋକ୍ସ-ଶିବଲେଙ୍କ ଦ୍ବିଶତକ ଭାଗୀଦାରି, ଚେଜ୍‌ଙ୍କୁ ୫ ୱିକେଟ୍‌: ଇଂଲଣ୍ଡ ୪୬୯/୯, ଘୋଷିତ

ମାଞ୍ଚେଷ୍ଟର୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ବେନ୍ ଷ୍ଟୋକ୍ସ ଏବଂ ଡୋମିନିକ୍ ଶିବଲେଙ୍କ ଦ୍ବିଶତକ ଭାଗୀଦାରି ବଳରେ ଘରୋଇ ଇଂଲଣ୍ଡ ନିଜ ପ୍ରଥମ ପାଳିକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଦେଇଛି। ଦ୍ବିତୀୟ ଦିବସରେ ଇଂଲଣ୍ଡ ୯ ୱିକେଟ୍‌ ବିନିମୟରେ ୪୬୯ ରନ୍‌ ସଂଗ୍ରହ କରି ପାଳି ଘୋଷଣା କରିଦେଇଛି। ଜୈବସୁରକ୍ଷିତ ବିଧି ମଧ୍ୟରେ ଖେଳାଯାଉଥିବା ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ୍ ଶୃଙ୍ଖଳାର ଏହି ଦ୍ବିତୀୟ ମ୍ୟାଚ୍‌ର ଦ୍ବିତୀୟ ଦିବସରେ ଶୁକ୍ରବାର ଇଂଲଣ୍ଡ ପୂର୍ବଦିନର ସ୍କୋର୍‌ ୨୦୭/୩ରୁ ଖେଳିଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ଇଣ୍ଡିଜ୍ ବୋଲରମାନେ ଗୋଟିଏ ବି ୱିକେଟ୍ ଦଖଲ କରିବାରେ ବିଫଳ ହୋଇଥିଲେ। ପୂର୍ବ ସଂଧ୍ୟାରୁ ଅପରାଜିତ ଥିବା ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡୋମିନିକ୍ ଶିବଲେ ଏବଂ ବେନ୍ ଷ୍ଟୋକ୍ସ ଭ୍ରମଣକାରୀ ଦଳର ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ପୂର୍ବଦିନ କ୍ୟାଚ୍‌ ଡ୍ରପରୁ ଜୀବନଦାନ ପାଇଥିବା ଶିବଲେ ନିଜ ଟେଷ୍ଟ୍ ଜୀବନର ଦ୍ବିତୀୟ ଶତକ ହାସଲ କରିଥିଲେ।

ଜାନୁଆରିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୩୩* ରନ୍ କରିଥିବା ଶିବଲେ ଶୁକ୍ରବାର ଧୈର୍ଯ୍ୟପୂର୍ଣ୍ଣ ୧୨୦ ରନ୍‌ କରିଥିଲେ। ଏହି ମାରାଥନ ୫ ସେସନ୍‌ ପାଳିରେ ସେ ୩୭୨ ରନ୍‌ ବଲ୍‌ ଖେଳିଥିବା ବ‌େଳେ ମାତ୍ର ୫ଟି‌ ଚୌକା ମାରିଥିଲେ। ସ୍ପିନର୍ ରସ୍ତନ୍ ‌ଚେଜ୍‌ ତାଙ୍କୁ କେମାର ରୋଚଙ୍କ ହାତରେ କ୍ୟାଚ୍‌ କରାଇ ଦ୍ବିଶତକ ଭାଗୀଦାରିକୁ ଭାଙ୍ଗିଥିଲେ। ବେନ ‌ଷ୍ଟୋକ୍ସଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ସେ ୨୬୦ ରନ୍ ‌ଯୋଡ଼ି କରିଥିଲେ। ଅପେକ୍ଷାକୃତ ଆକ୍ରମଣାତ୍ମକ ଖେଳୁଥିବା ବେନ୍ ‌ଷ୍ଟୋକ୍ସ ୩୫୬ ବଲ୍‌ ଖେଳି ୧୭୬ ରନ୍ କରିଥିଲେ। ଏହା ମଧ୍ୟରେ ୧୭ ଚୌକା ଓ ୨ ଛକା ମାରିଥିଲେ। ଷ୍ଟୋକ୍ସଙ୍କର ଏହା ଟେଷ୍ଟ୍ ଜୀବନର ଦଶମ ଶତକ। ୱିକେଟରକ୍ଷକ ସନ୍ ଡାଓରିଚ୍‌ଙ୍କ ଗ୍ଲୋଭସରେ ବେନ୍ ‌ଷ୍ଟୋକ୍ସଙ୍କୁ କ୍ୟାଚ୍‌ କରାଇ କେମାର ରୋଚ୍‌ ତାଙ୍କ ୱିକେଟ୍‌ ମରୁଡିର ଅନ୍ତ ଘଟାଇଥିଲେ। ପରବର୍ତୀ ବଲରେ ରୋଚ୍‌ ମଧ୍ୟ କ୍ରିସ୍‌ ୱକ୍ସଙ୍କୁ ଆଉଟ୍ କରି ଲଗାତାର ସଫଳତା ପାଇଥିଲେ। ଷ୍ଟୋକ୍ସ-ଶିବଲେଙ୍କ ଭାଗୀଦାରି ଅଲଗା ହେବା ପରେ ଇଂଲଣ୍ଡ ସମ୍ଭାବ୍ୟ ୫୦୦ ରନ୍‌ଠାରୂ ଦୂରରେ ଅଟକିଯାଇଥିଲା। ୱିକେଟରକ୍ଷକ ଜୋସ୍ ବଟ୍ଟଲର୍ (୪୦, ୭୯ ବଲ୍‌, ୪‌ ଚୌକା) ସାମୟିକ ଲଢ଼ିଥିଲେ ମଧ୍ୟ ଜାସନ ହୋଲଡର ତାଙ୍କୁ ଆଉଟ୍ କରି ଅର୍ଧଶତକରୁ ବଞ୍ଚିତ ରଖିଥିଲେ। ସାମ୍ କରନ୍ (୧୭)ଙ୍କ ୱିକେଟ୍ ସହିତ ରସ୍ତନ୍ ଚେଜ୍‌ କିନ୍ତୁ ନିଜ ଖେଳ ଜୀବନର ତୃତୀୟ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ୍ ପ୍ରଥମ ପାଳି: ୧୬୨ ଓଭରରେ ୪୬୯/୯, ଘୋଷଣା (ବେନ୍ ଷ୍ଟୋକ୍ସ-୧୭୬, ଡୋମିନିକ୍‌ ଶିବଲେ-୧୨୦, ଜୋସ୍ ବଟ୍ଟଲର୍‌-୪୦, ଡୋମିନିକ୍‌ ବେସ୍‌-୩୧*, ଷ୍ଟୁଆର୍ଟ ବ୍ରଡ୍‌-୧୧*, ରସ୍ତନ ଚେଜ୍‌-୫/୧୭୨, କେମାର ରୋଚ୍‌-୨/୫୮, ଜାସନ୍ ହୋଲହର-୧/୭୦, ଅଲଜାରି ଯୋସେଫ୍‌-୧/୭୦)।

ହୋଲ୍‌ଡରଙ୍କ ଚତୁର ଚାଲ୍‌କୁ ସଚିନ୍‌ଙ୍କ ପ୍ରଶଂସା
ନୂଆଦିଲ୍ଲୀ: ମା‌ଞ୍ଚେଷ୍ଟରରେ ଚାଲିଥିବା ଘରୋଇ ଇଂଲଣ୍ଡ ଦଳ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିବସରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ଦଳର ଅଧିନାୟକ ଜାସନ୍‌ ହୋଲ୍‌ଡରଙ୍କ ଚତୁର ଚାଲ୍‌କୁ ପ୍ରଶଂସା କରିଛନ୍ତି ବ୍ୟାଟିଂ କିଂବଦନ୍ତି ସଚିନ୍‌ ତେନ୍ଦୁଲକର। ପ୍ରଥମ ଦିନ ଆରମ୍ଭରୁ ଦ୍ରୁତ ବୋଲରମାନେ ୱିକେଟ୍‌ ନେବାରେ ବିଫଳ ହୋଇଥିଲା ବେଳେ ସ୍ପିନରଙ୍କୁ ଆକ୍ରମଣରେ ଲଗାଇବାର ଚାଲ୍‌ ହୋଲ୍‌ଡରଙ୍କ ଚତୁରତା ଥିଲା ବୋଲି କହିଛନ୍ତି ଏହି ଭାରତୀୟ ମାଷ୍ଟର ବ୍ଲାଷ୍ଟର। ହୋଲ୍‌ଡରଙ୍କ ଏହି ଚାଲ୍‌ ମଧ୍ୟ ସଫଳ ହୋଇଥିଲା। ସ୍ପିନର ରସ୍ତନ ଚେଜ୍‌ ଇଂଲଣ୍ଡ ପ୍ରଥମ ପାଳିର ଚତୁର୍ଦଶ ଓଭରରେ ଲଗାତାର ଦୁଇଟି ବଲ୍‌ରେ ହିଁ ରୋରି ବର୍ନସ ଏବଂ ଜାକ୍‌ କ୍ରଲିଙ୍କୁ ପାଭିଲିୟନ୍‌ ପଠାଇ ଦେଇଥିଲେ। ପ୍ରଥମ ଅଧିବେସନରେ ଦ୍ରୁତ ବୋଲରଙ୍କ କିଛି ବଲ୍‌ ୱିକେଟ୍‌ରକ୍ଷକଙ୍କ କବ୍‌ଜାରୁ ବାହାରି ଯାଉଥିବା ମୋ ନଜରକୁ ଆସିଥିଲା। ଫଳରେ ପିଚ୍‌ରେ ପ୍ରଚୁର ଆଦ୍ରର୍ତା ଥିବାର ସଂକେତ ମିଳିଥିଲା। ତେଣୁ ହୋଲ୍‌ଡର ଚତୁରତାର ସହ ସ୍ପିନରଙ୍କୁ ଆଣିଥିଲେ। ଚେଜ୍‌ ମଧ୍ୟ ଖୁବ୍‌ ଭଲ ବୋଲିଂ କରି ସଫଳତା ପାଇଥିଲେ ବୋଲି ସଚିନ୍‌ ଟ୍ବିଟ୍‌ କରିଥିଲେ।

ସମ୍ବନ୍ଧିତ ଖବର