‘ଅନ୍‌ ଫାୟାର’ ପୁସ୍ତକରେ ଷ୍ଟୋକ୍ସଙ୍କ ବିଶ୍ବକପ୍‌ ଚାଞ୍ଚଲ୍ୟ

ମେଲ୍‌ବର୍ନ: ନିକଟରେ ହେଡ୍‌ଲାଇନ୍‌ ‌ବୁକ୍‌ ଦ୍ବାରା ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ନୂଆ ପୁସ୍ତକ ‘ଅନ୍‌ ଫାୟାର’ ପ୍ରକାଶ ପାଇଛି। ଏହାର ବିତରଣ ଦାୟିତ୍ବରେ ରହିଛି ହାଚେଟ୍‌ ଇଣ୍ଡିଆ। ଏହି ପୁସ୍ତକରେ ଷ୍ଟୋକ୍ସ ବିଶ୍ବକପ୍‌ର ପ୍ରତ୍ୟେକ ଖେଳକୁ ବିଶ୍ଲେଷଣ କରିଛନ୍ତି। ଗତ ବର୍ଷ ଅନୁଷ୍ଠିତ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ଲିଗ୍‌ରେ ଭାରତ ପଶ୍ଚାତ୍‌ଧାବନ କରିଥିଲା। ବିଜୟ ନିକଟତର ହୋଇଥିଲେ ମଧ୍ୟ ଖରାପ ରଣନୀତି ଲାଗି ଭାରତ ପରାଜୟ ବରଣ କରିଥିଲା। ଭାରତର ଏହି ରନ୍ ପଶ୍ଚାତ୍‌ଧାବନ ରଣନୀତିକୁ ନେଇ ଷ୍ଟୋକ୍ସ ବିସ୍ମିତ ହୋଇଛନ୍ତି। ଏଥିସହ ସହ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଆଭିମୁଖ୍ୟକୁ ‘ରହସ୍ୟମୟ’ କହିବା ସହ ପଶ୍ଚାତ୍‌ଧାବନ ବେଳେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କୌଣସି ପ୍ରକାର ହସ୍ତକ୍ଷେପ ଦେଖି ନଥିଲେ ବୋଲି ‌ଷ୍ଟୋକ୍ସ ‘ଅନ୍‌ ଫାୟାର’ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ପଶ୍ଚାତ୍‌ଧାବନ ‌ବେଳେ ଧୋନି କିମ୍ବା କେଦାର ଯାଦବ ବିଜୟ ଉଦ୍ଦେଶ୍ୟରେ ଖେଳୁଥିବାର ଜଣା ପଡ଼ୁ ନଥିଲା। ମୋର ଭାବନା ହେଉଛି ବିଜୟ ସମ୍ଭାବନା ଜଣାପଡ଼ୁଥିଲେ ସବୁ ବଳ ଖର୍ଚ୍ଚ କରିଦିଅ। ହେଲେ ଭାରତୀୟମାନେ ଏପରି କରିନଥିଲେ। ଧୋନିଙ୍କ ଖେଳିବା ପଦ୍ଧତି ସବୁବେଳେ ସମାନ। ଯଦି ବି ଭାରତ ଜିତି ନପାରେ ତଥାପି ସେ ଶେଷ ପର୍ଯ୍ୟନ୍ତ ମ୍ୟାଚ୍‌କୁ ନେଇଯିବେ। ରନ୍‌ ହାର ବି ଭଲ ରଖିବେ। ଏହି ଭଳି ଆମ ଶିବିରରେ ଆଲୋଚନା ଚାଲିଥିଲା ବୋଲି ଷ୍ଟୋକ୍ସ ଏହି ପୁସ୍ତକରେ ଲେଖିଛନ୍ତି। ଧୋନିଙ୍କ ଏକ ଭଲ ଗୁଣ ହେଉଛି ଫାଇନାଲ୍‌ ଓଭର ପର୍ଯ୍ୟନ୍ତ କ୍ରି‌ଜ୍‌ରେ ରହି ଜିତାଇବା ଏବଂ ହାରିବା ନିଶ୍ଚିତ ହୋଇଥିଲେ ମଧ୍ୟ ସେ ଲକ୍ଷ୍ୟର ନିକଟବର୍ତ୍ତୀ ହେବାକୁ ପସନ୍ଦ କରିଥାନ୍ତି ‌ବୋଲି ଷ୍ଟୋକ୍ସ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ଭାରତର ଦୁଇ ବ୍ୟାଟ୍ସମ୍ୟାନ୍‌ ରୋହିତ ଓ ବିରାଟଙ୍କୁ ଇଂଲଣ୍ଡର ନୂଆ ବଲ୍ ବୋଲର କ୍ରିସ୍ ୱୋକ୍ସ ଓ ଜୋଫ୍ରା ଆର୍ଚର ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ। ଏମାନେ ୧୩୮ ରନ୍‌ ପାଇଁ ରୋହିତ ଏବଂ କୋହଲିଙ୍କ ପ୍ରାୟ ୨୭ ଓଭର ନେଇଥିଲେ। ରୋହିତ ଓ ବିରାଟଙ୍କ ଏଭଳି ଖେଳ ରହସ୍ୟମୟ ଥିଲା। ମୁଁ ଜାଣେ ଆମେ ଚମତ୍କାର ବୋଲିଂ କରିଥିଲୁ। କିନ୍ତୁ ସେମାନେ ଯେଉଁଭଳି ବ୍ୟାଟିଂ କରିଥିଲେ ତାହା ବିଚିତ୍ର ମନେ ହେଉଥିଲା। ସେମାନେ ଏପରି ଖେଳିଥିଲେ ଯେ ଆମ ଦଳ ଉପରେ କୌଣସି ଚାପ ପକାଇବା ଲାଗି ଇଚ୍ଛା ନଥିଲା ଭଳି ଲାଗୁଥିଲା। ଗ୍ୟାପ୍‌ରେ ନ ଖେଳି ଆମ ହାତକୁ ମାରୁଥିଲେ ବୋଲି ଷ୍ଟୋକ୍ସ ପ୍ରକାଶ କରିଛନ୍ତି। କ୍ଷୁଦ୍ର ସୀମା ବିଷୟରେ କୋହଲିଙ୍କ ବ୍ୟାଖ୍ୟା ମୋ ପାଇଁ “ଟିକେ ବିଚିତ୍ର” ଲାଗୁଛି। ମ୍ୟାଚ୍ ପରେ ମୁଁ ଏଭଳି ବିଚିତ୍ର ଅଭିଯୋଗ ଶୁଣି ନଥିଲି। ଏହା ପ୍ରକୃତରେ ସବୁଠାରୁ ଖରାପ ଅଭିଯୋଗ। ଉଭୟ ଦଳକୁ ସମାନ ବଲ୍‌ ଏବଂ ଗୋଟିଏ ସ୍ଥାନରେ ବ୍ୟାଟିଂ କରିବାକୁ ପଡ଼ିବ। ତେବେ ଏଥିରେ କିପରି ଗୋଟିଏ ଦଳ କିମ୍ବା ଅନ୍ୟ ଦଳ ପାଇଁ ଲାଭ ହୋଇପାରିବ? ବୋଲି ସେ ପ୍ରଶ୍ନ କରିଛନ୍ତି। ହେଲେ ଷ୍ଟୋକ୍ସଙ୍କ ଏସବୁ ଅଭିଯୋଗକୁ ଭାରତର ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଖଣ୍ଡନ କରିଛନ୍ତି। ପାକିସ୍ତାନର କିଛି କ୍ରିକେଟର ଭାରତ ଜାଣିଣୁଣି ହାରିଥିଲା ବୋଲି ଅଭିଯୋଗ କରିଛନ୍ତି। ଏହା କିନ୍ତୁ ହାସ୍ୟାସ୍ପଦ ବୋଲି ଆକାଶ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର