୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ କଥା ମନେପକାଇଲେ ଯୁବରାଜ ଯୁବରାଜ : ‘ମୋ ଘରକୁ ପଥର ଫିଙ୍ଗା ଯାଇଥିଲା’

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ ମଙ୍ଗଳବାର ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ କଥା ମନେପକାଇ କହିଛନ୍ତି ଯେ ଫାଇନାଲ୍‌ ପରାଜୟ ପରେ ମୋ ଘରକୁ ପଥର ଫିଙ୍ଗା ଯାଇଥିଲା। ୨୦୦୭ ଟ୍ବେଣ୍ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ବକପ୍‌ରେ ଭାରତ ବିଜେତା ହେବାର ସମସ୍ତ ଶ୍ରେୟ ବିଶେଷକରି ଯୁବରାଜଙ୍କୁ ଦିଆଯାଇଥିଲା। ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଯୁବି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର କରାୟତ୍ତ କରିଥିଲେ। ଫଳରେ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ତାଙ୍କ ଉପରେ ଦଳ ଏବଂ ପ୍ରଶଂସକଙ୍କ ଅଧିକ ଆଶା ରଖିଥିଲା ବେଳେ ସେ ନିରାଶ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ଢାକାରେ ଖେଳାଯାଇଥିବା ଫାଇନାଲ୍‌ରେ ସେ ଧୀମା ଖେଳି ୨୧ ବଲ୍‌ରୁ ୧୧ ରନ୍‌ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ ଭାରତ‌ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ପରାଜୟ ପରେ ଦୁଇଟି ବିଶ୍ବକପ୍‌ର ଏହି ମହାନାୟକ ରାତାରାତି ଖଳନାୟକ ହୋଇଯାଇଥିଲେ। ଯୁବିଙ୍କ ପ୍ରଦର୍ଶନକୁ ନେଇ ଗଣମାଧ୍ୟମ ସମାଲୋଚନା କରିଥିଲା ବେଳେ ପ୍ରଶଂସକମାନେ ‌ତାଙ୍କ ଘରକୁ ଟେକା ପଥର ଫିଙ୍ଗିଥିଲେ।

ବିଶ୍ବକପ୍‌ ଫାଇନାଲ୍‌ରେ ଦୁର୍ଭାଗ୍ୟଜନକ ଭାବେ ଭଲ ଖେଳି ପାରିନଥିଲି। ସେହି ପାଳି ପାଇଁ ମୁଁ ସଂପୂର୍ଣ୍ଣ ଦାୟୀ। ବିଶ୍ବକପ୍‌ ବଦଳରେ ଯଦି ଏହା ଅନ୍ୟ କୌଣସି ମ୍ୟାଚ୍‌ ହୋଇଥାନ୍ତା ତେବେ କିଛି ଅସୁବିଧା ହୋଇନଥାନ୍ତା। ଯେତେବେଳେ ଘରକୁ ଫେରିଲି, ମୋତେ ଲାଗିଲା ଯେ ମୁଁ ଖଳନାୟକ। ମୋର ମନେ ଅଛି ବିମାନବନ୍ଦରରୁ ବାହାରକୁ ଆସିବା ବେଳେ ଗଣମାଧ୍ୟମ ପ୍ରତିନିଧି ବଡ଼ ପାଟିରେ ମୋତେ ପ୍ରଶ୍ନ ପଚାରି ଚାଲିଥିଲେ। ସୌଭାଗ୍ୟବଶତଃ ସେତେବେଳେ ମୋ କାନରେ ହେଡ୍‌ଫୋନ୍‌ ଥିଲା। ମୁଁ ସେମାନଙ୍କ କଥା ନଶୁଣି ବାହାରି ଯାଇଥିଲି ବୋଲି ୩୮ ବର୍ଷୀୟ ଯୁବି ମଙ୍ଗଳବାର ପୁରୁଣା ସ୍ମୃତିକୁ ମନେ ପକାଇ ୟୁଟ୍ୟୁବ୍‌ ପୃ‌ଷ୍ଠା ‘ସ୍ପୋର୍ଟ୍ସସ୍କ୍ରିନ୍‌’ରେ କହିଛନ୍ତି।

ହଁ, ବିଶ୍ବକପ୍‌ ପରାଜୟ ପରେ ଚଣ୍ଡିଗଡ଼ସ୍ଥିତ ମୋ ଘରକୁ ସେତେବେଳେ ପ୍ରଶଂସକମାନେ ଟେକା ପଥର ଫିଙ୍ଗିଥିଲେ। ମୁଁ ମଧ୍ୟ ନିଜକୁ ଦୋଷୀ ମନେ କରିଥିଲି। ମୋତେ ଲାଗୁଥିଲା ମୁଁ କାହାକୁ ଗୁଳି କରି ଜେଲ୍‌ ଆସିଛି। ମୋର ମନେ ଅଛି ସଚିନ ତେନ୍ଦୁଲକର ସେଦିନ ଟ୍ୱିଟ୍ କରି ଲୋକମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମୁଁ ଘରେ ପହଞ୍ଚି ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷରେ ୬ ବଲ୍‌ରେ ୬ ଛକା ମାରିଥିବା ବ୍ୟାଟ୍‌ ପାଖକୁ ଯାଇ ମନେ ମନେ ଭାବିଲି ମୋର କ୍ରିକେଟ୍‌ ଜୀବନ ଏଇଠି ସରିଗଲା ବୋଲି ଗତ ବର୍ଷ କ୍ରିକେଟ୍‌ରୁ ଅବସର ନେଇଥିବା ଯୁବି ପକାଶ କରିଛନ୍ତି। ସେ ଭାରତ ପାଇଁ ୪୦ ଟେଷ୍ଟ୍‌, ୩୦୪ ଦିନିକିଆ ଓ ୫୮ ଟ୍ବେଣ୍ଟି-୨୦ ଖେଲିଥିଲା ବେଳେ ଆଇପିଏଲ୍‌ରେ ମଧ୍ୟ ଅନେକ ଦଳରୁ ପ୍ରତିନିଧିତ୍ବ କରିଛନ୍ତି।

ସମ୍ବନ୍ଧିତ ଖବର