କୋଡିଏର କୋହ : ଝୁରିଲା ଖେଳ ପଡ଼ିଆ

ବିଦାୟ ମାରାଡୋନା, ଅଟକିଗଲା ଅଲିମ୍ପିକ୍ସ

ଅସରନ୍ତି ଉତ୍ସାହ, ଉନ୍ମାଦ, ଉତ୍କଣ୍ଠା ଏବଂ ଅଦ୍ଭୂତପୂର୍ବ ରୋମାଞ୍ଚର ପ୍ରତିଶ୍ରୁତି ନେଇ ଆରମ୍ଭ ହୋଇଥିଲା କ୍ରୀଡ଼ାବର୍ଷ-୨୦୨୦। ବିଶ୍ବସ୍ତରୀୟ କ୍ରୀଡ଼ା ମହୋତ୍ସବର ବିସ୍ତୃତ ସମ୍ଭାର ସହ ଅଲିମ୍ପିକ୍ସ ଆୟୋଜନର ଆବେଗ ଚଳିତ ବର୍ଷକୁ କରିଥିଲା ଅନନ୍ୟ ଓ ଅସାଧାରଣ। ହେଲେ ଅଦୃଶ୍ୟ ଖଳନାୟକର କୁଚକ୍ରୀ ଖେଳରେ ହଠାତ୍ ଯେମିତି ସବୁକିଛି ଓଲଟପାଲଟ ହୋଇଗଲା। ମହାମାରୀ କାରୋନାର ଅଦିନିଆ, ଅସ୍ବାଭାବିକ ତଥା ଅପ୍ରତ୍ୟାଶିତ ପ୍ରହାରରେ ଅସ୍ତବ୍ୟସ୍ତ ହେଲା କ୍ରୀଡ଼ା ଦୁନିଆ। ଖାଁ ଖାଁ ଲାଗିଲା ଖେଳ ପଡ଼ିଆ। ଲକ୍‌ଡାଉନ୍, ସଟ୍‌ଡାଉନ୍‌ରେ ଛଟପଟ ହେଲେ ଖେଳାଳି। ଅବିଶ୍ବସନୀୟ ଭାବେ ସେମାନଙ୍କ ପାଦକୁ ଜାବୁଡ଼ି ଧରିଲା ସଙ୍ଗରୋଧ ଏବଂ ଶାରୀରିକ ଦୂରତା ଭଳି ଅଜଣା ଅଶୁଣା ନିୟମ। ଷ୍ଟାଡିୟମ୍ ହୋଇଥିଲା ଦର୍ଶକଶୂନ୍ୟ। ଆଶା-ଆଶଙ୍କା ଭିତରେ ଆଇପିଏଲ୍ ଭଳି ପ୍ରତିଯୋଗିତା ଆଶାର ଆଲୋକ ଭାବେ ଉଭା ହୋଇଥିଲେ। କ୍ରୀଡ଼ା ଆୟୋଜନର ପଦ୍ଧତି, ପରିଚାଳନା ସହ ଖେଳାଳିଙ୍କ ଆଚାର, ବ୍ୟବହାର କିନ୍ତୁ ସବୁଦିନ ପାଇଁ ବଦଳି ଯାଇଥିଲା। ‘କଠୋର କୋଡ଼ିଏ’ କ୍ରୀଡ଼ା ଜଗତକୁ ଅନେକ କିଛି ନୂଆ ଓ ଆହ୍ବାନପୂର୍ଣ୍ଣ କଥା ଶିଖାଇବା ପରେ ନୂଆବର୍ଷରେ ଖେଳ ପଡ଼ିଆ ପୁଣି ଥରେ ଚଳଚଞ୍ଚଳ ହେବାର ଆଶା।

ବିଦାୟ ମାରାଡୋନା
ଏ ବର୍ଷ ଅନେକ କ୍ରୀଡ଼ା କିଂବଦନ୍ତିଙ୍କ ଅକାଳ ବିୟୋଗ ଘଟିଥିଲା। ହେଲିକପ୍ଟର ଦୁର୍ଘଟଣାରେ ଆମେରିକାର ମହାନ ବାସ୍କେଟବଲ୍ ଖେଳାଳି କୋବେ ବ୍ରିୟାନ୍ତ ଚାଲିଯାଇଥି‌ଲେ। ସେହିଭଳି ଆର୍ଜେଣ୍ଟିନା ତଥା ବିଶ୍ବ ଫୁଟ୍‌ବଲ୍‌ର ମହାନତମ ତଥା ଯଶସ୍ବୀ ଖେଳାଳି ଡିଏଗୋ ମାରାଡୋନାଙ୍କର ହୃଦ୍‌ଘାତରେ ପରଲୋକ ହେବା କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ନିଷ୍ଠୁର ଆଘାତ ଥିଲା। ରିଅଲ ମାଦ୍ରିଦ କିଂବଦନ୍ତି ପାଓଲୋ ରୁସି, ଲୋକପ୍ରିୟ ଡବ୍ଲ୍ୟୁଡବ୍ଲ୍ୟୁଇ କୁସ୍ତି ତାରକା କମଳା ହାରିସ, ଜୋ’ ଲୁରିନାତିସ ମଧ୍ୟ ଚଳିତବର୍ଷ ଇହଲୀଳା ସମ୍ବରଣ କରିଥି‌ଲେ। ବିଶ୍ବକପ୍ ବିଜୟୀ ମହାନ ହକି ତାରକା ବଲବୀର ସିଂହ (ସିନିଅର)ଙ୍କ ପରଲୋକ ଭାରତୀୟ କ୍ରୀଡ଼ା ଜଗତକୁ ମୁରବୀଶୂନ୍ୟ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ କ୍ରିକେଟର୍‌ ଚେତନ ଚୌହ୍ବାନ, ସଞ୍ଜୟ ଦୋବଲ, ପାରାଆଥଲେଟ୍ ରମେଶ ଟିକାରାମ, ପାକିସ୍ତାନୀ କ୍ରିକେଟର୍‌ ରିଆଜ ସେଖ୍, ଜାଫର ସର୍ଫରାଜ, ପାକିସ୍ତାନୀ ସ୍କ୍ବାସ୍ ଖେଳାଳି ଆଜମ ଖାନ୍, ସ୍ପେନ୍‌ର ‌ଲୋକପ୍ରିୟ ଫୁଟବଲ୍ ଖେଳାଳି ଫ୍ରାନସିସ୍କୋ ଗର୍ସିୟା ପ୍ରମୁଖ କରୋନାର ଶିକାର ହୋଇଥିଲେ।

ଅଟକିଗଲା ଅଲିମ୍ପିକ୍ସ

EssentiallySports

୧୨୪ ବର୍ଷର ଆଧୁନିକ ଅଲିମ୍ପିକ୍ସ ଇତିହାସରେ ଯାହା କେବେ ବି ଘଟି ନଥିଲା, ସେକଥା ଚଳିତ ବର୍ଷ ଘଟିଥିଲା। ଆଖିକୁ ଦେଖା ଯାଉ ନଥିବା ଏକ ଭୂତାଣୁ ପାଇଁ ୨୦୦ରୁ ଅଧିକ ଦେଶ ଅଂଶଗ୍ରହଣ କରୁଥିବା ବିଶ୍ବର ଏହି ସର୍ବବୃହତ୍ କ୍ରୀଡ଼ା ମହୋତ୍ସବକୁ ଆୟୋଜକ ଜାପାନ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା। ଅଲିମ୍ପିକ୍ସ ଇତିହାସରେ ଏଭଳି ଅସ୍ବାଭାବିକ କଥା ପ୍ରଥମ ଥର ପାଇଁ ଘଟିଥିଲା। ୧୮୯୬ ମସିହାରୁ ଆରମ୍ଭ ହୋଇଥିବା ଆଧୁନିକ ଅଲିମ୍ପିକ୍ସ ପ୍ରଥମ ପାଞ୍ଚଟି ସଂସ୍କରଣ ନିରବଚ୍ଛିନ୍ନ ଭାବେ ଆୟୋଜିତ ହେବା ପରେ ପ୍ରଥମ ବିଶ୍ବଯୁଦ୍ଧ ପାଇଁ ୧୯୧୬ରେ ଖେଳା ଯାଇପାରି ନଥିଲା। ସେହିଭଳି ଦ୍ବିତୀୟ ବିଶ୍ବଯୁଦ୍ଧ ପାଇଁ ୧୯୩୬ ସଂସ୍କରଣର ୧୨ ବର୍ଷ ପରେ ଅର୍ଥାତ୍ ୧୯୪୮ରେ ପୁନର୍ବାର ଆରମ୍ଭ ହୋଇଥିଲା। ୧୯୪୮ରୁ ୨୦୧୬ ମସିହା ପର୍ଯ୍ୟନ୍ତ କିନ୍ତୁ କ୍ରମାଗତ ଏବଂ ନିରନ୍ତର ଭାବେ ଆୟୋଜିତ ହୋଇ ଆସୁଥିଲା ଅଲିମ୍ପିକ୍ସ। ଏବର୍ଷ ଏହି ଧାରାକୁ କରୋନା ମହାମାରୀ ବଦଳାଇ ଦେଇଥିଲା। ସବୁ ବାଧାବିଘ୍ନ ସତ୍ତ୍ବେ ଚଳିତ ବର୍ଷ ଅଲିମ୍ପିକ୍ସ ଆୟୋଜନ କରିବାକୁ ଜାପାନ ପ୍ରଥମେ ପ୍ରଥମେ ଦମ୍ଭ ଦେଖାଇଥିଲା। ହେଲେ ସଂକ୍ରମଣ ସମଗ୍ର ବିଶ୍ବକୁ କବଳିତ କରିବା ପରେ ବାଧ୍ୟ ହୋଇ ଏହାକୁ ୨୦୨୧କୁ ଘୁଞ୍ଚାଇଥିଲା। ସବୁକିଛି ଠିକ୍ ଠାକ୍ ରହିଲେ ଏବଂ କରୋନା ବିପଦ ଟଳିଥିଲେ ଅଲିମ୍ପିକ୍ସର ପରବର୍ତ୍ତୀ ସଂସ୍କରଣ ଜୁଲାଇ ୨୩, ୨୦୨୧ରୁ ଅଗଷ୍ଟ ୮, ୨୦୨୧ ପର୍ଯ୍ୟନ୍ତ ଖେଳାଯିବ। କ୍ରୀଡ଼ାବିତ୍‌ଙ୍କ ପାଇଁ ଅଲିମ୍ପିକ୍ସ ଅପେକ୍ଷା କିନ୍ତୁ ଆହୁରି‌ ଗୋଟିଏ ବର୍ଷ ବଢ଼ିଛି। ୯ ଜଣ ଭାରତୀୟ ମୁଷ୍ଟିଯୋଦ୍ଧା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଅବଶ୍ୟ ଏକ ସୁଖଦ ଖବର ଥିଲା।

ଜୈବ ବଳୟରେ ଜମିଲା ଆଇପିଏଲ୍‌

Photo: IPL twitter

ହଁ ନାହିଁ ଭିତରେ ସୁଦୂର ୟୁଏଇରେ ଆୟୋଜିତ ହୋଇଥିଲା ଏବର୍ଷର ଆଇପିଏଲ୍। ସଙ୍ଗରୋଧ ଓ ଜୈବ ବଳୟରେ ରହି ଖେଳାଳିମାନେ ବିଶ୍ବର ଏହି ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ଲିଗ୍‌ରେ ନିଜ ନିଜର ଯାଦୁ ଦେଖାଇଥିଲେ। ତେବେ ବିନା ଦର୍ଶକରେ ଖେଳହେବା କେବଳ ଖେଳାଳି ନୁହେଁ, ଆୟୋଜକ ଏବଂ ପ୍ରଶଂସକଙ୍କୁ ବି ନିରାଶ କରିଥିଲା। ଜୈବ ବଳୟର କଡ଼ା ନିୟମ ତଥା କରୋନା ଭୟରେ ହରଭଜନ ସିଂହଙ୍କ ଭଳି ଲୋକପ୍ରିୟ ଖେଳାଳି ୟୁଏଇ ଯିବାକୁ ମନା କରି ଦେଇଥିଲେ। ସୁରେଶ ରାଇନା ତ ଅଧାରୁ ଘରକୁ ଫେରି ଆସିଥିଲେ। ତେବେ ଆଶା ଓ ଆଶଙ୍କା ଭିତରେ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ଭିତରେ ଖେଳା ଯାଇଥିଲା ଆଇପିଏଲ୍‌ର ସବୁଠାରୁ ବିତର୍କିତ ୨୦୨୦ ସଂସ୍କରଣ। ଏବର୍ଷ ୬୦ ମ୍ୟାଚ୍ ଖେଳା ଯାଇଥିଲା। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ବିଜେତା ଆଖ୍ୟା ଅର୍ଜନ କରିଥିଲା। କିଙ୍ଗ ଏକାଦଶ ପଞ୍ଜାବର କେଏଲ୍ ରାହୁଲ ସର୍ବାଧିକ ୬୭୦ ରନ୍ କରିଥିଲା ବେଳେ ଦିଲ୍ଲୀ କ୍ୟାପିଟାଲ୍ସର କାଗିସୋ ରବାଦା ସର୍ବାଧିକ ୩୦ ୱିକେଟ୍ କରାୟତ କରିଥିଲେ। ୨୦ ୱିକେଟ୍ ସହ ୧୧୩ ରନ୍ କରିଥିବା ଜୋଫ୍ରା ଆର୍ଚର ଲିଗ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଅଦ୍ଭୂତପୂର୍ବ କଟକଣା ଭିତରେ ଖେଳା ଯାଇଥିବା ଏହି ପ୍ରତିଯୋଗିତାରେ ଟି ନଟରାଜନ, ନୀତୀଶ ରାଣା, ଈଶାନ କିଶନ, ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଖେଳାଳି ନିଜ ନିଜର ପ୍ରଦର୍ଶନରେ ଭାରତୀୟ କ୍ରିକେଟ୍‌ର ନୂଆ ସମ୍ଭାବନା ଭାବେ ଉଭା ହୋଇଥିଲେ। ଷ୍ଟାଡିୟମରେ ଦର୍ଶକ ନଥିଲେ ମଧ୍ୟ ଆଇପିଏଲ୍‌ର ଟେଲିଭିଜନ ଦର୍ଶକ ସଂଖ୍ୟା ରେକର୍ଡ ସ୍ତର ଛୁଇଁବା ପୁଣି ଥରେ ଏହି ଚର୍ଚିତ ଲିଗ୍‌ର ଲୋକପ୍ରିୟତାକୁ ଦର୍ଶାଇଥିଲା।

ଝାଳ ଲାଳ ଝା‌ମେଲା
ମହାମାରୀ କରୋନାର କରାଳ ରୂପ ଲାଗି କ୍ରିକେଟ୍ କ୍ୟାଲେଣ୍ଡରରେ ବଡ଼ ବିଭ୍ରାଟ ସୃଷ୍ଟି ହୋଇଥିଲା। ସଂକ୍ରମଣ ଭୟରେ ଝାଳ ଓ ଲାଳ ଲଗାଇବା ଉପରେ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଅଙ୍କୁଶ ଜାରି କରିଥିଲା। ସେହିଭଳି ବିନା ଦର୍ଶକରେ ମ୍ୟାଚ୍ ଖେଳାଯିବା ସହ ଖେଳାଳିଙ୍କୁ ସଙ୍ଗରୋଧରେ ରହିବାକୁ କଡ଼ା‌ ନିର୍ଦ୍ଦେଶ ମିଳିଥିଲା। ବାରମ୍ବାର ପରୀକ୍ଷା ଏବଂ କଠୋର ତଥା କଷ୍ଟକର ଜୈବ ବଳୟ ଭିତରେ ଖେଳ ହୋଇଥିଲା। ତେବେ ପାରମ୍ପରିକ ଭାବେ ଖେଳାଳିମାନେ ପରସ୍ପରକୁ ଆଲିଙ୍ଗନ କରିବା. ହାଇଫାଇଭ୍ ଦେଇ ଉତ୍ସବ ପାଳନ କରିବା କେବଳ କ୍ରିକେଟ୍ ନୁହେଁ, ସବୁ ଖେଳରୁ ଦୂର ହୋଇଥିଲା। ଖେଳାଳି ପରସ୍ପର ସହ କରମର୍ଦ୍ଦନ ନ କରି ଗୋଡ଼କୁ ଗୋଡ଼ କିମ୍ବା ମୁଠାକୁ ମୁଠା ଛୁଇଁ ପରସ୍ପରର ଅଭିବାଦନ କରିବା ଭଳି ନୂଆ କଥା ଏବର୍ଷର ଖେଳ ପଡ଼ିଆରେ ଦେଖିବାକୁ ମିଳିଥିଲା। ତେବେ ଝାଳ ଓ ଲାଳକୁ ନେଇ ଚର୍ଚା ଯେମିତି ସମଗ୍ର କ୍ରିକେଟ୍ ବିଶ୍ବକୁ କବଳିତ କରିଥିଲା। ୨୦୨୦ର ଚର୍ଚିତ କ୍ରିକେଟ୍ ବିତର୍କ ମଧ୍ୟରେ ଝାଳ ଓ ଲାଳ ଉପରେ ଅଙ୍କୁଶ ସମ୍ଭବତଃ ସର୍ବାଗ୍ରେ ରହିଥିଲା।

ସମ୍ବନ୍ଧିତ ଖବର