ସବୁ ରେକର୍ଡ ଭାଙ୍ଗିଲା: ମୋରିସ, ଜାମିସନ୍ ଓ ମ୍ୟାକ୍ସୱେଲଙ୍କ ପାଇଁ ଭଣ୍ଡାର ଖୋଲା

ମୋରିସ୍ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ, ବିଫଳତା କମାଇ ପାରିଲାନି ମ୍ୟାକ୍ସୱେଲଙ୍କ ଚାହିଦା

ନୂଆଦିଲ୍ଲୀ, ୧୮ା୨: ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ‘ଆଇପିଏଲ୍‌’ର ବହୁ ପ୍ରତୀକ୍ଷିତ ନିଲାମର ପ୍ରଥମ ଦିନରେ ଅନେକ କୀର୍ତ୍ତିମାନ ଭାଙ୍ଗିଛି। ୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ଲିଗ୍‌ର ପୂର୍ବ ସମସ୍ତ କିଣାବିକା ଦରକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ୍ ମୋରିସ୍ ସବୁଠାରୁ ଦାମୀ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ରାଜସ୍ଥାନ ରୟାଲ୍ସ ଗୁରୁବାର ତାଙ୍କୁ ଆଖିଖୋସି ହେଲାଭଳି ଦର ୧୬.୨୫ କୋଟି ଟଙ୍କାରେ କିଣିଥିଲା। ଫଳରେ ଭାରତୀୟ ବାମହାତୀ ତାରକା ଯୁବରାଜ ସିଂହଙ୍କ ହାତରୁ ଆଇପିଏଲ୍‌ର ସବୁଠୁ ଦାମୀ ଖେଳାଳି ହେବାର ମୁକୁଟ ଖସି ଯାଇଥିଲା। ୨୦୧୫ ମସିହାରେ ଦିଲ୍ଲୀ ଡେୟାରଡେଭିଲ୍ସ ଯୁବିଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା। ଯାହା ଆଜି ସଂଧ୍ୟା ପର୍ଯ୍ୟନ୍ତ ଏକ କୀର୍ତ୍ତିମାନ ହୋଇ ରହିଥିଲା। କିନ୍ତୁ ଚଳିତ ନିଲାମ ଆରମ୍ଭ ହେବାର କିଛି ମିନିଟ୍ ଭିତରେ ଭାଙ୍ଗି ଯାଇଥିଲା। ମୋରିସ୍ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଖେଳାଳି ହେବାର ଗୌରବ ହାସଲ କରିଥିଲା ବେଳେ କର୍ଣ୍ଣାଟକର କୃଷ୍ଣପ୍ପା ଗୌତମ ଅନକ୍ୟାପଡ୍ (କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ‌ଖେଳି ନଥିବା ଖେଳାଳି) ଖେଳାଳି ଭାବେ ନୂଆ ଇତିହାସ ରଚିଛନ୍ତି।

୫୦ ଲକ୍ଷ‌ରେ ବିକ୍ରି ହେଲେ ପୂଜାରା, ଗୌତମ ସବୁଠୁ ଦାମୀ ଅନକ୍ୟାପଡ୍‌ ଖେଳାଳି

ଗୌତମଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ତାଙ୍କ ମୂଳଦର ୨୦ ଲକ୍ଷର ପାଖାପାଖି ୪୮ ଗୁଣ ଅର୍ଥାତ୍ ୯.୨୫ କୋଟି ଟଙ୍କାରେ କିଣି ସମସ୍ତଙ୍କୁ ଚକିତ କରିଦେଇଛି। ସେପଟେ ଗତଋତୁରେ ସଂପୂର୍ଣ୍ଣ ବିଫଳ ହେବା ସତ୍ତ୍ବେ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ଚାହିଦା ପୂର୍ବଭଳି ଅତୁଟ ରହିଛି। ତାଙ୍କୁ ଏପର୍ଯ୍ୟନ୍ତ କେବେ ବି ବିଜେତା ହୋଇ ପାରିନଥିବା ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ୧୪.୨୫ କୋଟି ଟଙ୍କାରେ କିଣିଛି। ଅଷ୍ଟ୍ରେଲିଆର ଝାଏ ରିଚାର୍ଡସନ୍‌ଙ୍କୁ ନିକଟରେ ନାମ ପରିବର୍ତ୍ତନ କରିଥିବା ପଞ୍ଜାବ କିଙ୍ଗ୍ସ ମୂଳଦରଠାରୁ ଯଥେଷ୍ଟ ଅଧିକ ଅର୍ଥାତ୍ ୧୪ କୋଟି ଟଙ୍କାରେ କିଣିଥିଲା। ନ୍ୟୁଜିଲାଣ୍ଡର କାଇଲ ଜାମିସନ୍‌ଙ୍କ ମୂଳଦର ୭୫ ଲକ୍ଷ ଟଙ୍କା‌ ଥିଲା ବେଳେ ବହୁ ଟଣାଓଟରା ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ୧୫ କୋଟିରେ ନେଇଥିଲା। ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଟେଷ୍ଟ୍ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରାଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ତାଙ୍କ ମୂଳଦର ୫୦ ଲକ୍ଷ ଟଙ୍କାରେ କିଣିଥିଲା। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଛି। ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲ୍ଲୀ ୭ କୋଟି (ମୂଳଦର ୨ କୋଟି)ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ବିକ୍ରି ହୋଇଥିଲେ। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଛାଡ଼ିବା ପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କ ମୂଳଦର (୨ କୋଟି)ଠାରୁ ମାତ୍ର ୨୦ ଲକ୍ଷ ଅଧିକ ଟଙ୍କା‌ରେ କିଣି ‌ନେଇଥିଲା।

ଅର୍ଜୁନଙ୍କୁ ନେଲା ମୁମ୍ବାଇ

ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ ତାଙ୍କ ମୂଳଦର ୨୦ ଲକ୍ଷ ଟଙ୍କାରେ କିଣିଛି। ଅର୍ଜୁନ ପ୍ରଥମ ନିଲାମରେ ବିକ୍ରି ହୋଇନଥିଲେ ମଧ୍ୟ ପରେ କିନ୍ତୁ ମୁମ୍ବାଇ ତାଙ୍କୁ ନେଇଥିଲା। ଏହା ପରେ ‌ସଚିନ ଓ ଅର୍ଜୁନ ଗୋଟିଏ ଦଳ ସହ ଯୋଡ଼ି ହେବାରେ ଅନ୍ୟତମ ଭାରତୀୟ ବାପ-ପୁଅ କ୍ରିକେଟର ହୋଇଛନ୍ତି। ଏହା‌ ପୂର୍ବରୁ କୃଷ୍ଣମାଚାରୀ ଶ୍ରୀକାନ୍ତ ଓ ତାଙ୍କ ପୁଅ ଅନିରୁଦ୍ଧ ଶ୍ରୀକାନ୍ତ ଚେନ୍ନାଇ ସୁପରକିଙ୍ଗ୍ସ ଦଳ ସହ ଜଡ଼ିତ ଥିଲେ। ଅର୍ଜୁନ ଚଳିତ ବର୍ଷ ମୁମ୍ବାଇ ବରିଷ୍ଠ ଦଳରେ ସ୍ଥାନ ପାଇବା ପରେ ନିଲାମ ପାଇଁ ଯୋଗ୍ୟ ହୋଇଥିଲେ।

ଶାହରୁଖଙ୍କୁ କିଣିଲେ ପ୍ରୀତି

ଚଳିତ ଆଇପିଏଲ୍ ନିଲାମର ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ତାମିଲନାଡୁ ଅଲରାଉଣ୍ଡର ଶାହରୁଖ ଖାନ୍‌ଙ୍କୁ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଦଳ ପଞ୍ଜାବ କିଙ୍ଗ୍ସ ଅବିଶ୍ବସନୀୟ ଭାବେ ୫.୨୫ କୋଟି ଟଙ୍କାରେ କିଣିନେଇଛି। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଘରୋଇ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିବା ଏହି ଯୁବ ତାରକାଙ୍କୁ ନେବା ଲାଗି କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଶେଷରେ ପଞ୍ଜାବ ବାଜି ମାରି ନେଇଥିଲା। ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ୍ ଫାଇନାଲ୍‌ରେ ମାତ୍ର ୧୯ ବଲ୍‌ରୁ ୪୦ ରନ୍‌ର ପାଳି ଖେଳି ଶାହରୁଖ ହିଁ ତାମିଲନାଡୁକୁ ଫାଇନାଲ୍ ନେଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଗତବର୍ଷ ତାଙ୍କୁ କିନ୍ତୁ କେହି କିଣିନଥିଲେ। ତେବେ ଘରୋଇ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିବା ପରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ଟ୍ରାଏଲ୍ସ ପାଇଁ ଡାକିଥିଲେ। ୨୫ ବର୍ଷୀୟ ଶାହରୁଖଙ୍କ ନାଁ ତାଙ୍କ ପିତାମାତା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ନାମ ଅନୁସାରେ ରଖିଥିଲା ବେଳେ କ୍ରିକେଟ୍ ପଡ଼ିଆକୁ ଆସିବା ପୂର୍ବରୁ ସେ ଜଣେ ସଫଳ ସନ୍ତରଣ ତାରକା‌ ଥିଲେ। ମାତ୍ର ୧୮ ବର୍ଷ ବୟସରେ ସେ ତାମିଲନାଡୁ ପକ୍ଷରୁ ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ୍ ପ୍ରତିଯୋଗିତାରେ ପଦାର୍ପଣ କରିଥି‌ଲେ। ଘରୋଇ କ୍ରିକେଟ୍‌ରେ ସେ ଜଣେ ବିସ୍ଫୋରକ ବ୍ୟାଟର ଭାବେ ପରିଚିତ। ସେ ମଧ୍ୟ ଭଲ ବୋଲିଂ କରନ୍ତି।

ସମ୍ବନ୍ଧିତ ଖବର