ନ୍ୟୁଜିଲାଣ୍ଡ କ୍ରିକେଟ୍‌ରେ ଝଡ଼: ସାଥୀ ଖେଳାଳିଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆଣିଲେ ଟେଲର

ହାମିଲଟନ୍: ‘‘ମୁଁ ଖେଳୁଥିଲା ବେଳେ ଡ୍ରେସିଂ ରୁମ୍‌ରେ ଅନେକ ଥର ବର୍ଣ୍ଣବୈଷମ୍ୟର ଶିକାର ହୋଇଛି। କେବଳ ମୁଁ ନୁହେଁ, ମୋ ଭଳି ଅନେକ କ୍ବିୱି କ୍ରିକେଟର୍‌ ଏଭଳି ଆଶୋଭନୀୟ ଘଟଣାର ସମ୍ମୁଖୀନ ଏକାଧିକବାର ହୋଇଛନ୍ତି।’’ ଏକଦା କାନ୍ଧରେ କାନ୍ଧ ମିଶାଇ ନ୍ୟୁଜିଲାଣ୍ଡ ପାଇଁ ଲଢ଼ୁଥିବା କିଛି ସାଥୀ ଖେଳାଳି ଏବଂ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ (ଏନ୍‌ଜେସି) ଅଧିକାରୀଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ପୂର୍ବତନ ଅଧିନାୟକ ରସ୍ ଟେଲର। ୧୬ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପରେ ଗତ ଏପ୍ରିଲ ମାସରେ ଅବସର ନେଇଥିବା ଟେଲର ନିଜ ଆତ୍ମଜୀବନୀ ‘ବ୍ଲାକ୍ ଆଣ୍ଡ ହ୍ବାଇଟ୍’ରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ଫଳରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ରେ ବଡ଼ ଧରଣର ଆଲୋଡ଼ନ ଓ ଝଡ଼ ସୃଷ୍ଟି ହୋଇଛି।

ନିଜ ଖେଳ ଜୀବନ କଥା ମନେ ପକାଇ ଟେଲର ଲେଖିଛନ୍ତି ଯେ ମୋର ଜଣେ ସାଥୀ ଖେଳାଳି ମୋତେ ନିୟମିତ ଭାବେ କହୁଥିଲେ ଯେ ରସ୍ ତୁମେ ୫୦ ପ୍ରତିଶତ ଭଲ ଲୋକ। ହେଲେ ମୋର କେଉଁ ଅର୍ଦ୍ଧେକ ଭଲ ନୁହେଁ, ସେକଥା ସ୍ପଷ୍ଟ କରୁ ନଥିଲେ। ଆପଣ ବୁଝି ପାରୁଥିବେ ଯେ ସଂପୃକ୍ତ ସାଥୀ ଖେଳାଳି ଜଣକ ମୋର କେଉଁ ଅର୍ଦ୍ଧେକ କଥା‌କୁ ଆକ୍ଷେପ କରୁଥିଲେ। ଏଭଳି ଲେଖା ଲେଖି ନ୍ୟୁଜିଲାଣ୍ଡ ଡ୍ରେସିଂ ରୁମ୍‌ରେ ତାଙ୍କ ମା’ଙ୍କ ରଙ୍ଗ ଓ ଜାତିକୁ ନେଇ କିଭଳି ଥଟ୍ଟା ମଜା କରାଯାଉଥିଲା ତାହା କହିବାକୁ ଚେଷ୍ଟା କରିଛନ୍ତି ଟେଲର। ୩୮ ବର୍ଷୀୟ ଟେଲରଙ୍କ ମା’ ସାମୋଆ ଦେଶର ହୋଇଥିଲା ବେଳେ ତାଙ୍କ ପିତା ହେଉଛନ୍ତି ନ୍ୟୁଜିଲାଣ୍ଡର। ଏଣୁ ସଂପୃକ୍ତ ସାଥୀ ଖେଳାଳିଜଣକ ତାଙ୍କ ମା’ଙ୍କୁ ନେଇ ନିୟମିତ ରଙ୍ଗଭେଦ ମନ୍ତବ୍ୟ ଦେଉଥିଲେ ବୋଲି ପରୋକ୍ଷରେ ସେ ପାଠକମାନଙ୍କୁ ବି ଜଣାଇ‌ ଦେଇଛନ୍ତି। ଟେଲର ଆହୁରି ଲେଖିଛନ୍ତି ଯେ ଯଦି ଜଣେ ପାକେହା (ନ୍ୟୁଜିଲାଣ୍ଡର ଗୋଆ ଅଧିବାସୀ) ଏକଥା ଶୁଣେ, ତାଙ୍କୁ କିଛି ଖରାପ ଲାଗିବନି। କାରଣ ଏହା ତାଙ୍କ ବିଷୟରେ କୁହାଯାଉନି। ସେଥିପାଇଁ ସମସ୍ତେ ଏକଥା ଶୁଣୁଥିଲେ। ହେଲେ କେହି ତାଙ୍କୁ ବାରଣ କରୁନଥିଲେ କିମ୍ବା ଏଭଳି କଟୁ କଥା ନକହିବାକୁ ପରାମର୍ଶ ଦେଉନଥିଲେ। ଏଭଳି ଅନ୍ୟାୟ ବିରୋଧରେ କେହି ଜଣେ ହେଲେ ବି ସ୍ବର ଉତ୍ତୋଳନ କରୁ ନଥିଲେ। କେବେ କେବେ ତାଙ୍କୁ ଆଇନା ଦେଖାଇବାକୁ ମୋର ଇଚ୍ଛା ହେଉଥିଲା। ହେଲେ କୌଣସି ବଡ଼ ଧରଣର ସମସ୍ୟାରେ ପଡ଼ିବାର ଭୟରେ ଅପେ ଆପେ ମୁଁ ପଛଘୁଞ୍ଚା ଦେଉଥିଲି। ଏଣୁ ଚମଡ଼ାକୁ ମୋଟା କରି ଏସବୁ ସହି ଯାଉଥିଲି ବୋଲି ଟେଲର ଆତ୍ମଜୀବନୀ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ଟେଲର ନ୍ୟୁଜିଲାଣ୍ଡ ପାଇଁ ୧୧୨ ଟେଷ୍ଟ୍, ୨୩୬ ଦିନିକିଆ, ୧୦୨ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଟେଲରଙ୍କ ଅଭିଯୋଗ ପରେ କିନ୍ତୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ (ଏନ୍‌ଜେଡ୍‌ସି) ପ୍ରେସ୍ ବାର୍ତ୍ତା ଜାରି କରି କୌଣସି ପ୍ରକାର ଜାତିଆଣ ମନ୍ତବ୍ୟ କିମ୍ବା ରଙ୍ଗଭେଦକୁ ସମର୍ଥନ କରେନି ବୋଲି ସ୍ପଷ୍ଟୀକରଣ ଦେଇଛି। ଟେଲର ଏଭଳି ବ୍ୟବହାରର ସମ୍ମୁଖୀନ ହୋଇଥିବା ନେଇ ଏନ୍‌ଜେଡ୍‌ସି ଦୁଃଖ ପ୍ରକାଶ ବି କରିଛି। ସେହିଭଳି ତାଙ୍କ ସହ ଖୁବଶୀଘ୍ର ବୋର୍ଡ ଯୋଗାଯୋଗ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର