ଅଶ୍ବିନଙ୍କ ‘ଅବସର ଆଉଟ୍’କୁ ନେଇ ଝଡ଼: କ’ଣ କହୁଛି ଏମ୍‌ସିସି କ୍ରିକେଟ୍ ନିୟମ?

ଟ୍ବେଣ୍ଟି-୨୦ରେ ଅବସର ଆଉଟ୍, ଅଶ୍ବିନଙ୍କ ‘ଅବସର ଆଉଟ୍’ ଦଳୀୟ ନିଷ୍ପତ୍ତି: ସାମସନ୍‌

ମୁମ୍ବାଇ: ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ରବିବାର ରାଜସ୍ଥାନ ରୟାଲ୍ସ ସ୍ପିନର ଆର ଅଶ୍ବିନ ଯେଭଳି ସ୍ବେଚ୍ଛାକୃତ ଭାବେ ରିଟାର୍ଡ ଆଉଟ୍ ବା ‘ଅବସର ଆଉଟ୍’ ହୋଇ ପଡ଼ିଆ ଛାଡ଼ିଥିଲେ ତାକୁ ନେଇ ତୁମ୍ବି ତୋଫାନ ଆରମ୍ଭ ହୋଇଯାଇଛି। ଅଶ୍ବିନଙ୍କ ଉପସ୍ଥିତ ବୁଦ୍ଧିକୁ ରାଜସ୍ଥାନ ରୟାଲ୍ସର କ୍ରିକେଟ୍ ନିର୍ଦ୍ଦେଶକ ତଥା ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗା‌କାରା ପ୍ରଶଂସା କରିଛନ୍ତି। ତା’ ସହ ପରିସ୍ଥିତିକୁ ଆକଳନ କରି ଅଶ୍ବିନ ସଠିକ୍ ସମୟରେ ନିଜେ ନିଜକୁ ଆଉଟ୍ କରି ଦେଇଥିଲେ ବୋଲି କହିଛନ୍ତି। କାରଣ ଅଶ୍ବିନଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଯାଇଥିବା ରିୟାନ ପରାଗ ମାତ୍ର ୪ ବଲ୍‌ରୁ ୮ ରନ୍ ଅମଳ କରିଥିଲେ। ଯାହା ଶେଷରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା ଏବଂ ରାଜସ୍ଥାନ ଏହି ମ୍ୟାଚ୍‌କୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୩ ରନ୍‌ରେ ଜିତି ନେଇଥିଲେ। ତେବେ ରାଜସ୍ଥାନ ଓ ଅଶ୍ବିନଙ୍କ ଏହି ରଣନୀତିକୁ ନାପସନ୍ଦ କରିଛନ୍ତି କ୍ରିକେଟ୍ ବିଶେଷଜ୍ଞ। ଏହା ଖେଳୁଆଡ଼ ମନୋଭାବ ବିରୋଧ ବୋଲି ସେମାନେ ମତ ରଖିଛନ୍ତି। ଏଭଳି ସ୍ଥିତିରେ ଏମ୍‌ସିସି କ୍ରିକେଟ୍ ନିୟମ କ’ଣ କହୁଛି? ତାହା ଜଣାଇବାର ଆବଶ୍ୟକତା ଦେଖାଦେଇଛି।

କ’ଣ କହୁଛି ଏମ୍‌ସିସି କ୍ରିକେଟ୍ ନିୟମ?
୧) ଏମ୍‌ସିସି କ୍ରିକେଟ୍ ନିୟମ ୨୫.୪.୧ର ଧାରା ‘ଏ’ କୁହେ ବଲ୍ ଡେଡ୍ ହେବା ପରେ ଜଣେ ବ୍ୟାଟର୍‌ ତା’ ପାଳି ମଧ୍ୟରେ ଯେ କୌଣସି ସମୟରେ ସ୍ବେଚ୍ଛାକୃତ ଭାବେ ବ୍ୟାଟିଂରୁ ଅବସର ନେଇପାରେ। ଏହି ପ୍ରକ୍ରିୟାକୁ ଅନୁମତି ଦେବା ପୂର୍ବରୁ ସଂପୃକ୍ତ ବ୍ୟାଟର୍‌ କିନ୍ତୁ ଅମ୍ପାୟାରଙ୍କୁ ଏହାର କାରଣ କହିବା ଜରୁରୀ।
୨) ନିୟମ ୨୫.୪.୨ ଅନୁସାରେ ଯଦି ଜଣେ ବ୍ୟାଟର୍‌ ଅସୁସ୍ଥତା, ଆଘାତପ୍ରାପ୍ତ ହେବା ଏବଂ ଅନ୍ୟ କୌଣସି ଅନିବାର୍ଯ୍ୟ କାରଣ ପାଇଁ ବ୍ୟାଟିଂରୁ ସ୍ବେଚ୍ଛାକୃତ ଭାବେ ଅବସର ନିଏ, ତାହେଲେ ପରବର୍ତ୍ତୀ ସମୟରେ ସେ ନିଜ ପାଳି ପୁନର୍ବାର ଆରମ୍ଭ କରିବାକୁ ହକଦାର। ଯଦି କୌଣସି କାରଣରୁ ସେ ବ୍ୟାଟିଂ ପାଇଁ ଆସି ପାରନ୍ତି ନାହିଁ, ସେଭଳି ସ୍ଥିତିରେ ସେ ରିଟାର୍ଡ ଆଉଟ୍ ବା ଅବସର ଆଉଟ୍ ଭାବେ ଲିପିବଦ୍ଧ ହୋଇଥା’ନ୍ତି।
୩) ନିୟମ ୨୫.୪.୩ରେ କୁହାଯାଇଛି ଯେ ଯଦି କୌଣସି ବ୍ୟାଟର୍‌ ନିୟମ ୨୫.୪.୨ ଛଡ଼ା ଅନ୍ୟ କୌଣସି କାରଣ ପାଇଁ ନିଜ ତରଫରୁ କ୍ରିଜ୍ ଛାଡ଼ି ଦିଅନ୍ତି, ତାହେଲେ ସଂପୃକ୍ତ ବ୍ୟାଟର୍‌ଙ୍କ ପାଳି କେବଳ ପ୍ରତିପକ୍ଷ ଅଧିନାୟକଙ୍କ ସମ୍ମତିକ୍ରମେ ପୁନର୍ବାର ଆରମ୍ଭ ହୋଇପାରିବ। ଯଦି କୌଣସି କାରଣରୁ ତାଙ୍କ ପାଳି ପୁନର୍ବାର ଆରମ୍ଭ ‌ହୋଇନପାରେ, ସେଭଳି ସ୍ଥିତିରେ ସଂପୃକ୍ତ ବ୍ୟାଟର୍‌ଙ୍କୁ ରିଟାର୍ଡ ଆଉଟ୍ ବା ଅବସର ଆଉଟ୍ ଘୋଷଣା କରାଯାଇଥାଏ।
୪) ଏମ୍‌ସିସି ନିୟମ ୨୫.୪.୪ ମୁତାବକ ଧାରା ୨୫.୪.୨ ଏବଂ ୨୫.୪.୩ର ସର୍ତ୍ତକୁ ପୂରଣ କରି ଅବସର ପରେ ଯଦି କୌଣସି ବ୍ୟାଟର୍ ପୁନର୍ବାର ତାଙ୍କ ପାଳି ଆରମ୍ଭ କରନ୍ତି, ଏହା କେବଳ ଏକ ୱିକେଟ୍ ପତନ ହେବା ପରେ କିମ୍ବା ଅନ୍ୟ ଜଣେ ବ୍ୟାଟର୍‌ ବ୍ୟାଟିଂରୁ ଅବସର ନେବା ପରେ ସମ୍ଭବ ହେବ।

ଟ୍ବେଣ୍ଟି-୨୦ରେ ଅବସର ଆଉଟ୍
ସାହିଦ ଆଫ୍ରିଦି: ପାକିସ୍ତାନିସ୍ ବନାମ ନର୍ଥାଣ୍ଟ୍ସ ଟୁର୍‌ ମ୍ୟାଚ୍‌, ୨୦୧୦
ସୋନମ ଟବଗେ: ଭୁଟାନ ବନାମ ମାଲଦ୍ବୀପ ଟ୍ବେଣ୍ଟି-୨୦, ୨୦୧୯
ସୁଞ୍ଜାମୁଲ ଇସଲାମ: କମିଲା ୱାରିୟର୍ସ ବନାମ ସିସି, ବାଂଲାଦେଶ ପ୍ରିମିୟର ଲିଗ୍, ୨୦୧୯
ଆର ଅଶ୍ବିନ: ରାଜସ୍ଥାନ ରୟାଲ୍ସ ବନାମ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ, ଆଇପିଏଲ୍ ୨୦୨୨

ଅଶ୍ବିନଙ୍କ ‘ଅବସର ଆଉଟ୍’ ଦଳୀୟ ନିଷ୍ପତ୍ତି: ସାମସନ୍‌

ମୁମ୍ବାଇ: ଅଶ୍ବିନଙ୍କ ଅବସର ଆଉଟ୍ ନିଷ୍ପତ୍ତି ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ, ଏହା ଦଳୀୟ ନିଷ୍ପତ୍ତି ଏବଂ ରଣନୀତିର ଅଂଶବିଶେଷ ବୋଲି ବିତର୍କକୁ ଶାନ୍ତ କରିବାକୁ ଯାଇ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ସ୍ପଷ୍ଟ କରି ଦେଇଛନ୍ତି। ଆଇପିଏଲ୍ ଇତିହାସର ପ୍ରଥମ ବ୍ୟାଟର୍‌ ଭାବେ ଅଶ୍ବିନ ‘ଅବସର ଆଉଟ୍’ ହେବା ଉପରେ ନିଜ ମତବ୍ୟକ୍ତ କରିବାକୁ ଯାଇ ସାମସନ୍ କହିଛନ୍ତି ଯେ ଏହା ସମଗ୍ର ରାଜସ୍ଥାନ ରୟାଲ୍ସ ଦଳର କଥା। ଆମେ ସବୁବେଳେ ନୂଆ ନୂଆ କଥା କରିବାକୁ ଚେଷ୍ଟା କରୁ। ଋତୁ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଦଳ ଭିତରେ ଏଥିନେଇ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଆମେ ନିଷ୍ପତ୍ତି ନେଇଥିଲୁ ଯେ ଯଦି ପରିସ୍ଥିତି ଏଭଳି କିଛି ଆବଶ୍ୟକ କରେ, ତାହେଲେ ଆମେ ଏହାକୁ ଉପଯୋଗ କରିବୁ। ଏହା ଏକ ଦଳୀୟ ନିଷ୍ପତ୍ତି।

ସମ୍ବନ୍ଧିତ ଖବର