ଏଲିନାଙ୍କ ମନ୍ତବ୍ୟକୁ ନେଇ ଝଡ଼: ଦିଲୀପ-ଭୋଳାନାଥ ଜାରି କଲେ ମିଳିତ ବିବୃତି, ମତପାର୍ଥକ୍ୟକୁ ଖଣ୍ଡନ

ନୂଆଦିଲ୍ଲୀ: ଇସ୍ତଫା ପରେ ମଙ୍ଗଳବାର ଦେଇଥିବା ପ୍ରଥମ ସାକ୍ଷାତକାରରେ ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ହକି ଇଣ୍ଡିଆର ଗୁମର ଖୋଲିଛନ୍ତି। ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି ଓ ସଂପାଦକ ଭୋଳାନାଥ ସିଂହଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଏବଂ ଉଭୟ ପରସ୍ପରକୁ ଆଡ଼ ଆଖିରେ ଦେଖୁ ନଥିବା କହିବା ସହ ଏଥିପାଇଁ ହକି ଇଣ୍ଡିଆରେ କାମ କରିବା ଅତ୍ୟନ୍ତ କଷ୍ଟକର ହେଉଥିଲା ବୋଲି ନର୍ମାନ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ କିନ୍ତୁ ବୁଧବାର ଦିଲୀପ ଓ ଭୋଳାନାଥ ମିଳିତ ବିବୃତି ଜାରି କରି ଖଣ୍ଡନ କରିଛନ୍ତି। ଏଥିରେ ସେମାନେ କହିଛନ୍ତି, ନିକଟରେ ପଦ ଛାଡ଼ିଥିବା କିଛି ଅଧିକାରୀ ହକି ଇଣ୍ଡିଆରେ ଗୋଷ୍ଠୀ କନ୍ଦଳ ଲାଗିରହିଛି ବୋଲି ଗଣମାଧ୍ୟମକୁ କହିଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ। ଆମେ ସମସ୍ତେ ଏକାଠି ଅଛୁ। ହକିର ସ୍ବାର୍ଥ ପାଇଁ ମିଳିମିଶି କାମ କରୁଛୁ। ହକି ଇଣ୍ଡିଆ ଭାରତୀୟ ହକିର ବିକାଶ ଲାଗି କାମ କରୁଥିବା ଏକ ସ୍ବୟଂଶାସିତ ଓ ପେସାଦାର ସଂସ୍ଥା। ହକି ଓ ହକି ଖେଳାଳିଙ୍କ ବିକାଶକୁ ଆମେ ସବୁବେଳେ ପ୍ରାଥମିକତା ଦେଇଆସିଛୁ। ଭିବିଷ୍ୟତରେ ମଧ୍ୟ ଏହି ଧାରା ଜାରି ରହିବ। ଭାରତୀୟ ମହିଳା ହକି ‌‌ଖେଳାଳିମାନେ ପାତରଅନ୍ତରର ଶିକାର ହେଉଛନ୍ତି ବୋଲି ପୂର୍ବତନ ପ୍ରଶିକ୍ଷକ ୟାନେକ ସୋପ୍‌ମ୍ୟାନ୍ ଆଣିଥିବା ଅଭିଯୋଗର ବି ଉତ୍ତର ରଖିଛନ୍ତି ଭୋଳାନାଥ ଓ ଦିଲୀପ। କହିଛନ୍ତି, ଆମେ ସବୁବେଳେ ସମସ୍ତ ଦଳ ଓ ଖେଳାଳିଙ୍କୁ ସମାନ ଭାବେ ଦେଖିଆସିଛୁ। ରାଜ୍ୟ, ଜାତୀୟ ଓ ତୃଣମୂଳସ୍ତରରୁ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଦେଇଛୁ। ବିଶ୍ବସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲାଗି ବିନା ଭେଦଭାବରେ ଆମର ସବୁ ଦଳକୁ ଆବଶ୍ୟକ ସାଜସରଞ୍ଜାମ ଓ ସମର୍ଥନ ଯୋଗାଇ ଦିଆଯାଉଛି। ହକି ଇଣ୍ଡିଆରେ ପ୍ରତିଭା ଚିହ୍ନଟ, ବିକାଶ ଏବଂ ସେମାନଙ୍କ ପରିଚାଳନା ସଂପୂର୍ଣ୍ଣ ଭାବେ ପେସାଦାର ଢଙ୍ଗରେ କରାଯାଉଛି।

ସୂଚନାଯୋଗ୍ୟ ଯେ ନର୍ମାନ ଗତକାଲି କହିଥିଲେ ଯେ ହକି ଇଣ୍ଡିଆ ଏବେ ଦୁଇଫାଳ ହୋଇଛି। ଗୋଟିଏ ପଟେ ମୁଁ ଓ ସଭାପତି ଦିଲୀପ ତିର୍କି ଥିଲା ବେଳେ ଅନ୍ୟପଟେ ସଂପାଦକ ଭୋଳାନାଥ ସିଂହ, କାର୍ଯ୍ୟକାରୀ ନିର୍ଦ୍ଦେଶକ କେ. ଶ୍ରୀବାସ୍ତବ ଓ କୋଷାଧ୍ୟକ୍ଷ ଜେ. ମନମୋହନ ଅଛନ୍ତି। ଭୋଳାନାଥଙ୍କ ଗୋଷ୍ଠୀ ସବୁବେଳେ କ୍ଷମତା ଉପଭୋଗ କରିବାକୁ ଚାହାନ୍ତି। ଦିଲୀପ କିନ୍ତୁ ଜଣେ ଭଲ ମଣିଷ। ସେ ସବୁବେଳେ ହକି ବିକାଶ କଥା ଚିନ୍ତା କରନ୍ତି। ଏଭଳି ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ ଦିଲୀପ ଓ ଭୋଳାନାଥ କହିଛନ୍ତି, ଏବେ ଆମର ପ୍ରଥମ ଲକ୍ଷ୍ୟ ହେଲା ଭାରତୀୟ ଦଳକୁ ବିଜୟ ଧାରାକୁ ଫେରାଇ ଆଣିବା। ଏହି ଦିଗରେ ଆମେ ନିରନ୍ତର ପ୍ରୟାସ କରିବା ଜାରି ରଖିବୁ। ସେମାନଙ୍କୁ ବିଶ୍ବସ୍ତରୀୟ ଭିତ୍ତିଭୂମି, ଉତ୍ତମ ପ୍ରଶିକ୍ଷଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବୁ। ସେହିଭଳି ପୁରୁଷ ଦଳ ଯେଭଳି ପୁଣି ଥରେ ଅଲିମ୍ପିକ୍ସ ପୋଡିୟମ୍‌ରେ ଛିଡ଼ା ହେବ, ସେ ଦିଗରେ ମଧ୍ୟ ଚେଷ୍ଟା ଜାରି ରହିବ।

ସମ୍ବନ୍ଧିତ ଖବର