ଇଂଲଣ୍ଡ ଗସ୍ତର କାହାଣୀ: ଶାସ୍ତ୍ରୀଙ୍କ ପରେ କୋହଲିଙ୍କ ମୁହଁ ଫୁଟାଣି

‘ବଡ଼ ଧରଣର ଅଦଳ ବଦଳ ଆବଶ୍ୟକତା ନାହିଁ’

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ୧-୪ର ଶୋଚନୀୟ ପରାଜୟ ପରେ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମୁହଁ ଫୁଟାଣି ବନ୍ଦ ହୋଇନାହିଁ। ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ତଥ୍ୟହୀନ ଦାବି ସହ ଏକମତ ହୋଇ ସାଂପ୍ରତିକ ଭାରତୀୟ ଦଳ ବିଗତ ୧୫ ବର୍ଷ ମଧ୍ୟରେ ଇଂଲଣ୍ଡ ଯାଇଥିବା ସମସ୍ତ ଭାରତୀୟ ଦଳ ମଧ୍ୟରେ ଶ୍ରେଷ୍ଠ ବୋଲି କୋହଲି ପରୋକ୍ଷରେ ଦାବି କରିଛନ୍ତି। ଭାରତ ଏକ ନମ୍ବର ଦଳ ହୋଇ ମଧ୍ୟ ଟେଷ୍ଟ୍‌ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଦଳ ଆଗରେ ଆତ୍ମସମର୍ପଣ କରିବା ନେଇ ମଧ୍ୟ ସେ ବିଶେଷ ଚିନ୍ତିତ ଥିଲା ଭଳି ମନେ ହେଉନାହାନ୍ତି। ସେଥିପାଇଁ ଦଳରେ କୌଣସି ବଡ଼ ଧରଣର ଅଦଳ ବଦଳର ଆବଶ୍ୟକତା ନାହିଁ ବୋଲି କୋହଲି ଦାବି କରିଛନ୍ତି। ଏହି ଶୃଙ୍ଖଳା ଏମିତି କାହିଁକି ଶେଷ ହେଲା ଆମେ ଜାଣିଛୁ, କୌଣସି ବଡ଼ ଭୁଲ କରିଛୁ କିମ୍ବା ଏହାକୁ ସୁଧାରିବାର ଆବଶ୍ୟକତା ରହିଛି ବୋଲି ଆମେ ଅନୁଭବ କରୁନାହୁଁ ବୋଲି କୋହଲି ଲଣ୍ଡନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏପରିକି ଜଣେ ସାମ୍ବାଦିକ ଏଥିସହ ଏକମତ ନହେବା ପରେ ଏହା ଆପଣଙ୍କ ମତ କହି କୋହଲି ତାଙ୍କୁ ଚୁପ୍‌ କରିବାକୁ ଚେଷ୍ଟା କରିଥିଲେ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ପରିସଂଖ୍ୟାନ କୋହଲି ଦାବି କରିଥିବା କଥା ସହ ମେଳ ଖାଉନାହିଁ। କାରଣ କେବଳ ଇଂଲଣ୍ଡ ନୁହେଁ, ଦକ୍ଷିଣ ଆଫ୍ରିକାରେ ମଧ୍ୟ ଭାରତ ସମାନ ଫଳ ପାଇଥିଲା। ତେବେ ଦଳରେ ଅନେକ ଦୁର୍ବଳତା ଥିବା ସେ ସ୍ୱୀକାର କରିଛନ୍ତି। ଏହି ବିଷୟରେ ନିଜ ମତ ରଖିବାକୁ ଯାଇ କୋହଲି କହିଛନ୍ତି ଯେ ଆମ ଶକ୍ତିକୁ ଆମେ ଭଲ ଭାବେ ଉପଯୋଗ କରି ପାରିଲୁ ନାହିଁ। ଏଥିରୁ ଯେତିକି ଲାଭ ଉଠାଇବା କଥା, ସେତିକି କରି ପାରିଲୁ ନାହିଁ। ଏହା ହିଁ ଆମ ପରାଜୟର ମୁଖ୍ୟ କାରଣ। ଏହି ଅବସରରେ ସେ ଭାରତୀୟ ଦ୍ରୁତ ବୋଲରଙ୍କୁ ପ୍ରଶଂସା କରିଥିଲେ। ସେହିଭଳି ଶୃଙ୍ଖଳାରେ ଭଲ ଆରମ୍ଭ କରିବାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ଆମକୁ ଶୃଙ୍ଖଳାରେ ଭଲ ଆରମ୍ଭ କରିବାକୁ ହେବ। କାରଣ ପ୍ରଥମ ମ୍ୟାଚ୍‌ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେଥିପାଇଁ ଆମକୁ ମାନସିକ ସ୍ତରରେ ଆହୁରି ସୁଦୃଢ଼ ହେବାକୁ ପଡ଼ିବ। ଠିକଣା ସମୟରେ ଆକ୍ରମଣ କରିପାରିଲେ ହିଁ ଆମେ ସଫଳ ହୋଇପାରିବୁ। ଭବିଷ୍ୟତରେ ଆମେ ଏହା ଉପରେ ଧ୍ୟାନ ଦେବୁ। ମ୍ୟାଚ୍‌ର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତରୁ ଫାଇଦା ଉଠାଇ ପାରିଲେ ସଫଳତା ଆପେ ଆପେ ମିଳିବ ବୋଲି କୋହଲି କହିଥିଲେ।

ସଫଳ ବ୍ୟାଟ୍ସମ୍ୟାନ୍‌, ବିଫଳ ଅଧିନାୟକ
ନୂଆଦିଲ୍ଲୀ: ୨୦୧୪ ଇଂଲଣ୍ଡ ଗସ୍ତ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଦୁଃସ୍ୱପ୍ନ ପାଲଟିଥିଲା। ୨୦୧୮ରେ କିନ୍ତୁ ବ୍ୟକ୍ତିଗତ ଭାବେ ବିରାଟ ସଫଳତାର ଶୀର୍ଷ ଛୁଇଁଲେ। ଶୃଙ୍ଖଳାର ସର୍ବାଧିକ ରନ୍‌ ସଂଗ୍ରହକାରୀ ହେଲେ। ସେହିଭଳି କେବଳ ଭାରତ ନୁହେଁ, ବିଶ୍ୱର ଯେକୌଣସି ସ୍ଥାନରେ ରନ୍‌ କରିବାର ଦକ୍ଷତା ତାଙ୍କ ପାଖରେ ଅଛି ବୋଲି ପ୍ରମାଣିତ କଲେ। ଖାଲି ସେତିକି ନୁହେଁ, ସମସାମୟିକ ବ୍ୟାଟ୍ସମ୍ୟାନଙ୍କଠାରୁ ସେ ବହୁ ଆଗରେ ବୋଲି ମଧ୍ୟ ବିରାଟ ଦେଖାଇ ଦେଲେ। ହେଲେ ଅଧିନାୟକ ଭାବେ ପୂରା ବିଫଳ ହେଲେ। ତାଙ୍କ ନେତୃତ୍ୱ ଦକ୍ଷତା ଯେ ଏବେ ବି ଅପରିପକ୍ୱ ରହିଛି ତାହା ସ୍ପଷ୍ଟ ହୋଇଗଲା। ୧-୪ର ପରାଜୟରେ ଲିଡ୍ସ ଟେଷ୍ଟ୍‌କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ମ୍ୟାଚ୍‌ରେ ଇଂଲଣ୍ଡ ତାଙ୍କର ସବୁ ଯୋଜନାକୁ ପଣ୍ଡ କରିବାକୁ ସକ୍ଷମ ହେଲା। ଶୃଙ୍ଖଳାରେ ବିରାଟ ୨ ଶତକ ଏବଂ ୩ ଅର୍ଧଶତକ ବଳରେ ୫୯୩ ରନ୍‌ କଲେ। ଜେମ୍ସ ଆଣ୍ଡରସନଙ୍କ ସହ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା ବେଶ୍‌ ରୋଚକ ଥିଲା। ପିଚ୍‌ ପଢ଼ିବାଠାରୁ ଆରମ୍ଭ କରି ଖେଳାଳି ଚୟନ ପର୍ଯ୍ୟନ୍ତ ଅଧିନାୟକ ଭାବେ ସେ ଯେମିତି ଅଧିକାଂଶ ବିଭାଗରେ ସେହି ସଫଳତା ପାଇଲେ ନାହିଁ। ଏପରିକି ଗୋଟିଏ ହେଲେ ଟସ୍‌ ବିରାଟଙ୍କ ସପକ୍ଷରେ ଯାଇ ନଥିଲା। ସେହିଭଳି ମାତ୍ର ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଖେଳିବାର ଗୁରୁତର ଭୁଲ ସେ କରିଥିଲେ। ଚେତେଶ୍ୱର ପୂଜାରାଙ୍କ ଉପରେ ଆସ୍ଥା ପ୍ରକଟ ନକରିବା, ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ମାତ୍ରାଧିକ ବିଶ୍ୱାସ ଦେଖାଇବା, କରୁଣ ନାୟରଙ୍କୁ ପୂରା ଶୃଙ୍ଖଳାରେ ସୁଯୋଗ ନେଦେବା ଭଳି ବିବାଦୀୟ ନିଷ୍ପତ୍ତି ହିଁ ତାଙ୍କ ପାଇଁ କାଳ ହେଲା। ଅନ୍ୟପକ୍ଷରେ ଇଂଲଣ୍ଡ ଠିକଣା ସମୟରେ ତା’ ଯୁଗ ଏବଂ ଅଭିଜ୍ଞ ଖେଳାଳିଙ୍କୁ ସୁଯୋଗ ଦେଇ ସଫଳ ହେଲା।

ଶୀର୍ଷକୁ ଫେରିଲେ
ଦୁବାଇ,: ଇଂଲଣ୍ଡ ନିକଟରୁ ଭାରତ ୧-୪ରେ ୫ ଟିକିଆ ଟେଷ୍ଟ ଶୃଙ୍ଖଳା ହାରିଗଲା। ହେଲେ ଅଧିନାୟକ ବିରାଟ କୋହଲି ଏହି ଶୃଙ୍ଖଳାରେ ଦମ୍‌ଦାର ପ୍ରଦର୍ଶନ ପାଇଁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଭାବେ ଶୃଙ୍ଖଳା ଶେଷ କଲେ। ଏହି ଶୃଙ୍ଖଳା ପୂର୍ବରୁ ତାଙ୍କଠୁ ୨୭ ପଏଣ୍ଟ୍‌ ଆଗରେ ରହି ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ ଆଇସିସି ଟେଷ୍ଟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ଶୀର୍ଷରେ ରହିଥିଲେ। ହେଲେ ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ ଶୃଙ୍ଖଳାରେ ମୋଟ ୫୯୩ ରନ୍‌ କରିବା ପରେ କୋହଲି ଆଇସିସି ମାନ୍ୟତାର ଶୀର୍ଷକୁ ଲମ୍ଫ ଦେଇଛନ୍ତି। ଫଳରେ କୋହଲି (୯୩୦) ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ସ୍ମିଥ୍‌ (୯୨୯)ଙ୍କଠୁ ୧ ପଏଣ୍ଟ୍‌ ଆଗୁଆ ହୋଇଯାଇଛନ୍ତି। ଇଂଲଣ୍ଡ୍‌ ବିପକ୍ଷ ଶୃଙ୍ଖଳାର ଏଜ୍‌ବାଷ୍ଟନ ଟେଷ୍ଟ ପରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ। ଏହାପରେ ଟ୍ରେଣ୍ଟ୍‌ ବ୍ରିଜ୍‌ ଟେଷ୍ଟ ଶେଷରେ ପୁଣି ଥର ଏହି ସ୍ଥାନକୁ ଫେରିଥିଲେ। ଆଉ ଶୃଙ୍ଖଳା ଶେଷରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ମାନ୍ୟତାକୁ ଦୃଢ଼ କଲେ। ଏହି ମାନ୍ୟତାକୁ ବଜାୟ ରଖିବା ପାଇଁ କୋହଲିଙ୍କୁ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟେଷ୍ଟ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କୋହଲି ଶୀର୍ଷକୁ ଫେରିଥିଲା ବେଳେ ପଞ୍ଚମ ତଥା ଶେଷ ଟେଷ୍ଟରେ ଶତକୀୟ ପାଳି ଖେଳିଥିବା ଅନ୍ୟ ଦୁଇ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଲୋକେଶ ରାହୁଲ୍‌ ଓ ଋଷଭ ପନ୍ତ୍‌ ମାନ୍ୟତାରେ ଲମ୍ଫ ମାରିଛନ୍ତି। ରାହୁଲ୍‌ ୧୬ସ୍ଥାନ ଉଠି ୧୯ରେ ଏବଂ ପନ୍ତ୍‌ ୬୩ ସ୍ଥାନ ଲମ୍ଫ ମାରି ୧୧୧ତମ ସ୍ଥାନ ପାଇଛନ୍ତି। ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା (ପ୍ରଥମ ପାଳିରେ ଅପରାଜିତ ୮୬) ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାରେ ୧୨ ସ୍ଥାନ ଉଠି ୫୮ରେ ପହଞ୍ଚିଥିଲା ବେଳେ ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ଦ୍ୱିତୀୟରେ ରହିଛନ୍ତି। ଅନ୍ୟପକ୍ଷରେ ଓଭାଲ୍‌ରେ ବିଦାୟୀ ଟେଷ୍ଟ ଖେଳିଥିବା ଆଲିଷ୍ଟର କୁକ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାରେ ଶୀର୍ଷ-୧୦ରେ ପହଞ୍ଚିଛନ୍ତି। ସେ ୧୧ ସ୍ଥାନ ଲମ୍ଫ ମାରିଛନ୍ତି।

ସମ୍ବନ୍ଧିତ ଖବର