ଭୁବନେଶ୍ବର: ଦିନେ କି ଦୁଇଦିନ ନୁହେଁ, ୮ଦିନ ହେଲାଣି ରାତି ଦିନ ଅନବରତ ଜଳୁଛି ଷ୍ଟ୍ରିଟ୍ ଲାଇଟ୍। ବରମୁଣ୍ଡା ଗାଁ ଭିତରେ ଲାଗିଥିବା ଏଲ୍ଇଡି ଲାଇଟ୍ ଆଉ ବନ୍ଦ ହେବାର ନାଁ ଧରୁନି। ଏହି ଲାଇଟ୍ ସ୍ବୟଂଚାଳିତ ହୋଇଥିଲେ ହେଁ ବୈଷୟିକ ତ୍ରୁଟି ସୁଧାରି ପାରୁନାହିଁ ଠିକାଦାରୀ ସଂସ୍ଥା। ଏନେଇ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି। ଏତେଦିନ ଧରି ଲାଇଟ୍ ଜଳୁଥିବାରୁ ବର୍ତମାନ ସୁଦ୍ଧା ପାଖାପାଖି ୨୦ଟି ସ୍ଥାନରେ ଏଲ୍ଇଡି ଲାଇଟ୍ ସମ୍ପୂର୍ଣ୍ଣ ଅଚଳ ହୋଇଗଲାଣି। ଅଥଚ ଏନେଇ କାହାର ବି ନିଘା ନାହିଁ। ବିଦ୍ୟୁତ ଖର୍ଚ କମାଇବା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। ମାତ୍ର ଆବଶ୍ୟକୀୟ ପରିଚାଳନା ଅଭାବରୁ ବହୁଦିନ ଧରି ଏଲ୍ଇଡି ଲାଇଟ୍ ଜଳି ରହୁଥିବାରୁ ନଷ୍ଟ ହୋଇଯାଉଛି। ଖର୍ଚ ନିୟନ୍ତ୍ରଣ ପାଇଁ ବିଏମ୍ସି ଯୋଜନା କରୁଛି। ଅଥଚ ଏପଟେ ବୈଷୟିକ ତ୍ରୁଟି ଯୋଗୁଁ ଲାଇଟ୍ଗୁଡ଼ିକ ଶୀଘ୍ର ଖରାପ ହୋଇଯାଉଛି। ଏନେଇ ବିଏମ୍ସିର ବିଦ୍ୟୁତ ବିଭାଗ ଜେଇ ରଂଜନ ମିଶ୍ରଙ୍କୁ ପଚାରିବାରେ ସେ କହିଥିଲେ, ଏହାର ପରିଚାଳନା ଦାୟିତ୍ବରେ ଇ-ସ୍ମାର୍ଟ ଏନର୍ଜି ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ରହିଛି। ଏନେଇ ଉକ୍ତ ସଂସ୍ଥାକୁ ଅବଗତ କରାଯାଇଛି। ମାତ୍ର ଏ ବାବଦରେ ସଂପୃକ୍ତ ସଂସ୍ଥାକୁ ପଚାରିବାରୁ ସେମାନେ ଜାଗା ପାଉ ନଥିବା କହିଛନ୍ତି। ସମ୍ପୃକ୍ତ ୱାର୍ଡର କର୍ପୋଟେର୍ ସୁଜିତ ସ୍ବାଇଁ କହିଛନ୍ତି ଯେ, ଏ ବାବଦରେ ସମ୍ପୃକ୍ତ ଠିକାଦାରୀ ସଂସ୍ଥା ନିକଟରେ ବାରମ୍ବାର ଅଭିଯୋଗ କରାଯାଇଛି। ହେଲେ କେହି ଶୁଣୁନାହାନ୍ତି। ଖାଲି ସେତିକି ନୁହେଁ, ବରମୁଣ୍ଡା ଓଭରବ୍ରିଜ୍ ଜାତୀୟ ରାଜପଥରୁ ନୂଆ ଶହେ ଫୁଟିଆ ରୋଡ୍ ଆଡ଼କୁ ଯାଇଥିବା ଆପିକଲ୍ ରାସ୍ତାରେ ବର୍ଷେ ତଳୁ କନ୍ଭେନ୍ସନାଲ୍ ଲାଇଟ୍ ହଟାଯାଇ ଏଲ୍ଇଡି ଲଗାଯିବ ବୋଲି କୁହାଯାଇଥିଲା। ତାହା ବି ଏପର୍ଯ୍ୟନ୍ତ ହୋଇପାରିନାହିଁ। ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଷ୍ଟ୍ରିଟ୍ ଲାଇଟ୍ର ଗୁରୁତ୍ବ ରହିଥିଲେ ହେଁ ଏହି ରାସ୍ତାରେ ଆଲୋକୀକରଣ ପାଇଁ ବର୍ଷେ ହେଲା ଗୁରୁତ୍ବ ଦିଆଯାଇ ନାହିଁ। ଏହି ରାସ୍ତାରେ ୨ଥର ବୋମାମାଡ଼ ହେଲାଣି। କିଛି ବ୍ୟକ୍ତି ଲୁଟ୍ର ବି ଶିକାର ହୋଇଛନ୍ତି। ତେଣୁ ଉକ୍ତ ରାସ୍ତାରେ ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଦାବି ହୋଇଛି। ଏଥିସହ ପ୍ରଶାସନ ଯେଉଁ ଲକ୍ଷ୍ୟ ନେଇ ବିଦ୍ୟୁତ ଖର୍ଚ ନିୟନ୍ତ୍ରଣ କରିବା ପାଇଁ ଏଲ୍ଇଡି ଲାଇଟ୍ର ବ୍ୟବସ୍ଥା କରୁଛି ସେହି ଲକ୍ଷ୍ୟ ପୂରଣ ପାଇଁ ବୈଷୟିକ ଦିଗକୁ ଗୁରୁତ୍ବ ଦେବାକୁ ଦାବି ହୋଇଛି।
ଦିନରାତି ଜଳୁଛି ଷ୍ଟ୍ରିଟ୍ ଏଲ୍ଇଡି
/sambad/media/post_attachments/wp-content/uploads/2018/10/light.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)