ଟି-୨୦ ସ୍ଲୋ ଓଭର ରେଟ୍ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା

ଦୁବାଇ: ପୁରୁଷ ହେ‌ଉ କି ମହିଳା କ୍ରିକେଟ୍‌, ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ବେଳେ ମନ୍ଥର ବୋଲିଂ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ପ୍ରଣୟନ କରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)। ଆର୍ଥିକ କି ପଏଣ୍ଟ ନୁ‌ହେଁ ମ୍ୟାଚ୍‌ ଚାଲିଥିବା ବେଳେ ଦଣ୍ଡ ଲାଗୁ କରାଯିବ। ଆଇସିସି ଆଚରଣ ସଂହିତାରେ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ଥିବା ଧାରା ୨.୨୨ ଉପଧାରା ୧୩.୮ ଅନୁସାରେ କୌଣସି ଦଳ ସ୍ଲୋ ଓଭର ରେଟ୍‌ରେ ବୋଲିଂ କରୁଥିଲେ ଫିଲ୍ଡଡିଂ କଟକଣାକୁ ବଢ଼ାଇ ଦିଆଯିବ।

ଶେଷ ଓଭର ବୋଲିଂ ଆରମ୍ଭ‌‌ ବେଳକୁ ଯଦି ଧାର୍ଯ୍ୟ ସମୟ (୮୫ତମ ମିନିଟ୍‌) ଗଡ଼ିଯାଇଥିବ ‌ତେବେ ୩୦ ଗଜ ବାହାରେ ୫ ବଦଳରେ ୪ ଜଣ ‌ଖେଳାଳିଙ୍କୁ ରହିବାକୁ ଦିଆଯିବ। ପୂର୍ବ ନିୟମ ଅନୁସାରେ ପ୍ରଥମ ୬ ଓଭର ପରଠାରୁ ୫ ଜଣ ସର୍କଲ ବାହାରେ ରହୁଥିବା ବେଳେ ଦଣ୍ଡସ୍ବରୂପ ଏବେ ୪କୁ କମାଇ ଦିଆଯାଇପାରିବ ବୋଲି ଆଇସିସି ଏହାର ସଂଶୋଧିତ ନିୟମରେ ଉଲ୍ଲେଖ କରିଛି। କୌଣସି କାରଣରୁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥି‌ଲେ ସେହି ସମୟକୁ ମିଶାଇ ତୃତୀୟ ଅମ୍ପାୟାର୍‌ ଶେଷ ଓଭର ପ୍ରଥମ ବଲ୍ ପଡ଼ିବା ବେଳକୁ ଏହି ନିଷ୍ପତ୍ତି ନେବେ। ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପ୍ରତି ପାଳିର ମଝିରେ ଏକ ଅଢ଼େଇ ମିନିଟିଆ ଇଚ୍ଛାଧୀନ ବିରତି ରଖିବାକୁ ଆଇସିସି ପ୍ରସ୍ତାବ ଦେଇଛି। ଏଥିପାଇଁ କିନ୍ତୁ ଶୃଙ୍ଖଳା ଆରମ୍ଭ ପୂର୍ବରୁ ଦୁଇ ଦେଶର କ୍ରିକେଟ୍ ବୋର୍ଡ ସହମତି ପ୍ରକାଶ କରିଥିବା ଆବଶ୍ୟକ।

ନୂଆ ନିୟମ ଜାନୁଆରି ୧୬ ତାରିଖରେ ୱେଷ୍ଟଇଣ୍ଡିଜ୍ ଓ ଆୟର୍ଲାଣ୍ଡ୍‌ ମଧ୍ୟରେ ଖେଳାଯିବାକୁ ଥିବା ଏକମାତ୍ର ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ଲାଗୁ ହେବ। ମହିଳା ମୁକାବିଲାରେ ପ୍ରଥମ ଥର ଏହା ଜାନୁଆରି ୧୮ରେ ସେଞ୍ଚୁରିଅନ୍‌ରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟ୍ବେଣ୍ଟି-୨୦ରୁ ପ୍ରଣୟନ କରାଯିବ।

ସମ୍ବନ୍ଧିତ ଖବର