ଭୁବନେଶ୍ବର: ଘରୋଇ କ୍ରିକେଟ୍ର ଅନ୍ୟତମ ସୁପରିଚିତ ନାଁ ହେଉଛନ୍ତି ଅଲରାଉଣ୍ଡର୍ ଅଭିଷେକ ରାଉତ। ମୁମ୍ବାଇ, ଗୋଆ ଓ ମହାରାଷ୍ଟ୍ର ସହ ଓଡ଼ିଶା ପକ୍ଷରୁ ଗତ ଦୁଇ ଦଶନ୍ଧି ହେବ ପ୍ରଥମଶ୍ରେଣୀ, ଲିଷ୍ଟ୍ ‘ଏ’ ଓ ଟ୍ବେଣ୍ଟି-୨୦ ସେ ଖେଳି ଆସୁଛନ୍ତି। କେବଳ ସେତିକି ନୁହେଁ, ଏକାଧିକ ଆଇପିଏଲ୍ ବି ଖେଳିଛନ୍ତି ଅଭିଷେକ ବିଜୟ ହଜାରେ ଟ୍ରଫିରେ ଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ହେଲେ ତାଙ୍କୁ ନିୟମିତ ଭାବେ ଓଡ଼ିଶା ଚୟନକର୍ତ୍ତାମାନେ ଅବହେଳା କରି ଆସୁଥିବା ଅଭିଯୋଗ ହୋଇଛି। ୨୦୨୩-୨୪ରେ ସେ କେବଳ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଏବର୍ଷ କଳାହାଣ୍ଡି କପ୍ରେ ଭଲ କରିବା ସତ୍ତ୍ବେ ରାଜ୍ୟ ରଣଜୀ ଦଳରେ ବିନା କୌଣସି କାରଣ ଓ ନୋଟିସ୍ରେ ତାଙ୍କୁ ସ୍ଥାନ ନଦେଇ ଚୟନକର୍ତ୍ତା ଘୋର ଅବିଚାର କରିଛନ୍ତି
ବୋଲି କ୍ଷୋଭର ସହ ସେ ‘ସମ୍ବାଦ’କୁ କହିଛନ୍ତି।
୨୦୧୭-୧୮ ଋତୁରେ ଓଡ଼ିଶା ଦଳରେ ଯୋଗ ଦେଇଥିଲେ ଅଭିଷେକ। ୨୦୨୨-୨୩ ପର୍ଯ୍ୟନ୍ତ ସଫଳତାର ସହ ଖେଳି ତୁଳନାତ୍ମକ ଭାବେ ଭଲ କରିଛନ୍ତି। ଏକଦା ଓଡ଼ିଶାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏପରିକି ଗତବର୍ଷ ବିଜୟ ହଜାରେ ଟ୍ରଫିରେ ଅଭିଷେକଙ୍କ ଧୈର୍ଯ୍ୟପୂର୍ଣ୍ଣ ଅପରାଜିତ ୩୫ ରନ୍ ପାଳି (୩୭ ବଲ୍, ୨ ଚୌକା, ୨ ଛକା) ପାଇଁ ଓଡ଼ିଶା ଶକ୍ତିଶାଳୀ ମୁମ୍ବାଇକୁ ଏକତରଫା ଭାବେ ୮୬ ରନ୍ରେ ପରାସ୍ତ କରିଥିଲା। ହେଲେ ଚଳିତ ଋତୁରେ ତାଙ୍କୁ ଓଡ଼ିଶା ଦଳ ପାଇଁ ବିଚାରକୁ ନିଆଯାଇନି। ଯାହାର ପ୍ରଭାବ ରାଜ୍ୟ ଦଳର ରଣଜୀ ପ୍ରଦର୍ଶନ ଉପରେ ପଡ଼ିଛି। ତ୍ରିପୁରା ବିପକ୍ଷ ପ୍ରଥମ ମ୍ୟାଚ୍କୁ ବର୍ଷା ଧୋଇନେବା ପରେ ଜମ୍ମୁ କଶ୍ମୀର ବିପକ୍ଷରେ ପାଳି ଅଗ୍ରଣୀ ପାଇଛି ଓଡ଼ିଶା। ପରବର୍ତ୍ତୀ ମ୍ୟାଚ୍ରେ କିନ୍ତୁ ବରୋଦାଠାରୁ ହାରି ଯାଇଥିଲା। ମୁମ୍ବାଇରେ ଚାଲିଥିବା ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ମଧ୍ୟ ଓଡ଼ିଶାର ସବୁ ଖେଳାଳି ସଂଘର୍ଷ କରୁଛନ୍ତି। ଲେଗ୍ ବ୍ରେକ୍ ବୋଲିଂ ସହ ଉପଯୋଗୀ ପାଳି ଖେଳୁଥିବା ଅଭିଷେକଙ୍କ ଅନୁପସ୍ଥିତିକୁ ଦଳ ଅନୁଭବ କରୁଛି।
ଅଭିଷେକ କହିଛନ୍ତି, ଏ ବର୍ଷ ମୁଁ କଳାହାଣ୍ଡି କପ୍ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାରେ ଗୋଟିଏ ଲେଖାଏଁ ଶତକ ଓ ଅର୍ଦ୍ଧଶତକ (୧୨୮, ୬୭) ସହ ଆଉ ଏକ ମ୍ୟାଚ୍ରେ ୪୮ ରନ୍ର ମହତ୍ତ୍ବପୂର୍ଣ୍ଣ ପାଳି ଖେଳିଥିଲି। ଇଂଲଣ୍ଡରେ କାଉଣ୍ଟି ଲିଗ୍ କ୍ରିକେଟ୍ ଖେଳିବାକୁ ଯିବା ପୂର୍ବରୁ ଓଡ଼ିଶା ଦଳର ନୂଆ ପ୍ରଶିକ୍ଷକ ସୁରେନ୍ଦ୍ର ଭାବେ, ମୁଖ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ଏବଂ ଚୟନ ସମିତି ସମସ୍ୟଙ୍କୁ ମେଲ୍ରେ ଏହି ବିଷୟ ଜଣାଇଥିଲି। ହେଲେ ସେମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଦ୍ବନ୍ଦ୍ବ ଓ ସଂଶୟରେ ରହି ଚଳିତ ଋତୁରେ ମୁଁ କୌଣସି ଦଳରୁ ଖେଳୁନି। ଏବେ ବି ମୋ ପାଖରେ ଢେର୍ କ୍ରିକେଟ୍ ବାକି ଅଛି। ହେଲେ ଭିନ୍ନ କାରଣ ଦର୍ଶାଇଛନ୍ତି ଓଡ଼ିଶା କ୍ରିକେଟ୍ ସଂଘର ଜଣେ ଅଧିକାରୀ। ସେ କହିଛନ୍ତି, କଳାହାଣ୍ଡି କପ୍ର ଡାଏମଣ୍ଡ ଗ୍ରୁପ୍ ଲିଗ୍ ପର୍ଯ୍ୟାୟରେ ଅଭିଷେକଙ୍କ ପ୍ରଦର୍ଶନ ଭଲ ଥିଲା। ସୁପର ଲିଗ୍ ପୂର୍ବରୁ କିନ୍ତୁ ସେ କାହାକୁ କିଛି ନଜଣାଇ କାଉଣ୍ଟି ଖେଳିବାକୁ ଇଂଲଣ୍ଡ ଚାଲି ଯାଇଥିଲେ। ଏଣୁ ନୀତିଗତ ନିଷ୍ପତ୍ତିକ୍ରମେ ତାଙ୍କୁ ରାଜ୍ୟ ଦଳ ଚୟନ ଶିବିର ପାଇଁ ବିଚାରକୁ ନିଆଗଲାନି। ପରେ ଅବଶ୍ୟ ସେ ଏଥିଲାଗି ଅନୁତପ୍ତ ବୋଲି କହିଛନ୍ତି। ଚୟନ ଶିବିରରେ ସାମିଲ କରିବା ପାଇଁ ଓସିଏକୁ ବିଧିବଦ୍ଧ ଭାବେ ଚିଠି ଲେଖି ଅନୁରୋଧ କରିଛନ୍ତି। ଏବେ ତାଙ୍କ ଅନୁରୋଧ ବିଚାରାଧୀନ ରହିଛି। ଓଡ଼ିଶା ଦଳର ମୁଖ୍ୟ ଚୟନକର୍ତ୍ତା ଅମିୟ ରାୟ କହିଛନ୍ତି, ଓସିଏରୁ ଆମ ପାଖକୁ ଅଭିଷେକଙ୍କ ନାଁ ଆସି ନଥିଲା। ସେ ମଧ୍ୟ ସ୍ବତନ୍ତ୍ର ଭାବେ ବିଜୟ ହଜାରେ ଟ୍ରଫି ପାଇଁ ତାଙ୍କ ନାମକୁ ବିଚାରକୁ ନେବାକୁ ଅନୁରୋଧ କରିଥିଲେ। ଏଣୁ ରଣଜୀ ଓ ଟ୍ବେଣ୍ଟି-୨୦ ପାଇଁ ତାଙ୍କ ନାମକୁ ବିଚାରକୁ ନିଆଯାଇ ନଥିଲା।
‘ସମ୍ବାଦ’ର ହସ୍ତଗତ ତଥ୍ୟ ଅନୁସାରେ ଅଭିଷେକଙ୍କ ସହ ନୂଆପଡ଼ାର ଜଣେ ଖେଳାଳି ସମାନ ସମୟରେ ଓ ବିନା ସୂଚନାରେ କାଉଣ୍ଟି ଖେଳିବାକୁ ଚାଲିଯାଇଥିଲେ। ହେଲେ ତାଙ୍କ ନାମକୁ ବୁଧବାରଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଟ୍ବେଣ୍ଟି-୨୦ ସମ୍ଭାବ୍ୟ ଦଳର ଶିବିର ଲାଗି ସାମିଲ କରାଯାଇଛି। ତେଣୁ ଚୟନ ଶିବିରରେ ଅଭିଷେକଙ୍କୁ କାହିଁକି ସାମିଲ କରାଯିବନି ବୋଲି ପ୍ରଶ୍ନ ଉଠିଛି। ଏଥିନେଇ ଓସିଏରେ ମଧ୍ୟ ଘଣ୍ଟାଚକଟା ଚାଲିଛି। ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ମୂଳ ବାସିନ୍ଦା ସନ୍ତୋଷ ରାଉତଙ୍କ ପୁଅ ଅଭିଷେକଙ୍କ କ୍ରିକେଟ୍ କ୍ୟାରିୟର୍ର ଆଦ୍ୟପର୍ବ ଓ ମୂଳଦୁଆ ମହାରାଷ୍ଟ୍ରରେ ପଡ଼ିଥିଲା। ୨୦୦୧-୦୨ ଋତୁରେ ୧୪ବର୍ଷରୁ କମ୍ ଦଳର ପ୍ରତିନିଧିତ୍ବ କରି ସେ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ଭାରତୀୟ ୧୭ବର୍ଷରୁ କମ୍ ଦଳର ଚୟନ ଶିବିରରେ ଯୋଗ ଦେଇଥିଲେ। ୨୦୦୩-୦୪ରେ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ମହାରାଷ୍ଟ୍ର ୧୭ବର୍ଷରୁ କମ୍ ଦଳର ପ୍ରତିନିଧିତ୍ବ କରିଥିଲେ। ମହାରାଷ୍ଟ୍ର ୧୯ବର୍ଷରୁ କମ୍ ଦଳର ଅଧିନାୟକ ହୋଇଥିଲେ। ୨୦୦୫ରେ ତାମିଲନାଡ଼ୁ ବିପକ୍ଷରେ ମହାରାଷ୍ଟ୍ର ପକ୍ଷରୁ ରଣଜୀ ପଦାର୍ପଣ କରିବା ପରେ ୨୦୦୭-୦୮ରେ ଇଂଲିସ୍ କାଉଣ୍ଟି କ୍ରିକେଟ୍ ବି ଖେଳିଥିଲେ। ୨୦୦୯-୧୦ରେ ମୁମ୍ବାଇ ରଣଜୀ ଦଳର ପ୍ରତିନିଧିତ୍ବ କରିବା ସହ ପରବର୍ତ୍ତୀ ସମୟରେ ଗୋଆ ପକ୍ଷରୁ ଗୋଟିଏ ଋତୁ ପେସାଦାର କ୍ରିକେଟର୍ ଭାବେ ଖେଳିଥିଲେ। ସେହିଭଳି ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୨୨ଟି ମ୍ୟାଚ୍ ଖେଳିବା ତାଙ୍କ କ୍ରିକେଟ୍ କ୍ୟାରିୟର୍ର ଅନ୍ୟତମ ପ୍ରମୁଖ ସଫଳତା ବୋଲି କୁହାଯାଏ।