ଷ୍ଟୁଆର୍ଟ ବିନ୍ନିଙ୍କ ଅବସର

ନୂଆଦିଲ୍ଲୀ: ଦିନିକିଆ ଏକଦିବସୀୟ କ୍ରିକେଟ୍‌ରେ ଭାରତୀୟ କୀର୍ତ୍ତିମାନକୁ ନିଜ ନାମରେ ରଖିଥିବା ଅଲ୍‌ରାଉଣ୍ଡର୍‌ ଷ୍ଟୁଆର୍ଟ ବିନ୍ନି ସୋମବାର ପ୍ରଥମ ଶ୍ରେଣୀ ଓ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅସବର ନେଇଛନ୍ତି। କର୍ଣ୍ଣାଟକ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିଥିବା ୩୭ ବର୍ଷୀୟ ବିନ୍ନି ୬ ଟେଷ୍ଟ୍‌, ୧୪ ଦିନିକିଆ ଅନ୍ତର୍ଜାତୀୟ ଏବଂ ୩ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଭାରତର ପ୍ରତିନିଧିତ୍ବ କରିଥିଲେ। ବିଶ୍ବକପ୍‌ ବିଜେତା ରୋଜର ବିନ୍ନିଙ୍କ ଏହି ସୁଯୋଗ୍ୟ ସନ୍ତାନ ୨୦୧୪ରେ ଢାକାରେ ବାଂଲାଦେଶ ବିପକ୍ଷରେ ୪ ରନ୍‌ ବିନିମୟରେ ୬ ୱିକେଟ୍ ଅକ୍ତିଆର କରି ଭାରତର ଶ୍ରେଷ୍ଠ ବୋଲିଂ ଚିତ୍ରର କୀର୍ତ୍ତିମାନ କରିଥିଲେ। ଏବେ ମଧ୍ୟ ଭାରତ ପାଇଁ ଏହା ଏକ କୀର୍ତ୍ତିମାନ ହୋଇ ରହିଛି।

୧୯୯୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନିଲ କୁମ୍ବଲେଙ୍କ ୬/୧୨ ବୋଲିଂ ଚିତ୍ରକୁ‌ ସେ ପଛରେ ପକାଇଥିଲେ। ୯୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ବିନ୍ନିଙ୍କୁ ମହେନ୍ଦ୍ର ସିଂହ ଧୋନି କିଛି ଟେଷ୍ଟ୍‌ରେ ସୁଯୋଗ ଦେଇଥିଲେ ମଧ୍ୟ ସେ ବିଶେଷ ସଫଳ ହୋଇନଥିଲେ। ୨୦୧୪ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରିବାର ଦ୍ବିତୀୟ ପାଳିରେ ସେ ୭୮ ରନ୍‌ କରିଥିଲେ, ଏହା ତାଙ୍କ ୬ ଟେଷ୍ଟ୍‌ ମଧ୍ୟରେ ଏକମାତ୍ର ଅର୍ଦ୍ଧଶତକ ‌ହୋଇ ରହିଛି। ଫ୍ଲୋରିଡ଼ାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏକ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ସେ ୩୧ ରନ୍ ବ୍ୟୟ କରିବା ପରେ ତାଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ ଏକ ପ୍ରକାର ଅନ୍ତ ଘଟିଥିଲା। ଏଭିନ୍ ଲୁଇସ୍‌ ତାଙ୍କୁ ୫ ଛକା ମାରିଥିଲେ। ବିସ୍ଫୋରକ ବ୍ୟାଟିଂ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟାଙ୍କ ଆଗମନ ପରେ ବିନ୍ନିଙ୍କ ଜାତୀୟ ଦଳ ପ୍ରତ୍ୟାବର୍ତନ ଏକ ପ୍ରକାର ବନ୍ଦ ହୋଇଯାଇଥିଲା।

ସମ୍ବନ୍ଧିତ ଖବର