ସାଉଦିକୁ ହରାଇଲେ ସୁଆରେଜ୍‌,ପ୍ରି-କ୍ୱାର୍ଟରରେ ଉରୁଗୁଏ

ମସ୍କୋ: ଫିଫା ବିଶ୍ୱକପ୍‌ର ପ୍ରଥମ ବିଜେତା ଉରୁଗୁଏ ମସ୍କୋ ମହାସମରର ପ୍ରି-କ୍ୱାର୍ଟରରେ ପହଞ୍ଚି ଯାଇଛି। ଚଳିତ ବିଶ୍ୱ ଲଢ଼େଇର ପ୍ରଥମ ମୁକାବିଲାରେ ଇଜିପ୍ଟକୁ ଗୋଟିଏ ଗୋଲ୍‌ ବ୍ୟବଧାନରେ ପରାସ୍ତ କରିଥିବା ଉରୁଗୁଏ ବୁଧବାର ଦ୍ୱିତୀୟ ମୁକାବିଲାରେ ସାଉଦି ଆରବକୁ ସମାନ ୧-୦ରେ ହରାଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି। ପ୍ରି-କ୍ୱାର୍ଟରରେ ପହଞ୍ଚିଯିବା ସହ ନିଜ ତାରକା ଖେଳାଳି ଲୁଇସ୍‌ ସୁଆରେଜଙ୍କ ଶତକୀୟ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ସ୍ମରଣୀୟ କରି ଦେଇଛି। ସୌଭାଗ୍ୟବଶତଃ ସୁଆରେଜ୍‌ ହିଁ ବୁଧବାରର ମ୍ୟାଚ୍‌ ବିଜୟୀ ଓ ଏକମାତ୍ର ଗୋଲ୍‌ ଦେଇଥିଲେ। ସାଉଦି ଆରବ ପରାଜୟ ପରେ ଗ୍ରୁପ୍‌-ଏର ଶୀର୍ଷ ଦୁଇ ସ୍ଥାନରେ ରହି ଆୟୋଜକ ରୁଷିଆ ଏବଂ ଉରୁଗୁଏ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ଇଜିପ୍ଟ ଏବଂ ସାଉଦି ଆରବ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବା ପୂର୍ବରୁ ପ୍ରିି-କ୍ୱାର୍ଟର ଦୌଡ଼ରୁ ବାଦ ପଡ଼ିଛନ୍ତି। ସାଉଦି ଆରବ ଅଂଶ ଗ୍ରହଣ କରିଥିବା ପାଞ୍ଚଟି ବିଶ୍ୱକପ୍‌ରୁ ଚତୁର୍ଥ ଥର ପାଇଁ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଲା। ସେହିଭଳି ଗତ ଦ୍ୱାଦଶ ବିଶ୍ୱକପ୍‌ ମ୍ୟାଚ୍‌ରୁ ନବମରେ ଗୋଲ୍‌ କରିବାରେ ବିଫଳ ହେଲା।

ଆଜି କଳା ଏବଂ ନୀଳ ଜର୍ସିରେ ଖେଳୁଥିବା ଉରୁଗୁଏ ଆଶା ଜନକ ଭାବେ ପ୍ରଥମାର୍ଧର ପୂରା ୪୫ ମିନିଟ୍‌ରେ ଆଧିପତ୍ୟ ବିସ୍ତାର କରିଥିଲା। ବ୍ରାଜିଲ ବିଶ୍ୱକପ୍‌ରେ ପ୍ରତିପକ୍ଷ ଦଳର ଖେଳାଳିଙ୍କୁ କାମୁଡ଼ି ତୀବ୍ର ସମାଲୋଚିତ ହୋଇଥିବା ଲୁଇସ୍‌ ସୁଆରେଜ୍‌ କିନ୍ତୁ ଗୋଲ୍‌ ଦେବାରେ ସଫଳ ହୋଇଥିଲେ। ନିଜ ଶତକୀୟ ମ୍ୟାଚ୍‌ରେ ସେ ଏହି ସୁନ୍ଦର ଗୋଲ୍‌ ଦେଇ ଉରୁଗୁଏକୁ ୨୩ ମିନିଟ୍‌ରେ ଆଗୁଆ କରି ଦେଇଥିଲେ। ଏହା ତାଙ୍କର ୫୨ତମ ଅନ୍ତର୍ଜାତୀୟ ଗୋଲ୍‌ ମଧ୍ୟ ଥିଲା। କାର୍ଲୋସ୍‌ ସାଞ୍ଚେଜଙ୍କ କର୍ନର ସଟକୁ ସାଉଦି ଗୋଲ୍‌ ରକ୍ଷକ କ୍ଲିଅର କରି ପାରି ନଥିଲେ। ଉରୁଗୁଏ ଭାଗ୍ୟକୁ ଏହା ସିଧା ଯାଇ ସୁଆରେଜଙ୍କ ସମ୍ମୁଖରେ ପଡ଼ିଥିଲା। ସୁଆରେଜ୍‌ ଏହାକୁ ଗୋଲ୍‌ ପୋଷ୍ଟ ଭିତରକୁ ପୂରାଇବା ମାତ୍ରେ ଉରୁଗୁଏ ଶିବିର ଉଲ୍ଲସିତ ହୋଇ ଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ରୁଷିଆଠାରୁ ଶୋଚନୀୟ ଭାବେ ୦-୫ରେ ହାରିଥିବା ସାଉଦି ଆରବ ପ୍ରଥମାର୍ଧର ବଳକା ୨୨ ମିନିଟ୍‌ରେ ଏହି ଗୋଲ୍‌ଟିକୁ ଶୁଝି ପାରି ନଥିଲା। ଦ୍ୱିତୀୟାର୍ଧରେ ବି ଏହି ସ୍ଥିତି ଅପରିବର୍ତିତ ରହିଥିଲା। ସାଉଦି କେତେକ ଭଲ ଆକ୍ରମଣ କରିଥିଲା। ହେଲେ ଏହାକୁ ଗୋଲ୍‌ କରି ପାରି ନଥିଲା। ଉରୁଗୁଏ ମଧ୍ୟ ଆଉ ଗୋଲ୍‌ ଦେବାକୁ ସକ୍ଷମ ହୋଇ ନଥିଲା। ହେଲେ ପ୍ରଥମାର୍ଧ ଗୋଲ୍‌ ବଳରେ ବିଜୟର ସ୍ୱାଦ ଚାଖିଥିଲା।

ସମ୍ବନ୍ଧିତ ଖବର