ଭୁବନେଶ୍ବର: ଚଳିତ ଋତୁରେ ହ୍ୟାଟ୍ରିକ୍ ଫାଇନାଲ୍ ଖେଳି ପ୍ରଥମ ଥର ଟ୍ରଫି ବିଜେତା ହୋଇଛି ରାମେଶ୍ବର ସ୍ପୋର୍ଟିଂ କ୍ଲବ୍। ଢେଙ୍କାନାଳର ଦେବପଡ଼ାଠାରେ ରବିବାର ଉଦ୍ଯାପିତ ଏକାଦଶ ସୁବାସ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲରେ ଶକ୍ତିଶାଳୀ ରାଇଜିଂ ଷ୍ଟୁଡେଣ୍ଟ୍ କ୍ଳବ୍କୁ ରୋମାଞ୍ଚକ ଭାବେ ୩ ୱିକେଟ୍ରେ ପରାସ୍ତ କରି ରାମେଶ୍ବର ବିଜେତା ଟ୍ରଫି କବ୍ଜା କରିଛି।
ପ୍ରଥମେ ବ୍ୟାଟିଂ କରିଥିବା ବିପ୍ଳବ ସାମନ୍ତରାୟଙ୍କ ଦଳ ୨୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୭ ରନ୍ କରିଥିଲା। ସୌଭାଗ୍ୟ ମିଶ୍ର (୪୬ ରନ୍, ୪୧ ବଲ୍), ସୂର୍ଯ୍ୟକାନ୍ତ ପ୍ରଧାନ (୩୮ ରନ୍, ୧୬ ବଲ୍) ଭଲ ବ୍ୟାଟିଂ କରିଥିଲେ। ରାମେଶ୍ବର ପକ୍ଷରୁ ଲାଲୁ ମହାନ୍ତି ୩, ବିଶ୍ବଜିତ୍ ମଲ୍ଲିକ, ଶ୍ରୀକାନ୍ତ ଗୌଡ଼, ପ୍ରତୀକ ସ୍ବାଇଁ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ରାମେଶ୍ବର ୨୪.୫ ଓଭରରେ ୭ ୱିକେଟ୍ ହରାଇ ୧୮୦ ରନ୍ କରିନେଇଥିଲା। ଗିରିଜା ମିଶ୍ର (୭୮ ରନ୍, ୪୮ ବଲ), ସମ୍ବିତ ବରାଳ (୪୪ ରନ୍, ୨୨ ବଲ୍) ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ରାଇଜିଂ ପକ୍ଷରୁ ସୁନିଲ ରାଉତ ଏବଂ ତାରିଣୀ ସ’ ୩ ଲେଖାଏଁ ୱିକେଟ୍ ନେଇଥିଲେ।
ଗିରିଜା ମିଶ୍ର ମ୍ୟାଚ୍ର ଶ୍ରେଷ୍ଠ ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ସମ୍ବିତ ବରାଳ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଏବଂ ବିଶ୍ବଜିତ୍ ମଲ୍ଲିକ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। ପୂର୍ବରୁ ରାମେଶ୍ବର କ୍ବାର୍ଟର ଫାଇନାଲରେ ପ୍ରଗତି ସ୍ପୋର୍ଟିଂକୁ ୬୪ ରନ୍ରେ ଏବଂ ସେମିଫାଇନାଲରେ ୟୁନିୟନ୍ ସ୍ପୋର୍ଟିଂକୁ ୧୩୬ ରନ୍ରେ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଥିଲା। ପୂର୍ବ ଦୁଇ ପ୍ରତିଯୋଗିତାରେ ଉପବିଜେତା ହେବା ପରେ ରାମେଶ୍ବରର ଟ୍ରଫି ଭାଗ୍ୟ ତୃତୀୟ ଫାଇନାଲରେ ଉଦୟ ହୋଇଛି।