ଖେଳାଳିଙ୍କୁ ପୁଲିସ ବିଭାଗରେ ଅବହେଳା : ‌ଖେଳିବାକୁ ସୁଯୋଗ ନ ମିଳିଲେ ଚାକିରି ଛାଡ଼ିଦେବି – ଶୁଭସ୍ମିତା

ଭୁବନେଶ୍ବର : ଭଲ ଖେଳିବା ଯୋଗୁଁ ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ପୁଲିସରେ ଚାକିରି ମିଳିଥିଲା। ଖେଳିବାର ସୁଯୋଗ ମିଳିବା ସହ ରୋଜଗାର ପନ୍ଥା ମିଳିଥିବାରୁ ଖେଳାଳିର ମନ ଖୁସିରେ ଭରି ଯାଇଥିଲା। ‌ହେଲେ ଚାକିରି ପରେ ଏହି ଖୁସି ମିଳେଇ ଯାଇଥିଲା। ଚାକିରି କରିବାକୁ ହେଲେ ଖେଳକୁ ଛାଡ଼ିବା ବାଧ୍ୟ ବୋଲି ପୁଲିସ ବିଭାଗ ପକ୍ଷରୁ କୁହାଯାଉଛି। ଖେଳ ନୁହେଁ ସାଧାରଣ ଡ୍ୟୁଟି କରିବା ପାଇଁ ବିଭାଗ ପକ୍ଷରୁ ମଧ୍ୟ ଚାପ ପଡ଼ୁଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ କନିଷ୍ଠ ରାଜ୍ୟଗୋଷ୍ଠୀ କ୍ରୀଡ଼ା (୨୦୧୦-୧୧, ଦକ୍ଷିଣ ଆଫ୍ରିକା) ସ୍ବର୍ଣ୍ଣ ବିଜୟିନୀ ଶୁଭସ୍ମିତା ମହାନ୍ତି।

ଭଲ ଖେଳିଥିବାରୁ ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁସାରେ ମୋ ସହ ‌କିଛି ଖେଳାଳିଙ୍କୁ ପୁଲିସ ବିଭାଗରେ କନ୍‌ଷ୍ଟେବଳ ଚାକିରି ମିଳିଥିଲା। ‌‌ଚାକିରି ମିଳିବା ପରେ ଆମକୁ ଆଉ ଖେଳିବାର ସୁ‌ଯୋଗ ମିଳି ନଥିଲା। ‌କ୍ରୀଡ଼ା କୋଟାରେ ଚାକି‌ରି ପାଇଥିବା ଖେଳାଳି ଯେପର୍ଯ୍ୟନ୍ତ ସୁସ୍ଥ ଥିବ ସେ ପର୍ଯ୍ୟନ୍ତ ‌ଖେଳରେ ମନୋନିବେଶ କରିପାରିବ। ଖେଳିବା ପାଇଁ ଯୋଗ୍ୟ ନ ହେଲେ କ୍ରୀଡ଼ା ସମ୍ପର୍କିତ କାମରେ ଯୋଗଦେବ। ହେଲେ ଏବେ ପୁଲିସ ବିଭାଗ ଏ ନିୟମକୁ ଫୁ କରି ଦେଇଛି। ଖେଳିବାର ଯୋଗ୍ୟତା ଥିଲେ ମଧ୍ୟ ଆମକୁ ଅଭ୍ୟାସ କରିବାର ସୁଯୋଗ ମିଳୁନି। ‌‌ନିୟମ ଅନୁଯାୟୀ ‌ଜଣେ ଖେଳାଳିଙ୍କୁ ଯେଉଁଠି ପୋଷ୍ଟିଂ କରାଯାଏ ସେଠାରେ ତା ଖେଳ ଅନୁସାରେ ସୁବିଧା ସୁଯୋଗ ମିଳିବା କଥା। କିନ୍ତୁ ମତେ ‌କୋରାପୁଟରେ ଚାକିରି ମିଳିଥିଲେ ମଧ୍ୟ ସେଠାରେ ଶକ୍ତିଉତ୍ତୋଳନ କରିବା ଲଗି କୌଣସି ପ୍ରକାରର ବ୍ୟବସ୍ଥା ନାହିଁ। ଏହାକୁ ନେଇ ଆମେ ପୁଲିସ ବିଭାଗର କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ମହରଣାଙ୍କୁ ଅବଗତ କରିବାରୁ ସେ ଆମକୁ ଖରାପ ବ୍ୟବହାର କରିବା ସହ ତଡ଼ି ଦେଇଥିଲେ। ‌ଚାକିରି କରିଛ ମାନେ ଡ୍ୟୁଟି କରିବ, ନହେଲେ ଚାକିର ଯିବ ବୋଲି ଧମକ ଦେଇଥିଲେ। ତୁମକୁ କିଏ ଚାକିରି ଦେଲା, ତୁମର ଏଥିପାଇଁ ଯୋଗ୍ୟତା ନାହିଁ ବୋଲି ଆମକୁ ଅପମାନିତ କଲେ। ଏହାକୁ ନେଇ ଉପର ଅଧିକାରୀଙ୍କୁ ଦେଖା କରିବାକୁ ଚାହିଁଲେ ମଧ୍ୟ ସେମାନେ ଆମକୁ ଅଟକାଇଲେ। ଫଳରେ ଆମେ ମାନସିକ ଅଶାନ୍ତି ଦେଇ ଗତି କରୁଛୁ ବୋଲି କହିଛନ୍ତି ଶୁଭସ୍ମିତା।

ଚଳିତ ମାସ ୨୯ ତାରିଖରେ ବ୍ରହ୍ମପୁରରେ ରାଜ୍ୟ ପ୍ରତିଯୋଗିତା ଅନୁ‌ଷ୍ଠିତ ହେବ। ଏଥିଲାଗି ଆମକୁ ଅଭ୍ୟାସ ଦରକାର, କିନ୍ତୁ ସୁଯୋଗ ମିଳୁନି। ଏଥିସହ ଗତ ଅଗଷ୍ଟ ୧୬ ତାରିଖରୁ ପୁଲିସ ବିଭାଗ ପକ୍ଷରୁ ଶିବିର ଆୟୋଜିତ ହୋଇଥିଲା। ହେଲେ ଆୟୋଜନ ନେଇ ଆମକୁ କୌଣସି ସୂଚନା ଦିଆ ଯାଇନଥିଲା। ୨ ମାସ ଶିବିର ଚାଲିଲା ପରେ ଏ ବିଷୟରେ ଅବଗତ କରାଯାଇଥିଲା। ଆମେ ସେଠାକୁ ଗଲା ପରେ ଫେରାଇ ଦିଆଯାଇଥିଲା। ରାଜ୍ୟ ପ୍ରତିଯୋଗିତା ଆଉ ମାତ୍ର ୧୦ ଦିନ ଥିଲା ବେଳେ ଆମେ ‌ଏବେ ଅଭ୍ୟାସ ନେଇ ଚିନ୍ତାରେ ରହିଛୁ। ଜଣେ ଖେଳାଳିର ମୁଖ୍ୟ ଲକ୍ଷ୍ୟ ହେଉଛି ଭଲ ଖେଳିବା। ହେଲେ ଆମକୁ ଏଥିରୁ ବଞ୍ଚିତ କରାଯାଉଛି ଯାହା କି ଠିକ୍‌ ନୁହେଁ। ଏପରି ହେଲେ ମୁଁ ଚାକିରି ଛାଡ଼ିବାକୁ ବାଧ୍ୟ ହେବି ବୋଲି ଗୁରୁବାର ଭୁବନେଶ୍ବରସ୍ଥିତ ବୁଦ୍ଧ ମନ୍ଦିରରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଶୁଭସ୍ମିତା କହିଛନ୍ତି। କ୍ରୀଡ଼ା ଅଧିକାରୀ ବିଭୂତି ବାବୁଙ୍କ ଖରାପ ବ୍ୟବହାରକୁ ନେଇ ଆରକ୍ଷୀ ମହା‌ନିର୍ଦେଶକଙ୍କୁ ଭେଟିଥିଲୁ। ସେ ଆମକୁ ଆଶ୍ବାସନା କ’ଣ ଦେବେ ଚାକିରି କରିଛ ମାନେ ଡ୍ୟୁଟି କରିବ ବୋଲି ସିଧାସିଧା ଶୁଣାଇ ଦେଇଥିଲେ। ସେ ଏତେ ବଡ଼ ପଦବିରେ ଥାଇ ମଧ୍ୟ କିଭଳି କ୍ରୀଡ଼ା କୋଟାରେ ଚାକିରି ପାଇଥିବା ଖେଳାଳିଙ୍କ ପାଇଁ କ’ଣ ନିୟମ ରହିଛି ତାହା ଜାଣି ନାହାନ୍ତି ଶୁଣି ଖରାପ ଲାଗୁଛି। କିଛି ଖେଳାଳି ଭଲ ଖେଳୁଥିଲେ ମଧ୍ୟ ଚାକିରି କରିବା ପରେ ଖେଳରେ ସବୁ ପଙ୍ଗୁ ହୋଇ ଯାଉଛନ୍ତି। ‌ସେମାନେ ନିୟମ ବିଷୟରେ ଅଜ୍ଞ ଥିବାରୁ ବିରୋଧ କରୁନାହାନ୍ତି। ଖେଳାଳି ଭାବେ ଚାକିରି କରିଥିବା ଜଣେ ପ୍ରାର୍ଥୀକୁ ଉଚିତ ନ୍ୟାୟ ମିଳୁ ବୋଲି ସାମ୍ବାଦିକ ସମ୍ମିଳନୀରେ କନିଷ୍ଠ ଜାତୀୟ ପ୍ରତିଯୋଗିତା ରୌପ୍ୟ ବିଜୟିନୀ ଶୁଭସ୍ମିତା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର