ବିଶ୍ୱ କନିଷ୍ଠ ଏସିଆ ଓସେନିଆ ଟେନିସ:ଶୁଭ୍ରାଂଶୁ ଭାରତୀୟ ଦଳ ଅଧିନାୟକ-ପ୍ରଶିକ୍ଷକ

ଭୁବନେଶ୍ୱର: ଥାଇଲାଣ୍ଡ୍‌ର ବ୍ୟାଙ୍କକ୍‌ରେ ଚାଲିଥିବା ବିଶ୍ୱ କନିଷ୍ଠ ଏସିଆ ଓସେନିଆ ଜୋନ୍‌ ଯୋଗ୍ୟତା ପର୍ଯ୍ୟାୟ (୧୪ ବର୍ଷରୁ କମ୍‌) ଟେନିସ୍‌ ପ୍ରତିଯୋଗିତାରେ ଭାରତୀୟ ଦଳର ଚମତ୍କାର ଅଭିଯାନ ଜାରି ରହିଛି। ଓଡ଼ିଆ ବୈଷୟିକ ଅଧିକାରୀ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀଙ୍କୁ ଭାରତୀୟ ଦଳର ଅଧିନାୟକ (ଅଣଖେଳାଳି) ଓ ପ୍ରଶିକ୍ଷକ ଦାୟିତ୍ୱ ମିଳିଛି। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଅଦ୍ୟାବଧି ଦୁଇଟି ବିଜୟ ହାସଲ କରି ବିଶ୍ୱଗ୍ରୁପ୍‌ ଯୋଗ୍ୟତା ଅର୍ଜନ ସମ୍ଭାବନାକୁ କାଏମ ରଖିଛି। ସୋମବାର ନ୍ୟୁଜିଲାଣ୍ଡ୍‌କୁ ୩-୦ରେ ମାତ୍‌ ଦେଇଥିବା ଭାରତୀୟ ଦଳ ମଙ୍ଗଳବାର ଉଜବେକିସ୍ତାନକୁ ସମାନ ବ୍ୟବଧାନରେ ହରାଇଛି। ଭାରତୀୟ ଦଳରୁ ଅମନ ଦାହିୟା, ଉଦିତ ଗୋଗୋଇ, ଚିରାଗ ଦୁହାନ ଖେଳୁଛନ୍ତି।

ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମୁକାବିଲା ବେଳେ ଅମନ ୬-୨, ୬-୪ରେ ଜ୍ୟାକ୍‌ ଓ୍ଵିଲିୟମ୍‌ ଲୌଟିଟ୍‌ଙ୍କୁ, ଉଦିତ ୬-୪, ୬-୦ରେ ଡାନିଏଲ୍‌ ଏରିକ୍‌ ମହମ୍ମଦଙ୍କୁ ହରାଇବା ପରେ ଯୁଗଳ ମୁକାବିଲାରେ ଅମନ-ଉଦିତ ଯୋଡ଼ି ୬-୨, ୬-୦ରେ ଡାନିଏଲ୍‌-ଜ୍ୟାକ୍‌ ଯୋଡ଼ିଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ମଙ୍ଗଳବାର ଉଜବେକିସ୍ତାନ ବିପକ୍ଷ ପ୍ରଥମ ଏକକରେ ଚିରାଗ ଦୁହାନ ୬-୩, ୬-୨ରେ ଅମିର୍‌ ମିଲୁସେଭଙ୍କୁ, ଉଦିତ୍‌ ୬-୩, ୬-୦ରେ ଇସ୍‌ମାଇଲ୍‌ ଖାରିଦିନୋଭ୍‌ଙ୍କୁ ପରାସ୍ତ କରିଥିଲେ। ଯୁଗଳ ମୁକାବିଲାରେ ଉଦିତ୍‌-ଅମନ୍‌ ଯୋଡ଼ି ୬-୪, ୬-୨ ସେଟ୍‌ରେ ଇସ୍‌ମାଇଲ୍‌ ଖାରିଦିନୋଭ ଓ ବବୁରମିର୍ଜୋ ୟୋକୁବ୍‌ଜୋନୋଭଙ୍କୁ ମାତ୍‌ ଦେଇ ପୁଣି ଏକ ଏକତରଫା ବିଜୟ ହାସଲ କରିଥିଲେ। ଲଗାତାର ଦୁଇ ଦିନ ବିଜୟ ପରେ ଭାରତୀୟ ଖେଳାଳି ଆତ୍ମବିଶ୍ୱାସରେ ଥିବାରୁ ତୃତୀୟ ମୁକାବିଲା ସହିତ ବିଶ୍ୱ ଗ୍ରୁପ୍‌ ଯୋଗ୍ୟତା ଅର୍ଜନ କରିବା ସମ୍ଭାବନାକୁ ଉଜ୍ୱଳ କରିଛନ୍ତି ବୋଲି ‘ସମ୍ବାଦ’ ସହିତ କଥା ହେବା ବେଳେ ପ୍ରକାଶ କରିଛନ୍ତି ଭୁବନେଶ୍ୱର ଏସ୍‌ଏସ୍‌ ଟେନିସ୍‌ ଏକାଡେମିର ମୁଖ୍ୟ ପ୍ରଶିକ୍ଷକ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀ।

ସମ୍ବନ୍ଧିତ ଖବର