ଆଇପିଏଲ୍‌-୧୫ ପାଇଁ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଶୁଭ୍ରାଂଶୁ ସେନାପତି ସାମିଲ: ‘ଓଡ଼ିଶା ପାଇଁ ସୁନାମ ଆଣିବି’

କେନ୍ଦୁଝରରେ ଖୁସିର ଲହରି, ଏକାଗ୍ରତା, ପରିଶ୍ରମର ମୂଲ୍ୟ ମିଳିଛି: ଗିରିଶ ହୋତା

କେନ୍ଦୁଝର : ଆଇପିଏଲ୍‌-୧୫ ପାଇଁ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଶୁଭ୍ରାଂଶୁ ସେନାପତି ସାମିଲ ହୋଇଥିବାରୁ ଜନ୍ମମାଟି କେନ୍ଦୁଝରରେ ଖୁସିର ଲହରି ଖେଳିଯାଇଛି। ଶୁଭ୍ରାଂଶୁଙ୍କୁ ଛୋଟବେଳୁ କ୍ରିକେଟ୍‌ ବ୍ୟତୀତ ଆ‌ଉ କିଛି ଦିଶେନି ବୋଲି ତାଙ୍କ ବାପା ପ୍ରଦୀପ କୁମାର ସେନାପତି କହିଛନ୍ତି। ପୁଅ ଆଇପିଏଲ୍‌ରେ ସ୍ଥାନ ପାଇଥିବାରୁ ସେ ଏବଂ ତାଙ୍କ ପରିବାର ଲୋକ ବହୁତ ଖୁସି ହୋଇଛନ୍ତି। ଏହି ଖବର ପାଇବା ପରେ ଶ୍ରୀ ସେନାପତି ପଡ଼ୋଶୀଙ୍କୁ ମିଠା ବାଣ୍ଟି ଖୁସି ମନାଇଛନ୍ତି। ଶୁଭ୍ରାଂଶୁଙ୍କ ବାପା ପ୍ରଦୀପ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ପୁଅର କ୍ରିକେଟ୍‌ ଦୁର୍ବଳତା ଦେଖି ତାଙ୍କୁ ସହଯୋଗ ଏବଂ ଉତ୍ସାହିତ କରିଆସୁଥିଲେ। ବାପାଙ୍କ ସହଯୋଗ ଯୋଗୁଁ ଶୁଭ୍ରାଂଶୁ କେନ୍ଦୁଝର ସହରର ବିଭିନ୍ନ କ୍ଲବ୍‌ ପାଇଁ ଖେଳିବା ସହିତ ଭୁବନେଶ୍ବରରେ ପ୍ରଶିକ୍ଷଣ ନେଉଥିଲେ। ଚମତ୍କାର ପ୍ରଦର୍ଶନ କରି ସେ ୧୬ ଓ ୧୯ ବର୍ଷରୁ କମ୍‌ ଓଡ଼ିଶା ଦଳରେ ସ୍ଥାନ ପାଇଥିଲେ। ଏହି ସୁଯୋଗକୁ ସେ ହାତଛଡ଼ା କରି ନଥିଲେ। ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

୨୦୧୬-୧୭ରେ ସେ ରଣଜୀ ଦଳରେ ସୁଯୋଗ ପାଇଥିଲେ। ୨୦୧୯-୨୦ରୁ ସେ ଓଡ଼ିଶା ରଣଜୀ ଦଳର ଅଧିନାୟକ ଦାୟିତ୍ବ ତୁଲାଇ ଆସୁଛନ୍ତି। ଏନେଇ କେନ୍ଦୁଝର ଜିଲ୍ଲା କ୍ରୀଡ଼ା ସଂସ୍ଥାର ସଂପାଦକ ଡ. ଜନାର୍ଦ୍ଦନ ଦାଶ ସନ୍ତୋଷ ପ୍ରକାଶ କରିବା ସହିତ ଶୁଭ୍ରାଂଶୁଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଶୁଭ୍ରାଂଶୁଙ୍କ ସଫଳତାର ରହସ୍ୟ ହେଉଛି, ସେ ଜଣେ ଶୃଙ୍ଖଳିତ ଖେଳାଳି। ଶିଖିବାରେ ତାଙ୍କର ବହୁତ ଆଗ୍ରହ ରହୁଥିଲା। ତେଣୁ ସେ ସଫଳତା ପାଇଲେ ବୋଲି ଡ. ଦାଶ ପ୍ରକାଶ କରିଛନ୍ତି। ସେହିପରି ଛୋଟବେଳେ ଶୁଭ୍ରାଂଶୁଙ୍କୁ ପ୍ରଶିକ୍ଷଣ ଦେଉଥିବା କୋଚ୍‌ ଗିରିଶ ଚନ୍ଦ୍ର ହୋତା କହିଛନ୍ତି, ଶୁଭ୍ରାଂଶୁଙ୍କ ଏକାଗ୍ରତା ବହୁତ ଉନ୍ନତ ଥିଲା। ସେ କେବେ ବି ବିବ୍ରତ ହୁଅନ୍ତି ନାହିଁ। ଧୈର୍ଯ୍ୟର ସହିତ ସମସ୍ତ ସମସ୍ୟାକୁ ମୁକାବିଲା କରନ୍ତି। ପ୍ରବଳ ପରିଶ୍ରମ ମଧ୍ୟ କରନ୍ତି। ଶୁଭ୍ରାଂଶୁ ବ୍ୟାଟିଂ ସହିତ ବୋଲିଂ ମଧ୍ୟ କରିପାରନ୍ତି ବୋଲି ଶ୍ରୀ ହୋତା କହିଛନ୍ତି।

ଏନେଇ ଶୁଭ୍ରାଂଶୁ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଆଇପିଏଲ୍‌ ଖେଳିବା ସମସ୍ତ କ୍ରିକେଟର୍‌ଙ୍କ ସ୍ବପ୍ନ। ମୋର ମଧ୍ୟ ଥିଲା। ମୋତେ ନିଲାମ ପାଇଁ ବିସିସିଆଇ ଚୟନ କରିବା ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ କିଣିଥିବାରୁ ମୁଁ ଉଭୟ ବିସିସିଆଇ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ପାଖରେ ଋଣୀ। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରି ଦଳ ସହିତ ଓଡ଼ିଶାର ନାମ ରଖିବି ବୋଲି ଶୁଭ୍ରାଂଶୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଶୁଭ୍ରାଂଶୁଙ୍କ ଘର କେନ୍ଦୁଝର ସହରର ବଡ଼ହଳରେ। ଏହା ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ତରା ଗ୍ରାମର ଅଭିଷେକ ରାଉତ ମଧ୍ୟ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ସାରିଛନ୍ତି। ଏଥର ଅଭିଷେକ ନିଲାମ ତାଲିକାରେ ଥିଲେ ମଧ୍ୟ ସୁଯୋଗ ପାଇନଥିଲେ।

ସଚିନ ଆଦର୍ଶ, ଧୋନିଙ୍କ ବଡ଼ ପ୍ରଶଂସକ
ଆଇପିଏଲ୍‌ ମେଗା ନିଲାମର ମାତ୍ର କିଛି ଦିନ ପୂର୍ବରୁ ଶୁଭ୍ରାଂଶୁ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାର ବେଳେ କହିଥିଲେ ‘ମୁଁ ମହେନ୍ଦ୍ର ସିଂହ ଧୋନିଙ୍କର ବଡ଼ ପ୍ରଶଂସକ, ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଦଳରେ ଖେଳିବାକୁ ଭଲ ପାଇବି’। ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂହ ଧୋନିଙ୍କୁ ମୁଁ ଦେଖି ଖେଳକୁ ଆସିଛି। ୨୦୦୩ ଦିନିକିଆ ବିଶ୍ବକପ୍‌ରେ ସଚିନ ୬୭୩ ରନ୍‌ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ଭାବେ ଗୋଲଡେନ୍ ବ୍ୟାଟ୍‌ ପାଇବା ଦେଖି ମୁଁ କ୍ରିକେଟ୍‌ ପ୍ରେମରେ ପଡ଼ିଯାଇଥିଲି। ମୁଁ ତାଙ୍କ ସନ୍ତୁଳନକୁ ସବୁବେଳେ ଅନୁସରଣ କରିଥାଏ। ପିଲାଦିନୁ ତାଙ୍କ ବ୍ୟାଟିଂର ଛାୟାରେ ବ୍ୟାଟିଂ କରି ଆସିଛି। ‌ସେହିଭଳି ୨୦୧୧ ବିଶ୍ବକପ୍‌ ବିଜୟ ପରଠାରୁ ମ‌ହେନ୍ଦ୍ର ସିଂହ ଧୋନିଙ୍କର ବଡ଼ ପ୍ରଶଂସକ ପାଲଟିଯାଇଥିଲି। ସେ ଜଣେ ନିସ୍ବାର୍ଥପର ଅଧିନାୟକ ବୋଲି କହିଥିଲେ ଶୁଭ୍ରାଂଶୁ। ଖେଳ ଜୀବନର ପ୍ରାରମ୍ଭରେ ଆମେ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ସଞ୍ଜୟ ରାଉଳଙ୍କ କଥା ଶୁଣିଥିଲୁ। କିନ୍ତୁ ରାଜ୍ୟ ଦଳରୁ ଅନେକ ବର୍ଷ ଖେଳିଥିବା ବିପ୍ଳବ ସାମନ୍ତରାୟ, ନଟରାଜ ବେହେରା, ବସନ୍ତ ମହାନ୍ତିଙ୍କ ସଂସ୍ପର୍ଶରେ ଆସିବାରୁ ଅନେକ କିଛି ଶିଖିଥିଲି। ଗତବର୍ଷଠାରୁ ୱାସିମ ଜାଫର ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଟେକନିକ୍ ସହିତ ମାନସିକ ଦୃଢ଼ତା ଉପରେ ଗୁରୁତ୍ବ ଦେଇଥିଲେ। ଆଗାମି ରଣଜୀ ଟ୍ରଫିରେ ମୋତେ ୭୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ ପାଇଁ ଲକ୍ଷ୍ୟ ଦେଇଥିଲେ। ମୋତେ ଉତ୍ସାହିତ କରିବା ପରେ ମୁଁ ଏବେ ଅଧିକ ଫିଟ୍‌ ଅଛି ବୋଲି ମଧ୍ୟ ଶୁଭ୍ରାଂଶୁ କହିଛନ୍ତି।

ସମ୍ବନ୍ଧିତ ଖବର