ସୁବ୍ରତ ବେହେରା ଓସିଏର ନୂଆ ସିଇଓ

କଟକ : ପୂର୍ବତନ ରଣଜୀ କ୍ରିକେଟର ସୁବ୍ରତ ବେହେରା ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ର ନୂଆ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବତନ ସିଇଓ ବିଦ୍ୟୁତ କୁମାର ନାୟକଙ୍କଠୁ ସୋମବାର ଦାୟିତ୍ବ ଗ୍ରହଣ କରିଥିଲା ବେଳେ ଏବେ ଧୀରେଧୀରେ ପ୍ରଶାସନିକ କାର୍ଯ୍ୟକୁ ସେ ନିଜ ହାତକୁ ନେଉଛନ୍ତି। ଲୋଧା ସମିତି ସୁପାରିସ ତଥା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ସୁବ୍ରତ ପ୍ରଥମ ସିଇଓ ଭାବେ ପରିଗଣିତ ହୋଇଛନ୍ତି।

ସୁବ୍ରତ ପୂର୍ବରୁ ଜଣେ କ୍ରିକେଟର ଭାବେ ରାଜ୍ୟକୁ ପ୍ରତିନିଧିତ୍ବ କରିଛନ୍ତି। ରାଇଜି˚ ଷ୍ଟୁଡେଣ୍ଟ କ୍ଲବ୍‌ ପକ୍ଷରୁ ଖେଳଜୀବନ ଆରମ୍ଭ କରିଥିବା ସୁବ୍ରତ ପ୍ରଥମେ କନିଷ୍ଠ ସ୍ତରରେ ଓଡ଼ିଶା ପାଇଁ ଖେଳିବା ଆରମ୍ଭ କରିଥିଲେ। ପରେ ୨୦୦୧ ମସିହାରେ ବରିଷ୍ଠ ଦଳରେ ସ୍ଥାନ ପାଇଥିଲା ବେଳେ ରଣଜୀ ଜୀବନ ସେହିଠାରୁ ଆରମ୍ଭ ହୋଇଥିଲା। ଡାହାଣହାତୀ ବ୍ୟାଟ୍ସମ୍ୟାନ ଭାବେ ସେ ୧୨ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ପାଇଥିଲା ବେଳେ ଅଧିକା˚ଶ ମ୍ୟାଚ୍‌ରେ ପାଳି ଆରମ୍ଭ କରିଥିଲେ। ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୪ ଅର୍ଧଶତକ ସହ ୪୭୯ ରନ୍‌ କରିଥିଲେ। ସେହିପରି ମୋଟ ୪ଟି ଲିଷ୍ଟ ଏ’ ମ୍ୟାଚ୍‌ରେ ସେ ଖେଳିଥିଲା ବେଳେ ଗୋଟିଏ ଅର୍ଧଶତକ ସହ ୯୮ ରନ୍‌ କରିଥିଲେ। ତେବେ ବିଶେଷ ସଫଳତା ମିଳିନଥିବାରୁ ଏହାପରଠୁ ସେ ଆଉ ରାଜ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରିନଥିଲେ। ୨୦୧୦-୧୧ରୁ ୨୦୧୭-୧୮ ମସିହା ପର୍ଯ୍ୟନ୍ତ ସେ ରାଜ୍ୟ ୧୬ ବର୍ଷରୁ କମ୍‌ ଓ ୧୯ ବର୍ଷରୁ କମ୍‌ ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ଗତ ଦୁଇ ବର୍ଷ ଧରି କନିଷ୍ଠ ଦଳର ଚୟନକର୍ତ୍ତା ଭାବେ ସେ ଦାୟିତ୍ବ ତୁଲାଇ ଆସୁଥିଲେ। ଏହାବାଦ୍‌ ୨୦୧୧-୧୨ରେ ସୁବ୍ରତ ବିସିସିଆଇର ଲେଭଲ-୧ ପ୍ରଶିକ୍ଷକର ମାନ୍ୟତା ହାସଲ କରିଥିଲେ। ଗତବର୍ଷ ଲେଭଲ-୧ ପ୍ରଶିକ୍ଷକଙ୍କ ରିଫ୍ରେସର ପାଠ୍ୟକ୍ରମରେ ମଧ୍ୟ ସେ ଅ˚ଶଗ୍ରହଣ କରିଥିଲେ।

କ୍ରିକେଟ ବ୍ୟତୀତ ଲୋଧା ସମିତି ନିୟମାବଳିର ସମସ୍ତ ମାନଦଣ୍ତ ପୂରଣ କରିଥିବାରୁ ତାଙ୍କୁ ଏହି ପଦବି ପାଇଁ ଚୟନ କରାଯାଇଛି। ୨୦୦୫ ମସିହାରୁ ସୁବ୍ରତ ଆର‌୍‌ଏସ୍‌ବି ଟ୍ରାନ୍ସମିସନ୍‌ ଇଣ୍ତିଆ ଲିମିଟେଡ୍‌ର ମାନବ ସମ୍ବଳ, ପ୍ରଶାସନିକ ଓ କ୍ରୀଡ଼ା ବିଭାଗର ପ୍ରବନ୍ଧକ ଭାବେ କାର୍ଯ୍ୟ କରିଆସୁଥିଲେ। ଗତ ଫେବ୍ରୁଆରି ୮ ଓ ୯ ତାରିଖରେ ସିଇଓ ପଦବି ପାଇଁ ଘରୋଇ ସ˚ସ୍ଥା ପ୍ରାଇସ୍‌ ଓୟାରହାଉସ ଆଣ୍ତ କୋପର୍ସ ପକ୍ଷରୁ ଓସିଏ କ୍ଲବ୍‌ରେ ସାକ୍ଷାତକାର କରାଯାଇଥିଲା। ଏହି ପଦବି ପାଇଁ ପାଖାପାଖି ୧୩୦ ଜଣ ଆବେଦନ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ଜଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ସମସ୍ତଙ୍କ ମଧ୍ୟରୁ ସୁବ୍ରତଙ୍କୁ ସିଇଓ ଭାବେ ଚୟନ କରାଯାଇଥିବା ଓସିଏ ପକ୍ଷରୁ କୁହାଯାଇଛି।

ଭିଜନ୍‌ ୨୦୨୪କୁ ଗୁରୁତ୍ବ ଦେବି
ବ୍ୟକ୍ତିଗତ ଭାବେ ମୁଁ ଜଣେ ଖେଳାଳି ହୋଇଥିବାରୁ ରାଜ୍ୟ କ୍ରିକେଟକୁ ଅଧିକ ଉପରକୁ ନେବା ପାଇଁ ଉଦ୍ୟମ କରିବି। ଭିଜନ୍‌ ୨୦୨୪ ଆରମ୍ଭ ହୋଇସାରିଥିଲା ବେଳେ ଆଗକୁ ଏହି କ୍ଷେତ୍ରକୁ କିପରି ଅଧିକ ଉନ୍ନତ ଧରଣର କରିହେବ ତାହା ଉପରେ ଆମେ ଆଲୋଚନା କରିବୁ ବୋଲି ସୁବ୍ରତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବିଶେଷକରି କନିଷ୍ଠ ସ୍ତରକୁ ଅଧିକ ଧ୍ୟାନ ଦିଆଯିବ। ଖୁବ୍‌ଶୀଘ୍ର ପ୍ରଶିକ୍ଷଣ ଶିବିର ଡକାଯାଉଛି। ଏହି ସମୟରେ ଏକାଡେମୀର ବହୁଳ ବ୍ୟବହାର କରାଯିବ। ଏହାବ୍ୟତୀତ ଆମନ୍ତ୍ରଣୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରିବା ସହ ଆମେ ମଧ୍ୟ ସେଥିରେ ଅ˚ଶଗ୍ରହଣ କରିବୁ। ଫଳରେ ମ୍ୟାଚ୍‌ ଅଭ୍ୟାସ ଅଧିକ ମିଳିବ। ଆଗାମୀ ରଣଜୀ ଋତୁରେ ଓଡ଼ିଶାକୁ ବଡ଼ ଦଳମାନଙ୍କ ସହ ଖେଳିବାକୁ ପଡ଼ିବ। ତେଣୁ ଏବେଠାରୁ କଳାହାଣ୍ତି କପ୍‌ରେ ଅଧିକ ମ୍ୟାଚ୍‌ ଖେଳିବା ପାଇଁ ସୁଯୋଗ ଦେବୁ। ଜଣେ ଖେଳାଳି ପର୍ଯ୍ୟାପ୍ତ ମ୍ୟାଚ୍‌ ଖେଳିବାକୁ ପାଇଲେ, ତାହାର ପ୍ରଦର୍ଶନକୁ ଆମେ ବିଚାର କରିପାରିବା ବୋଲି ସେ କହିଛନ୍ତି। ଓସିଏ କାର୍ଯ୍ୟାଳୟରେ ସମସ୍ତେ ତାଙ୍କୁ ଜଣେ ଖେଳାଳି ଭାବେ ଜାଣିଥିଲେ। ଏବେ ସିଇଓ ଭାବେ ଯୋଗଦେଇଥିବାରୁ ଦଳଗତ ମନୋବୃତ୍ତି ନେଇ କାମ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

କିଶୋର, ଅସ୍‌ଜିତ, ଚିନ୍ମୟାନନ୍ଦ ଓସିଏର କ୍ରିକେଟ ପରାମର୍ଶଦାତା
କଟକ : କିଶୋର ମାଣିଆ, ଅସ୍‌ଜିତ ଜୟପ୍ରକାଶ ଓ ଚିନ୍ମୟାନନ୍ଦ ଜେନା ଓଡ଼ିଶା କ୍ରିକେଟର ପରାମର୍ଶଦାତା ଭାବେ ଚୟନ ହୋଇଛନ୍ତି। ଓସିଏ ପକ୍ଷରୁ ବୁଧବାର ଘୋଷଣା ହୋଇଥିବା ପରାମର୍ଶଦାତା ସମିତିରେ ଏହି ତିନିଜଣ ସ୍ଥାନ ପାଇଥିଲା ବେଳେ ସଭାପତି ପଙ୍କଜ ଲୋଚନ ମହାନ୍ତି ଅଧ୍ୟକ୍ଷ ଓ ସମ୍ପାଦକ ସ˚ଜୟ ବେହେରା ଆବାହକ ଦାୟିତ୍ବରେ ରହିବେ। ଅବସରପ୍ରାପ୍ତ ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ କିଶୋର ମାଣିଆ ଯଦିଓ ଓଡ଼ିଶା ପାଇଁ କ୍ରିକେଟ ଖେଳିନାହାନ୍ତି ତଥାପି ପ୍ରଗତି ସ୍ପୋର୍ଟି˚ର ପ୍ରଶିକ୍ଷକ ଭାବେ ଆନ୍ତର୍ଜାତିକ କ୍ରିକେଟର ଶିବସୁନ୍ଦର ଦାସ, ଶ୍ରୀତମ ଦାସ, ର˚ଜୀବ ବିଶ୍ବାଳଙ୍କ ସହ ଅନେକ ଖେଳାଳି ଗଢିଛନ୍ତି। ଦିଲ୍ଲୀର ଅସ୍‌ଜିତ ଜୟପ୍ରକାଶ ଓଡ଼ିଶା ପାଇଁ ୧୯୮୦ରୁ ୧୯୮୬ ପର୍ଯ୍ୟନ୍ତ ଖେଳିଥିଲେ। ଏପରିକି ଓଡ଼ିଶା ଦଳର ନେତୃତ୍ବ ମଧ୍ୟ ନେଇଥିଲେ। ଇ˚ରାଜୀ ପ୍ରାଧ୍ୟାପକ ଚିନ୍ମୟାନନ୍ଦ ଜେନା ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ପାଇଥିଲେ। ଏଥିସହ ସେ ଓଡ଼ିଶା ବରିଷ୍ଠ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

କ୍ରିକେଟ ପରାମର୍ଶଦାତା ସମିତି ବ୍ୟତୀତ ବିତ୍ତ ସମିତି, ପ୍ରତିଯୋଗିତା ସମିତି, ସମ୍ବିଧାନ ଓ ସ୍ବୀକୃତି ସମିତି, ଶୃଙ୍ଖଳା ସମିତି, ଖେଳସୂଚୀ ଓ ବୈଷୟିକ ସମିତି, ମଧ୍ୟସ୍ଥି ସମିତି ଇତ୍ୟାଦି ଘୋଷଣା କରାଯାଇଛି। ପ୍ରତ୍ୟେକ ସମିତିରେ ଓସିଏ ସଭାପତି ଅଧ୍ୟକ୍ଷ ଓ ସମ୍ପାଦକ ଆବାହକ ଭାବେ ରହିଛନ୍ତି। ବିତ୍ତ ସମିତିରେ ଓସିଏ କୋଷାଧ୍ୟକ୍ଷ ଏକ୍ସ-ଅଫିସିଓ ସଦସ୍ୟ ଭାବେ ରହିବେ।

ସମ୍ବନ୍ଧିତ ଖବର