ସୁବ୍ରତଙ୍କୁ ଝାଡ଼ଖଣ୍ଡ ସ୍ନୁକର ମୁକୁଟ

ଭୁବନେଶ୍ବର: ରାଞ୍ଚି କ୍ଲବ୍‌ ପରିସରରେ ଅନୁଷ୍ଠିତ ତୃତୀୟ ଝାଡ଼ଖଣ୍ଡ ଆମନ୍ତ୍ରଣୀୟ ଓପନ୍ ୬ ରେଡ୍‌ ସ୍ନୁକର ଟ୍ରଫିକୁ ଜିତି ନେଇଛନ୍ତି ଓଡ଼ିଆ ତାରକା ସୁବ୍ରତ ଦାସ। ରବିବାର ଫାଇନାଲରେ ସୁବ୍ରତ ନିଜ ରାଜ୍ୟ ସାଥୀ ତଥା ଶିଷ୍ୟ ସୌଭାଗ୍ୟ ବେହେରାଙ୍କୁ ୫-୩ରେ ହରାଇ ଏହି ଗୌରବ ପାଇଛନ୍ତି। ପ୍ରଥମ ‌ଫ୍ରେମକୁ ସୁବ୍ରତ ଜିତି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ସୌଭାଗ୍ୟ ଏହାକୁ ୧-୧ କରି ନେଇଥିଲେ। ତୃତୀୟଟି ଜିତି ସୌଭାଗ୍ୟ ଆଗୁଆ ହୋଇଥିଲେ ପୁଣି ସୁବ୍ରତ ଏହାକୁ ୨-୨ ସ୍ତରକୁ ନେଇ ଆସିଥିଲେ। ପରବର୍ତୀ ୨ ଫ୍ରେମରେ କିନ୍ତୁ ସୁବ୍ରତ ବିଜୟୀ ହୋଇ ୪-୨ରେ ଅଗ୍ରଣୀ ଲାଭ କରିଥିଲେ। ସପ୍ତମ ଫ୍ରେମକୁ ପୁଣି ସୌଭାଗ୍ୟ ଜିତି କଡ଼ା ଆହ୍ବାନ ଦେଇଥିଲେ। ତେବେ ପରବର୍ତୀ ୨ଟିକୁ ଜିତି ସୁବ୍ରତ ୧୧ ଫ୍ରେମ୍‌ ବିଶିଷ୍ଟ ଫାଇନାଲକୁ ୬-୩ରେ ଜିତି ନେଇଥିଲେ। ପୂର୍ବରୁ ସୁବ୍ରତ ସେମିଫାଇନାଲରେ ଝାଡ଼ଖଣ୍ଡର ଆଦର୍ଶ ବର୍ମାଙ୍କୁ ୫-୧ରେ ପରାସ୍ତ କରିଥିଲେ। ସେମିଫାଇନାଲରେ ସୌଭାଗ୍ୟ କିନ୍ତୁ ନିଜ ଖେଳ ଜୀବନର‌ ଶ୍ରେଷ୍ଠ ମୁକାବିଲା ଖେଳିଥିଲେ। ୦-୪ରେ ପଛୁଆ ପଡ଼ିଯିବା ସତ୍ତ୍ବେ ପରବର୍ତୀ ୫ ଫ୍ରେମକୁ ଲଗାତାର ଭାବେ ଜିତି ଝାଡ଼ଖଣ୍ଡର ଅନିଶ ପାରିଖଙ୍କୁ ହରାଇ ଦେଇଥିଲେ। ବିଜେତା ଟ୍ରଫି ସହିତ ସୁବ୍ରତଙ୍କୁ ୨୦,୦୦୦ ଟଙ୍କା ଏବଂ ସୌଭାଗ୍ୟଙ୍କୁ ୧୦,୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର