ମୁମ୍ବାଇ: ଇଂଲଣ୍ଡରେ ଅନେକ ଅଧିନାୟକ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ୱ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ଅଜିତ ଓ୍ଵାଦେକର, କପିଳ ଦେବ ଓ ରାହୁଲ ଦ୍ରାବିଡ କିନ୍ତୁ ଶୃଙ୍ଖଳା ବିଜୟର ସ୍ୱାଦ ଚାଖିଛନ୍ତି। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ୨୦୦୨ରେ ଇଂଲଣ୍ଡ ଯାଇଥିବା ଭାରତୀୟ ଦଳ ସେହି ଶୃଙ୍ଖଳାକୁ ଜିତି ପାରି ନଥିଲା, ହେଲେ ଏହାକୁ ୧-୧ରେ ଅମୀମାଂସିତ ରଖି ଉଚ୍ଚ ପ୍ରଶଂସିତ ହୋଇଥିଲା। ଭାରତୀୟ ଦଳର ଲଢ଼ୁଆ ଖେଳ ଇଂଲଣ୍ଡ ଖେଳାଳିଙ୍କୁ ମଧ୍ୟ ପ୍ରଭାବିତ କରିଥିଲା। ଓ୍ଵାଦେକର, କପିଳ ଏବଂ ଦ୍ରାବିଡ଼ଙ୍କ ସଫଳ ଗାଥା ଥିଲା ଏମିତି…
ଅଜିତ ଓ୍ଵାଦେକର
(୧୯୭୧, ୧-୦ ଶୃଙ୍ଖଳା ବିଜୟ)
ଅଧିକାଂଶ ଭାରତୀୟ କ୍ରିକେଟ୍ ପ୍ରେମୀ ୧୯୭୧ର ଏହି ଗସ୍ତକୁ ମନେ ରଖିନଥିବେ, ହେଲେ ୧୯୭୧ରେ ଅଜିତ ଓ୍ଵାଦେକରଙ୍କ ନେତୃତ୍ୱରେ ଇଂଲଣ୍ଡ ଯାଇଥିବା ଭାରତୀୟ ଦଳ ଐତିହାସିକ ସଫଳତା ଲାଭ କରିଥିଲା। ଇଂଲଣ୍ଡ ମାଟିରେ ପ୍ରଥମ ଶୃଙ୍ଖଳା ଜିତି ଭାରତୀୟ କ୍ରିକେଟ୍ରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଥିଲା। ଅଧିନାୟକ ନିଯୁକ୍ତ ହେବାର ପ୍ରଥମ ବର୍ଷରେ ହିଁ ଓ୍ଵାଦେକରଙ୍କ ନେତୃତ୍ୱରେ ଭାରତକୁ ବିଦେଶ ମାଟିରେ ୮ ଟେଷ୍ଟ୍ ଖେଳିବାର ଥିଲା। ଯାହା ତାଙ୍କ ନେତୃତ୍ୱ ଶୈଳୀ ସହ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ୱାସର କଡ଼ା ପରୀକ୍ଷା ଥିଲା। ଓ୍ଵାଦେକର ବ୍ୟକ୍ତିଗତ ଭାବେ ଏହି ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଭାରତ ମଧ୍ୟ ଦଳଗତ ଭାବେ ସଫଳତାର ନୂଆ ସ୍ତର ଛୁଇଁଥିଲା। ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇ ମୁକାବିଲାକୁ ଭାରତୀୟ ଖେଳାଳିମାନେ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲେ। ତୃତୀୟ ତଥା ଶେଷ ଟେଷ୍ଟ୍ରେ ବିଏସ୍ ଚନ୍ଦ୍ରଶେଖରଙ୍କ ସ୍ପିନ୍ ଯାଦୁ ଦେଖିବାକୁ ମିଳିଥିଲା। ଦ୍ୱିତୀୟ ପାଳିରେ ସେ ମାତ୍ର ୩୮ ରନ୍ ଦେଇ ୬ ଓ୍ଵିକେଟ୍ ନେବା ପରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ୍ ବିଜୟ ହାସଲ କରିଥିଲା। ଭାରତର ସଫଳ ପଶ୍ଚାତଧାବନରେ ଓ୍ଵାଦେକର ୪୫ ରନ୍ର ଉପଯୋଗୀ ପାଳି ଖେଳିଥିଲେ। ଇଂଲଣ୍ଡ ଧାର୍ଯ୍ୟ କରିଥିବା ୧୭୩ ରନ୍ର ବିଜୟ ଲକ୍ଷ୍ୟକୁ ୬ ଓ୍ଵିକେଟ୍ ବିନିମୟରେ ହାସଲ କରି ନେଇ ଭାରତ ମ୍ୟାଚ୍ ଏବଂ ଶୃଙ୍ଖଳାକୁ କବଜା କରି ନେଇଥିଲା।
କପିଳ ଦେବ
(୧୯୮୬, ୨-୦ ଶୃଙ୍ଖଳା ବିଜୟ)
ଅଜିତ ଓ୍ଵାଦେକରଙ୍କ ଐତିହାସିକ ସଫଳତାର ୧୫ ବର୍ଷ ପରେ ବିଶ୍ୱବିଜୟୀ ଅଧିନାୟକ କପିଳ ଦେବଙ୍କ ନେତୃତ୍ୱରେ ଭାରତ ଇଂଲଣ୍ଡରେ ଦ୍ୱିତୀୟ ଶୃଙ୍ଖଳା ବିଜୟ ହାସଲ କରିଥିଲା। ୧୯୮୬ ଗସ୍ତର ପ୍ରଥମ ଟେଷ୍ଟ୍ରୁ ସେ ଏହାର ଶୁଭାରମ୍ଭ କରି ଦେଇଥିଲେ। ଇଂଲଣ୍ଡର ଦ୍ୱିତୀୟ ପାଳିରେ ୫୨ ରନ୍ ଦେଇ ୪ ଓ୍ଵିକେଟ୍ ନେବା ସହ କପିଳ ୧୮ ବଲ୍ରୁ ଦ୍ରୁତ ୨୩* ରନ୍ କରିଥିଲେ। ଫଳରେ ଭାରତ ଏହି ମ୍ୟାଚ୍କୁ ଜିତି ୧-୦ରେ ଆଗୁଆ ହୋଇ ଯାଇଥିଲା। କପିଳ ସେହି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏହି ପରାଜୟ ଇଂଲଣ୍ଡକୁ ଏତେ ମାତ୍ରାରେ ବାଧିଥିଲା ଯେ ଅଧିନାୟକ ଡେଭିଡ୍ ଗଓ୍ଵାର ମ୍ୟାଚ୍ ଶେଷ ହେବାର ଠିକ୍ ପରେ ପରେ ନିଜ ପଦରୁ ବିତାଡ଼ିତ ହୋଇଥିଲେ। ପୁଣି ବିଶୃଙ୍ଖଳିତ ଆଚରଣ ପାଇଁ ଶୃଙ୍ଖଳାରୁ ବାଦ୍ ପଡ଼ିଥିବା ଇଆନ ବୋଥାମଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇ ଭାରତ ଦ୍ୱିତୀୟ ଟେଷ୍ଟ୍କୁ ୨୭୯ ରନ୍ର ବଡ଼ ବ୍ୟବଧାନରେ ଜିତି ନେଇଥିଲା। ଏଜ୍ବାଷ୍ଟନ୍ରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟେଷ୍ଟ୍କୁ ଅମୀମାଂସିତ ରଖି ଇଂଲଣ୍ଡ ମୂଳପୋଛ ହେବାରୁ ବର୍ତି ଯାଇଥିଲା। ଅନ୍ୟପକ୍ଷରେ ଭାରତ ପ୍ରଥମ ଥର ପାଇଁ ୨-୦ରେ ଶୃଙ୍ଖଳା ଜିତି ନେଇଥିଲା।
ସୌରଭ ଗାଙ୍ଗୁଲି
(୨୦୦୨, ୧-୧ରେ ଅମୀମାଂସିତ)
୨୦୦୨ର ନାଟେଓ୍ଵଷ୍ଟ୍ ଦିନିକିଆ ଶୃଙ୍ଖଳାର ଫାଇନାଲରେ ନାଟକୀୟ ବିଜୟ ହାସଲ କରି ଆତ୍ମବିଶ୍ୱାସର ସହ ଭାରତ ଟେଷ୍ଟ୍ ଶୃଙ୍ଖଳା ଖେଳିବାକୁ ଯାଇଥିଲା। ଅଧିନାୟକ ଭାବେ ସୌରଭ ଗାଙ୍ଗୁଲି ମଧ୍ୟ ସେତେବେଳେ ସଫଳତାର ଶୀର୍ଷରେ ଥିଲେ। ବୀରେନ୍ଦ୍ର ସେହବାଗ, ହରଭଜନ ସିଂହ ଓ ଜାହିର ଖାନଙ୍କ ଭଳି ଯୁବ ଖେଳାଳି ତାଙ୍କ ବଳିଷ୍ଠ ନେତୃତ୍ୱରେ ଜଣେ ଜଣେ ମ୍ୟାଚ୍ ବିଜୟୀ ଖେଳାଳି ହୋଇସାରିଥିଲେ। ତଥାପି ଲର୍ଡସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍କୁ ଭାରତ ଦୁର୍ଭାଗ୍ୟଜନକ ଭାବେ ହାରି ଯାଇଥିଲା। ହେଲେ ହେଡିଂଲେରେ ଭାରତ ନିଜ ଟେଷ୍ଟ୍ ଇତିହାସର ଅନ୍ୟତମ ସ୍ମରଣୀୟ ବିଜୟ ହାସଲ କରିଥିଲା। ସେହି ମ୍ୟାଚ୍ରେ ଗାଙ୍ଗୁଲି ନିଜେ ୧୨୮ ରନ୍ କରିଥିଲେ। ହେଲେ ‘ଦି ଓ୍ଵାଲ’ ରାହୁଲ ଦ୍ରାବିଡ଼ଙ୍କ ୧୪୮ ରନ୍ର ପାଳି ହିଁ ଭାରତ ବିଜୟର ପ୍ରମୁଖ କାରଣ ଥିଲା। ତୃତୀୟ ଏବଂ ଚତୁର୍ଥ ଟେଷ୍ଟ୍ ଅମୀମାଂସିତ ରହିବା ପରେ ଭାରତ ୧-୧ରେ ଗସ୍ତ ଶେଷ କରିଥିଲା।
ରାହୁଲ ଦ୍ରାବିଡ଼
(୨୦୦୭, ୧-୦ରେ ଶୃଙ୍ଖଳା ବିଜୟ)
କିଛି ମାସ ପୂର୍ବରୁ ଭାରତ ଅପ୍ରତ୍ୟାଶିତ ଭାବେ େଓ୍ଵଷ୍ଟଇଣ୍ଡିଜ୍ରେ ଆୟୋଜିତ ବିଶ୍ୱକପ୍ର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଫଳରେ ଅଧିନାୟକ ଭାବେ ରାହୁଲ ଦ୍ରାବିଡ଼ ପୂରା ଚାପରେ ଥିଲେ। ତେବେ ଦ୍ରାବିଡ଼ ଭାରତକୁ ଇଂଲଣ୍ଡରେ ଶୃଙ୍ଖଳା ଜିତାଇବାର ଅନନ୍ୟ ସଫଳତା ଲାଭ କରି ଏହି ଦୁଃଖକୁ କିଛିଟା ଦୂର କରିଥିଲେ। ୨୧ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତ ତାଙ୍କ ନେତୃତ୍ୱରେ ହିଁ ଶୃଙ୍ଖଳା ବିଜୟ ହାସଲ କରିଥିଲା। ସେହି ଶୃଙ୍ଖଳାରେ ସେ ମାତ୍ର ଗୋଟିଏ ଅର୍ଧଶତକ ଅର୍ଜନ କରିଥିଲେ। ହେଲେ ନିଜ ନେତୃତ୍ୱ ଶୈଳୀରେ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଦ୍ରୁତ ବୋଲର ଜାହିର ଖାନଙ୍କ ଅଗ୍ନିବର୍ଷୀ ବୋଲିଂରେ ଘାଇଲା ହୋଇ ଇଂଲଣ୍ଡ ଟ୍ରେଣ୍ଟବ୍ରିଜ୍ ଟେଷ୍ଟ୍ରେ ପରାଜିତ ହୋଇଥିଲା। ଅନ୍ୟ ଦୁଇ ମ୍ୟାଚ୍ ଅମୀମାଂସିତ ରହିବା ପରେ ଭାରତ ୧-୦ରେ ଶୃଙ୍ଖଳା ଜିତି ନେଇଥିଲା।