ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍ ଅନେକ ଦୃଷ୍ଟିରୁ ନୂଆ ଇତିହାସ ରଚିଛି। ଦର୍ଶକ ସଂଖ୍ୟା, ଗ୍ଲାମର ଓ ତାରକା ଭିଡ଼ରେ ଏହା ପୂର୍ବର ସବୁ ସଂସ୍କରଣକୁ ଟପି ଯାଇଛି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ୧୯ ଦିନ ଧରି ଖେଳା ଯାଇଥିବା ଏହି ହକି ମହାମୁକାବିଲାରେ ମୋଟ ୧୫୭ ଗୋଲ୍ ଦେଖିବାକୁ ମିଳିଛି। ବେଲଜିୟମର ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ ଓ ଅଷ୍ଟ୍ରେଲିଆର ବ୍ଲାକ୍ ଗ୍ରୋଭର୍ସ ୭ଟି ଲେଖାଏଁ ଗୋଲ୍ ଦେଇ ଯୁଗ୍ମ ସର୍ବାଧିକ ଗୋଲ୍ ସ୍କୋରର ହୋଇଛନ୍ତି। ପ୍ରତିଯୋଗିତାରେ ଖେଳା ଯାଇଥିବା ୩୬ ମ୍ୟାଚ୍ରେ ୪.୩୬ ହାରରେ ଗୋଲ୍ ହୋଇଛି। ଅନ୍ୟପକ୍ଷରେ ହକି ବିଶ୍ବକପ୍ ଆୟୋଜନ କରିବାରେ ଭୁବନେଶ୍ବର ପୂର୍ବ ଭାରତର ପ୍ରଥମ ସହର ହୋଇଛି। ବିଶ୍ବକପ୍ ଇତିହାସରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଉଦଘାଟନୀ ଉତ୍ସବରେ ସୁପରଷ୍ଟାର ଶାହରୁଖ ଖାନ୍, ଓସ୍କାର ବିଜୟୀ ସଂଗୀତ ନିର୍ଦେଶକ ଏଆର ରହେମାନ ଓ ଚର୍ଚିତ ନାୟିକା ମାଧୁରୀ ଦୀକ୍ଷିତ ଧୁମ୍ ମଚାଇଥିଲେ। ଉଦଯାପନୀରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପାଖରେ ପାଇ କଳିଙ୍ଗ ଦର୍ଶକ ବିମୋହିତ ହୋଇଛନ୍ତି। ମଝିରେ ବୀରେନ୍ଦ୍ର ସେହବାଗ, ଅଭିନବ ବିନ୍ଦ୍ରା, ଅନୀଲ କୁମ୍ବଲେ, ସୁଶୀଲ କୁମାରଙ୍କ ଭଳି କ୍ରୀଡ଼ା ତାରକାଙ୍କ ଉପସ୍ଥିତି ଭୁବନେଶ୍ବର ବିଶ୍ବକପକୁ ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିଥିଲା। ଆୟୋଜକ ଭାରତ ଅବଶ୍ୟ କ୍ବାର୍ଟର ଫାଇନାଲରେ ଅଟକି ଯାଇଥିଲା। ତଥାପି ଓଡ଼ିଶା ଦର୍ଶକ ହକିକୁ ଅଜସ୍ର ଭଲ ପାଇବା ଅଜାଡ଼ି ଦେଇଥିଲେ। ଚୀନ ଏଠାରେ ପ୍ରଥମ ଥର ପାଇଁ ବିଶ୍ବକପ୍ ପଦାର୍ପଣ କଲା। ବେଲଜିୟମ ପ୍ରଥମ ଫାଇନାଲ୍ ପ୍ରବେଶରେ ବିଜେତା ହେବାର ଗୌରବ ଅର୍ଜନ କରିଛି।
ଭାରତ ଷଷ୍ଠ
ଆୟୋଜକ ଭାରତ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ବେଲଜିୟମ, ନେଦରଲାଣ୍ଡ, ଅଷ୍ଟ୍ରେଲିଆ ପ୍ରଥମ ୩ ସ୍ଥାନରେ ରହି ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ ପଦକ ଜିତିଛନ୍ତି। ସେମିକୁ ଉଠିଥିଲେ ମଧ୍ୟ ଇଂଲଣ୍ଡ ଚତୁର୍ଥରେ ସନ୍ତୁଷ୍ଟ ହୋଇଛି। କ୍ବାର୍ଟରରୁ କଟିଥିବା ଜର୍ମାନି, ଭାରତ, ଆର୍ଜେଣ୍ଟିନା, ଫ୍ରାନ୍ସ ଯଥାକ୍ରମେ ପଞ୍ଚମରୁ ଅଷ୍ଟମରେ ରହି ଅଭିଯାନ ଶେଷ କରିଛନ୍ତି। ଭାରତ ଦକ୍ଷିଣ ଆଫ୍ରିକାକୁ ୫-୦ରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ବେଲ୍ଜିୟମ୍ ବିପକ୍ଷ ମ୍ୟାଚ୍କୁ ୨-୨ରେ ଅମୀମାଂସିତ ରଖିଥିଲା। କାନାଡା ବିପକ୍ଷ େଶଷ ମ୍ୟାଚ୍କୁ ୫-୧ରେ ଜିତି ଗ୍ରୁପ୍ ବିଜେତା ହୋଇଥିଲା। ତେବେ କ୍ବାର୍ଟର ଫାଇନାଲ୍ରେ ନେଦରଲାଣ୍ଡ ଠାରୁ ୧-୨ରେ ହାରି ବିଦାୟ ନେଇଥିଲା।
ବେଲଜିୟମରୁ ଆରମ୍ଭ ବେଲଜିୟମ୍ରେ ଶେଷ
ଭୁବନେଶ୍ବର ହକି ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ଓ ଫାଇନାଲରେ ପେନାଲ୍ଟି ସୁଟଆଉଟର ରୋମାଞ୍ଚ ମଧ୍ୟ ହକିପ୍ରେମୀଙ୍କ ମନ କିଣି ନେଇଛି। ଫାଇନାଲକୁ ସୁଟଆଉଟରେ ଜିତି ବେଲଜିୟମ ନିଆରା ସଫଳତାର ଅଧିକାରୀ ହୋଇଛି। ଆୟୋଜକ ଓଡ଼ିଶା ତା’ କ୍ରୀଡ଼ା ଇତିହାସରେ ଆଉ ଏକ ଐତିହାସିକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନକୁ ଯୋଡ଼ିଛି। ସଂଯୋଗ ବଶତଃ ଭୁବନେଶ୍ବର ବିଶ୍ବକପର ପ୍ରଥମ ମ୍ୟାଚ୍ ବେଲଜିୟମରୁ ଆରମ୍ଭ ହୋଇଥିଲା। ସେହି ବେଲଜିୟମ ହିଁ ବିଶ୍ବକପର ମୁଣ୍ଡି ମାରିଥିଲା। ବେଲଜିୟମ ପ୍ରଥମ ମ୍ୟାଚ୍ରେ କାନାଡାକୁ ଭେଟି ଯେଉଁ ବିଜୟ ଅଭିଯାନ ଆରମ୍ଭ କରିଥିଲା, ନେଦରଲାଣ୍ଡକୁ ହରାଇ ତାକୁ ଶେଷ କରିଥିଲା। ବେଲଜିୟମ ମଧ୍ୟ ସଂପୂର୍ଣ୍ଣ ପ୍ରତିଯୋଗିତାରେ ଅପରାଜେୟ ରହିଥିଲା। ବେଲଜିୟମ ବିଜେତା ହେବା ବାଟରେ କାନାଡାକୁ ୨-୧, ଦକ୍ଷିଣ ଆଫ୍ରିକାକୁ ୫-୧, ଭାରତ ବିପକ୍ଷ ମ୍ୟାଚକୁ ୨-୨ରେ ଅମୀମାଂସିତ, ପାକିସ୍ତାନକୁ ୫-୦, ଜର୍ମାନିକୁ ୨-୧, ଇଂଲଣ୍ଡକୁ ୬-୦, ଶେଷରେ ନେଦରଲାଣ୍ଡକୁ ୩-୨ (୦-୦)ରେ ପରାସ୍ତ କରିଥିଲା। ବେଲ୍ଜିୟମ୍ ପୁରୁଷ ହକି ବିଶ୍ବକପ୍ ଜିତିବାରେ ବିଶ୍ବର ଷଷ୍ଠ ଦେଶ ହୋଇଛି।
୧୯ ଦିନ, ୩୬ ମ୍ୟାଚ୍, ୧୫୭ ଗୋଲ୍
ରବିବାର ଉଦ୍ଯାପିତ ଚତୁର୍ଦଶ ହକି ବିଶ୍ବକପ୍ରେ ଏକାଧିକ କୀର୍ତିମାନ ପ୍ରତିଷ୍ଠା ହୋଇଛି। ନଭେମ୍ବର ୨୭ ତାରିଖରେ ଉଦଘାଟିତ ଏହି ବିଶ୍ବକପ୍ର ପରବର୍ତୀ ୧୯ ଦିନ ଭିତରେ ମୋଟ ୩୬ ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚ୍ ପିଛା ୪.୩୬ ହାରରେ ୧୫୭ ଗୋଲ୍ ସ୍କୋର ହୋଇଛି। ଅଷ୍ଟ୍ରେଲିଆ ୧୧-୦ରେ ଚୀନକୁ ହରାଇବା ସବୁଠାରୁ ବଡ଼ ବିଜୟ ହୋଇଛି। କାଂସ୍ୟ ପଦକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୮-୧ରେ ଇଂଲଣ୍ଡକୁ ହରାଇବା ମଧ୍ୟ ଏହି ପ୍ଲେ ଅଫ୍ ପାଇଁ ଏକ କୀର୍ତିମାନ ପ୍ରତିଷ୍ଠା କରିଛି। ମାଲେସିଆ (୩)-ଜର୍ମାନି (୫), ଆର୍ଜେଣ୍ଟିନା (୩)-ଫ୍ରାନ୍ସ (୫) ମୁକାବିଲାରୁ ମଧ୍ୟ ୮ ଲେଖାଏଁ ଗୋଲ୍ ମିଳିଛି। ଫାଇନାଲ୍ ମ୍ୟାଚ୍ କିନ୍ତୁ ଗୋଲଶୂନ୍ୟ ରହିବା ପରେ ସଡନ୍ ଡେଥ୍ରେ ସରିବା ଅନ୍ୟତମ ଆଣ୍ଟିକ୍ଲାଇମାକ୍ସ ଚମତ୍କାରିତା ଦେଖାଇଥିଲା।
ଭର୍ତ୍ସନା ସହ ବର୍ତିଗଲେ ହରେନ୍ଦ୍ର
ଭୁବନେଶ୍ବର: ଚଳିତ ଓଡ଼ିଶା ହକି ବିଶ୍ବକପ୍ରେ ଅମ୍ପାୟାରିଂ ସ୍ତରକୁ ସମାଲୋଚନା କରିଥିବା ଭାରତୀୟ ଦଳର ପ୍ରଶିକ୍ଷକ ହରେନ୍ଦ୍ର ସିଂହ କୌଣସି ପ୍ରକାର ଦଣ୍ଡରୁ ବର୍ତିଯାଇଛନ୍ତି। ତେେବ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ହରେନ୍ଦ୍ରଙ୍କୁ ଭର୍ତ୍ସନା କରିବା ସହିତ ଛାଡ଼ିଦେଇଛି। ଏକ ଅନ୍ତର୍ଜାତୀୟ ମ୍ୟାଚ୍ରେ ସାଧାରଣରେ ଅଯୌକ୍ତିକ ସମାଲୋଚନା କରିଥିବାରୁ ହରେନ୍ଦ୍ର ଆଚରଣ ସଂହିତାର ଲେବୁଲ୍ ୧, ୨.୨ କେ'ର ଉଲ୍ଲଂଘନ କରିଥବା ଏଫ୍ଆଇଏଚ୍ର ବୈଷୟିକ ସମିତି ଅନୁଭବ କରିଥିଲା। ସୂଚନାଯୋଗ୍ୟ, ଗତ ଗୁରୁବାର ବେଲ୍ଜିୟମ୍ ବିପକ୍ଷ କ୍ବାର୍ଟର ଫାଇନାଲ୍ରେ ଅମ୍ପାୟାରଙ୍କ ତ୍ରୁଟି ପାଇଁ ଅମିତ ରୋହିଦାସ ହଳଦିଆ କାର୍ଡରେ ଦଣ୍ଡିତ ହେବାରୁ ହରେନ୍ଦ୍ର ସିଂହ ମ୍ୟାଚ୍ ପରିବର୍ତୀ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ସ୍ବରରେ ବିରୋଧ କରିଥିଲେ। ରବିବାର ଶୁଣାଣୀ ପୂର୍ବରୁ ଶନିବାର ଏଫ୍ଆଇଏଚ୍ ମଧ୍ୟ ଏହାକୁ ସମାଲୋଚନା କରିଥିଲା। ଅଭିଯୋଗ କୌଣସି ପରସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରି ୱିଲ୍ ସ୍ପଷ୍ଟ କରି ଦେଇଥିଲେ। ହରେନ୍ଦ୍ର ବର୍ତମାନ ପାଇଁ ବର୍ତିଯାଇଥିଲେ ମଧ୍ୟ ଭବିଷ୍ୟତର ଏଫ୍ଆଇଏଚ୍ ପ୍ରତିଯୋଗିତା କିମ୍ବା ମ୍ୟାଚ୍ରେ ସମାନ ଭୁଲ ଦୋହରାଇଲେ ଦଣ୍ଡିତ ହେବାର ଆଶଙ୍କା ରହିଛି ବୋଲି ଏଫ୍ଆଇଏଚ୍ ପକ୍ଷରୁ ଚେତାଇ ଦିଆଯାଇଛି।
୩ ହ୍ୟାଟ୍ରିକ୍
ବ୍ୟକ୍ତିଗତ ତାଲିକାରେ ୩ ଜଣ ଖେଳାଳି ହ୍ୟାଟ୍ରିକ୍ ଅର୍ଜନ କରିବା ସବୁଠାରୁ ଉଲ୍ଲେଖନୀୟ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ନେଦରଲାଣ୍ଡର୍ ଜେରୋନ୍ ହର୍ଟବର୍ଜର ମାଲେସିଆ ବିପକ୍ଷ ୭-୦ ବିଜୟରେ, ଅଷ୍ଟ୍ରେଲିଆର ବ୍ଲାକ ଗୋଭର୍ସ ଚୀନ ବିପକ୍ଷ ୧୧-୦ ବିଜୟରେ ଏବଂ ରବିବାର ଶେଷ ଦିନରେ ଅଷ୍ଟ୍ରେଲିଆର ଟମ୍ କ୍ରେଗ୍ କାଂସ୍ୟ ପଦକ ମୁକାବିଲାରେ ଇଂଲଣ୍ଡ ବିପକ୍ଷରେ ୩ଟି ଲେଖାଏଁ ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ବ୍ୟକ୍ତିଗତ ସର୍ବାଧିକ ଗୋଲ୍ ତାଲିକାରେ ଅଷ୍ଟ୍ରେଲିଆର ବ୍ଲାକ ଗୋଭର୍ସ ଏବଂ ବେଲଜିୟମର୍ ଆଲେକଜାଣ୍ଡର୍ ହେଣ୍ଡ୍ରିକ୍ସ ପ୍ରତ୍ୟେକ ୭ ଲେଖାଏଁ ଗୋଲ୍ ଦେଇ ଯୁଗ୍ମ ଶୀର୍ଷରେ ରହିଥିଲେ।