ଭୁବନେଶ୍ବର: ନୂଆଦିଲ୍ଲୀରେ ଚାଲିଥିବା ଖେଲୋ ଇଣ୍ଡିଆ ପାରା କ୍ରୀଡ଼ାରେ ଜବରଦସ୍ତ ପ୍ରଦର୍ଶନ କରି ଓଡ଼ିଶା ଆଥଲେଟ୍ ସୁଚିତ୍ରା ପରିଡ଼ା ମହିଳା ଏଫ୍‌-୫୫ ଜାଭଲିନରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସୁଚିତ୍ରା ୧୮.୫୭ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ନିଜ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ସହଜରେ ପଛରେ ପକାଇ ଦେଇଥିଲେ। ତାଙ୍କଠାରୁ ୩ମିଟରରୁ ଅଧିକ ଦୂରତା ପଛକୁ ଜାଭଲିନ୍ ଫିଙ୍ଗି ଉତ୍ତରାଖଣ୍ଡର ଗରିମା ଯୋଶୀ (୧୫.୨୪ ମିଟର) ରୌପ୍ୟ ପଦକ ଜିତିଥିଲେ।  ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ସାକ୍ଷୀ କିଶାନ (୧୪.୪୧ ମିଟର) କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ।

Advertisment

 ସୁଚିତ୍ରାଙ୍କ ସଫଳତା ଓଡ଼ିଶାରେ ପାରା କ୍ରୀଡ଼ା ପ୍ରତି ବଢ଼ୁଥିବା ଆଗ୍ରହ ଏବଂ ଜାତୀୟସ୍ତରରେ ଭଲ କରିବା ଲାଗି ଓଡ଼ିଆ ଖେଳାଳିଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି। ଏହି ସଫଳତା ଲାଗି ତାଙ୍କୁ ଓଡ଼ିଶା ପାରା ସ୍ପୋର୍ଟ୍ସ ସଂଘ ଅଭିନନ୍ଦନ ଜଣାଇଛି। ଏହା ପୂର୍ବରୁ ଓଡ଼ିଶାର ଜୟନ୍ତୀ ବେହେରା ଓ ଜାନକୀ ଓରାମ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ମହିଳା ଟି-୪୭ ୧୦୦ ମିଟର ଦୌଡ଼ରେ ଜୟନ୍ତୀ ୧୩.୭୧ ସେକେଣ୍ଡ ସହ ସ୍ବର୍ଣ୍ଣ ଏବଂ ମହିଳା ଟି-୧୨ ୧୦୦ ମିଟର ଦୌଡ଼ରେ ଜାନକୀ ୧୪.୭୯ ସେକେଣ୍ଡ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ।