ପାରାଲିମ୍ପିକ୍ସରେ ପଦକ ଜିତିବାରେ ସୁହାସ ଦେଶର ପ୍ରଥମ ଆଇଏଏସ୍ ଅଧିକାରୀ

ନୂଆଦିଲ୍ଲୀ:  ଏସଏଲ୍‌-୪ ବର୍ଗ ବ୍ୟାଡମିଣ୍ଟନ୍‌ରେ ସୁହାସ ଲାଲିନାକେରେ ୟଥୀରାଜ ଜିତିଥିବା ରୌପ୍ୟ ପଦକ ଥିଲା ଟୋକିଓ ପାରାଲିମ୍ପିକ୍ସରୁ ଭାରତର ‌ଶେଷ ତଥା ଚତୁର୍ଥ ପଦକ। ରବିବାର ଫାଇନାଲ୍‌ରେ ସେ ଦୁର୍ଭାଗ୍ୟଜନକ ଭାବେ ଫ୍ରାନ୍ସର ଲୁକାସ ମାଜୁରଙ୍କଠାରୁ ୨୧-୧୫, ୧୭-୨୧, ୧୫-୨୧ରେ ପରାଜିତ ହୋଇଥିଲେ। ତଥାପି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ କରାୟତ କରି ନେଇଥିଲେ। ପାରାଲିମ୍ପିକ୍ସରେ ଫାଇନାଲକୁ ଯିବା ପୂର୍ବରୁ ସେମିଫାଇନାଲ୍‌ରେ ଇଣ୍ଡୋନେସିଆର ଫ୍ରେଡି ସେତିୟାଁଙ୍କୁ ୨୧-୯, ୨୧-୧୫ରେ ପରାସ୍ତ କରିଥିଲେ ସୁହାସ।

୩୮ ବର୍ଷୀୟ ସୁହାସ ସଂପ୍ରତି ଉତ୍ତରପ୍ରଦେଶ ଅନ୍ତର୍ଗତ ନୋଏଡାର ଗୌତମବୁଦ୍ଧ ନଗରର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଅଛନ୍ତି। ଏହି ଐତିହାସିକ ସଫଳତା ସହ ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ହୋଇଛନ୍ତି। କମ୍ପ୍ୟୁଟର ଇଞ୍ଜିନିୟରିଂ କରିଥିବା ସୁହାସ ସଫଳତାର ସହ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୨୦୨୦ରୁ ଏହି ପଦରେ ଅବସ୍ଥା‌ପିତ ଅଛନ୍ତି।  କୋଭିଡ୍-୧୯ ବିରୋଧୀ ଯୁଦ୍ଧ‌ରେ ନିର୍ଣ୍ଣାୟକ ଭୂମିକା ନେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ ସେ।

ପୂର୍ବରୁ ୨୦୧୭ ମସିହାରେ ତୁର୍କିସ୍ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ଉଭୟ ଏକକ ଏବଂ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସୁହାସ। ସେ ମଧ୍ୟ ୨୦୧୬ ଏସିଆନ୍ ଚାମ୍ପିଅନସିପ୍‌ରେ ସ୍ବର୍ଣ୍ଣ ପଦକ ସହ ୨୦୧୮ ଏସୀୟ ପାରାକ୍ରୀଡ଼ାରେ କାଂସ୍ୟ ପଦକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର