ଅନ୍ତର୍ଜାତୀୟ ଧାବକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପାଲିନ୍ଦର ଚୌଧୁରୀ ନାମକ ଜଣେ ଅନ୍ତର୍ଜାତୀୟ ଧାବକ ନୂଆଦିଲ୍ଲୀର ଜବାହର ଲାଲ ନେହରୁ ଷ୍ଟାଡିୟମରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏହି ମାମଲାର ବିଭାଗୀୟ ତଦନ୍ତ ଆରମ୍ଭ କରିଛି। ୧୮ ବର୍ଷୀୟ‌ ଚୌଧୁରୀଙ୍କୁ ଷ୍ଟାଡିୟମ ଛାତ୍ରାବାସର ପଙ୍ଖ‌ାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେଠାରୁ ତାଙ୍କୁ ତୁରନ୍ତ ସଫଦରଜଙ୍ଗ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ କିନ୍ତୁ ତାଙ୍କୁ ମୃତ ଘୋଷଣା କରିଥିଲେ। ପଇସାପତ୍ର ମାମଲା ନେଇ ନିଜ ପିତାଙ୍କ ସହ ଯୁକ୍ତିତର୍କ ହେବା ପରେ ଉତ୍ତରପ୍ରଦେଶର ଅଲିଗଡ଼ ବାସିନ୍ଦା ଚୌଧୁରୀ ଏଭଳି ଦୁଃଖଦ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ଏହି ଘଟଣା କିନ୍ତୁ ତାଙ୍କ ସା‌ଥୀ ଧାବକ ତଥା ଷ୍ଟାଡିୟମ ଛାତ୍ରାବାସ ଅନ୍ତେବାସୀଙ୍କୁ ଦୋହଲାଇ ଦେଇଛି। ପୂର୍ବ ଦିନ ସ୍ବାଭାବିକ ଭାବେ ଅଭ୍ୟାସ କରିଥିବାରୁ ଚୌଧୁରୀଙ୍କ ଏଭଳି ପଦକ୍ଷେପକୁ ସେମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ୧୦୦ ଏବଂ ୨୦୦ ମିଟର‌ ଦୌଡ଼ରେ ଚୌଧୁରୀ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରି ସାରିଥିଲେ। ଗତବର୍ଷ ଏସୀୟ ଯୁବ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ରିଲେ ସ୍ବର୍ଣ୍ଣ ଜିତିଥିଲେ।

ସମ୍ବନ୍ଧିତ ଖବର