ମେସି ପ୍ରଶଂସକଙ୍କ ଆତ୍ମହତ୍ୟା

ଚଳିତ ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ଅସହାୟତା କେବଳ ସେହି ଦେଶର ପ୍ରଶଂସକଙ୍କୁ ନୁହେଁ ଭାରତରେ ଥିବା ତା’ ସମର୍ଥକଙ୍କୁ ମଧ୍ୟ ବେଶ୍‌ ବାଧିଛି। ଅନଭିଜ୍ଞ ଆଇସଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଅମୀମାଂସିତ ରଖିବା ପରେ କ୍ରୋଏସିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଶୋଚନୀୟ ପରାଜୟ ବରଣ କରିବାକୁ ପ୍ରଶଂସକ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ପୂର୍ବ ବିଜେତା ଆର୍ଜେଣ୍ଟିନାର ଏଭଳି ଦୁର୍ଦ୍ଦଶା ପାଇଁ ଏହି ଦଳର ତାରକା ଖେଳାଳି ଲିଓନେଲ୍‌ ମେସିଙ୍କୁ ଅଧିକ ଦାୟୀ କରାଯାଉଛି। ଫଳରେ ତାଙ୍କ ପ୍ରଶଂସକ ରାତିରେ ଶୋଇ ପାରୁ ନାହନ୍ତି। ମେସିଙ୍କ ନିନ୍ଦା ସେମାନଙ୍କ ପାଇଁ ଅସହ୍ୟ ହୋଇ ଯାଇଛି। ଏହି ଦୁଃଖ ଏବଂ ବିସାଦରେ କେରଳରେ ଥିବା ମେସିଙ୍କର ଜଣେ ପ୍ରଶଂସକ ନଈକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଦିନୁ ଆଲେକ୍ସ ନାମକ ଏହି ୩୦ ବର୍ଷୀୟ ପ୍ରଶଂସକ ଜଣକ ଗୁରୁବାର ଆର୍ଜେଣ୍ଟିନା ୦-୩ରେ କ୍ରୋଏସିଆଠାରୁ ହାରିବା ପରେ ପରେ ନିଖୋଜ ହୋଇ ଯାଇଥିଲେ। ରବିବାର ତାଙ୍କ ଶବକୁ ମୀନାଚିଲ ନଈରୁ ଉଦ୍ଧାର କରାଯାଇଛି। ଘର ଛାଡ଼ିବା ପୂର୍ବରୁ ପରିବାର ପାଇଁ ଆଲେକ୍ସ ମାଲାୟଲମ୍‌ରେ ଏକ ପତ୍ର ଲେଖି ଥୋଇ ଯାଇଥିଲେ। ଏଥିରେ ସେ ଲେଖିଥିଲେ ଏହି ବିଶ୍ୱ ବ୍ରହ୍ମାଣ୍ଡରେ ମୋ ପାଇଁ ଆଉ ଦେଖିଲା ଭଳିଆ କିଛି ନାହିଁ। ମୁଁ ମୃତ୍ୟୁ ଆଡ଼କୁ ଯାଉଛି। ମୋ ମୃତ୍ୟୁ ପାଇଁ ଅନ୍ୟ କେହି ଦାୟୀ ନୁହନ୍ତି। ଆଲେକ୍ସ ନିଜେ କେବେବି ଫୁଟବଲ୍‌ ଖେଳି ନଥିଲେ ମଧ୍ୟ ସାରା ବିଶ୍ୱରେ ଖେଳା ଯାଉଥିବା ଅଧିକାଂଶ ଫୁଟବଲ୍‌ ଲିଗ୍‌କୁ ଅନୁସରଣ କରୁଥିଲେ। ଏକ ଘରୋଇ କଂପାନିରେ ସେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ଆର୍ଜେଣ୍ଟିନା-କ୍ରୋଏସିଆ ମ୍ୟାଚ୍‌ ଦେଖିବା ପରେ ସବୁଦିନ ଭଳି ସେ ଶୋଇବାକୁ ଯାଇଥିଲେ। ହେଲେ ସକାଳ ସାଢ଼େ ପାଞ୍ଚଟା ପରେ ସେ ଘରେ ନଥିବା ତାଙ୍କ ମା’ ଜାଣିବାକୁ ପାଇଥିଲେ। ଖୋଜାଖୋଜି ପରେ ତାଙ୍କ ଶୋଇବା ଘରୁ ଏକ ହାତଲେଖା ଚିଠି ମିଳିଥିଲା। ପରିବାର ଲୋକ ତୁରନ୍ତ ଏହି ବିଷୟରେ ପୁଲିସକୁ ଜଣାଇଥିଲେ। ପୁଲିସ ବହୁ ଖୋଜାଖୋଜି ପରେ ତାଙ୍କୁ ପାଇ ନଥିଲା। ଦୁଇ ଦିନ ପରେ ମୀନାଚିଲ ନଈରେ ତାଙ୍କ ଶବ ଭାଶୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର