ସୁଲ୍‌ତାନ ଜୋହର୍‌ କପ୍‌ ଦଳରେ ୩ ଓଡ଼ିଆ

ପ୍ରତାପ ଉପଅଧିନାୟକ; ଶିଳାନନ୍ଦ ଓ ସୁମନ୍‌ ବି ସାମିଲ

ନୂଆଦିଲ୍ଲୀ: ମାଲେସିଆର ଜୋହର ବହରୁଠାରେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୁଲ୍‌ତାନ ଜୋହର୍‌ କପ୍‌ ହକି ପ୍ରତିଯୋଗିତାର ସପ୍ତମ ସଂସ୍କରଣ। ୬ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା ପାଇଁ ଶନିବାର ହକି ଇଣ୍ଡିଆ ଏକ ୧୮ ଜଣିଆ କନିଷ୍ଠ ଦଳ ଘୋଷଣା କରିଛି। ବିବେକ ସାଗର ପ୍ରସାଦଙ୍କ ନେତୃତ୍ୱାଧୀନ ଏହି ଦଳରେ ତିନି ଜଣ ଓଡ଼ିଆ ତାରକା ସାମିଲ ହୋଇଛନ୍ତି। ସେମାନେ ହେଲେ ପ୍ରତାପ ଲାକ୍ରା, ସୁମନ୍‌ ବେକ୍‌ ଓ ଶିଳାନନ୍ଦ ଲାକ୍ରା। ହକି ଗାଙ୍ଗ୍‌ପୁର ଦଳର ରକ୍ଷଣଭାଗ ଖେଳାଳି ପ୍ରତାପ ୧୮ ଜଣିଆ ଦଳରେ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଗତ ସେପ୍ଟେମ୍ବର ୧୧ ତାରିଖରୁ ଭାରତୀୟ ଯୁବ ଦଳ ଲକ୍ଷ୍ନୌର ସାଇ ଜାତୀୟ ଶିବିରରେ ପ୍ରସ୍ତୁତି ଚଳାଇଛନ୍ତି। ୧୮ ଜଣିଆ ଚୂଡାନ୍ତ ଦଳ ଘୋଷଣା ପୂର୍ବରୁ ଶିବରରେ କନିଷ୍ଠ ଦଳର ପ୍ରଶିକ୍ଷକ ଜୁଡ୍‌ ଫେଲିକ୍ସ ଖେଳାଳିମାନଙ୍କୁ ଝାଳବୁହା ପରିଶ୍ରମ କରାଇଥିଲେ। ଭାରତ ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଜାପାନକୁ ଭେଟିବ। ଗୋଟିଏ ବର୍ଷର ବ୍ୟବଧାନ ପରେ ଭାରତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛି। ଗତ ଷଷ୍ଠ ସଂସ୍କରଣରେ ଭାଗ ନେଇନଥିବା ଭାରତ ପଞ୍ଚମ ସଂସ୍କରଣରେ ଉପବିଜେତା ହୋଇଥିଲା। ଭାରତ ୨୦୧୫ ଫାଇନାଲ୍‌ରେ ବ୍ରିଟେନ୍‌ ନିକଟରୁ ହାରି ଦ୍ୱିତୀୟ ସ୍ଥାନ ପାଇଥିଲା। ଏଥର ଭାରତ ବ୍ୟତୀତ ଜାପାନ, ଆୟୋଜକ ମାଲେସିଆ, ଆମେରିକା, ଅଷ୍ଟ୍ରେଲିଆ ଓ ବ୍ରିଟେନ୍‌ ଜୋହର୍‌ କପ୍‌ରେ ସାମିଲ ଅଛନ୍ତି।
ଭାରତୀୟ ଦଳ: ପଙ୍କଜ କୁମାର ରଜକ୍‌ ଓ ସେନ୍ଥାମିଜ୍‌ ଅରାସୁ ଶଙ୍କର (ଗୋଲ୍‌ରକ୍ଷକ), ସୁମନ୍‌ ବେକ୍‌, ପ୍ରତାପ ଲାକ୍ରା (ଉପଅଧିନାୟକ), ସୁଖଜିତ୍‌ ସିଂହ, ବରିନ୍ଦର ସିଂହ, ମନ୍‌ଦୀପ୍‌ ସିଂହ ଓ ସଞ୍ଜୟ (ରକ୍ଷଣଭାଗ), ହର୍‌ମନ୍‌ଜିତ୍‌ ସିଂହ, ରବିଚନ୍ଦ୍ର ସିଂହ ମୋଇରାଙ୍ଗ୍‌ଥେମ୍‌, ବିବେକ ସାଗର ପ୍ରସାଦ (ଅଧିନାୟକ), ବିଶାଲ ସିଂହ ଓ ବିଶାଲ ଅନ୍ତିଲ (ମଧ୍ୟଭାଗ), ଶିଳାନନ୍ଦ ଲାକ୍ରା, ରୌସାନ୍‌ କୁମାର, ଅଭିଶେକ, ଦିଲ୍‌ପ୍ରିତ୍‌ ସିଂହ ଓ ମନିନ୍ଦର ସିଂହ (ପୂରୋଭାଗ)।

ସମ୍ବନ୍ଧିତ ଖବର