ଫାଇନାଲରେ ସ୍ପେନ୍-କଲମ୍ବିଆ: ନାଇଜେରିଆ ନକ୍ ଆଉଟ୍

ମାରଗାଓଁ (ଗୋଆ) (ସୁରେଶ ସ୍ବାଇଁ): ଦୁଇଟି ବିପରୀତ ଗତିଧାରାର ସେମିଫାଇନାଲ୍ ସହିତ ଫିଫା ୧୭ ବର୍ଷରୁ କମ୍ ଯୁବା ବିଶ୍ବକପ୍‌ର ଗୋଆ ଚରଣ ବୁଧବାର ଶେଷ ହୋଇଛି। ପେନାଲ୍ଟିରେ ଆଫ୍ରିକୀୟ ଆଶା ନାଇଜେରିଆକୁ ନକ୍ ଆଉଟ୍ କରି ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆ ଏବଂ ୟୁରୋପୀୟ ଲ‌ଢ଼େଇରେ ଜର୍ମାନିକୁ ଶେଷ ୬ ମିନିଟରେ ହରାଇ ବିଜେତା ସ୍ପେନ୍‌ ଫାଇନାଲ୍ ପ୍ରବେଶ କରିଛନ୍ତି। ନିଜ ଛୋଟ ପାସ୍‌ ଓ ସୁନ୍ଦର ସମନ୍ବୟ ଖେଳ ପାଇଁ ସ୍ପେନ୍ ଲଗାତାର ତୃତୀୟ ଥର ଫାଇନାଲ ଖେଳିବାକୁ ଯାଉଛି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ହାରିନଥିବା ଜର୍ମାନିର ପ୍ରଥମ ‌ଫାଇନାଲ୍ ଆଶା ମଉଳିଯାଇଛି। ନଭି ମୁମ୍ବାଇ ଫାଇନାଲ୍ ପାଇଁ ଉଭୟ ଦେଶ ଟିକେଟ୍ ଅର୍ଜନ କରିନେଇଛନ୍ତି। ରବିବାର ଡି ୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ରାତି ୮.୦୦ରେ ଏହି ଲଢ଼େଇ ହେବ। ଏହା ପୂର୍ବରୁ ସେହିଦିନ ଅପରାହ୍ଣ ୪.୩୦ରେ କାଂସ୍ୟ ପଦକ ପାଇଁ ଖେଳିବେ ନାଇଜେରିଆ ଓ ଜର୍ମାନି। ପର୍ଯ୍ୟଟନ ଓ ଫୁଟବଲ୍ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା ଗୋଆରେ ଦୁଇ ସପ୍ତାହ ଧରି ଚାଲିଥିବା ଫୁଟବଲ୍ ମହୋତ୍ସବର ବି ବୁଧବାର ଅନ୍ତ ଘଟିଛି।

ଗୋଆର ଫତୋର୍ଦା ଷ୍ଟାଡିୟମ୍‌ରେ ଉଭୟ ସେମିଫାଇନାଲ୍ ଖେଳାଯାଇଥିଲା। କିନ୍ତୁ ପ୍ରଥମଟି ତୁଳନାରେ ଦ୍ବିତୀୟଟି ଥିଲା ଅଧିକ ଆକର୍ଷଣୀୟ ଓ ଦର୍ଶନୀୟ। ୟୁରୋପୀୟ ଫୁଟ୍‌ବଲ୍‌ର ନିଖୁଣ ନିଦର୍ଶନ ବି ଦେଖାଇଥିଲେ ଜର୍ମାନି ଓ ସ୍ପେନ୍‌ର‌ ବାଳିକାମାନେ। ଜର୍ମାନିର ସମନ୍ବୟ, ଡ୍ରିବଲିଂ ସାଙ୍ଗକୁ ସ୍ପେନର ଟିକ୍‌ଟାକ୍ ପୋଜିସନିଂ ଫୁଟ୍‌ବଲ୍ ଏବଂ ସୁନ୍ଦର ଗତି ଓ ଟାର୍ଗେଟିଂ ଅତି ଚମତ୍କାର ଥିଲା। ପ୍ରଥମାର୍ଦ୍ଧରେ ଜର୍ମାନି ପାଇଁ ବକ୍ସ ବାହାରୁ ଏକ ସୁନ୍ଦର ଗୋଲ୍ ଦେଇଥିଲେ ମାରା ଆଲବର୍। କିନ୍ତୁ ପ୍ରାୟ ୫ ମିନିଟ୍ ଭାର୍ ତନଖି ପରେ ଏହ‌ାକୁ ଅଫସାଇଡ୍ ଘୋଷଣା କରି ଦେଇଥିଲେ ରେଫରି। ପ୍ରଥମାର୍ଦ୍ଧର ଶେଷ କ୍ଷଣରେ ସ୍ପେନୀୟ ଡିଫେଣ୍ଡର୍ ଜୁଡିସ୍ ପଜଲସ୍ ୟେଲୋ କାର୍ଡ ପାଇବା ଥିଲା ଅନ୍ୟତମ ପ୍ରମୁଖ ଘଟଣା। ଦ୍ବିତୀୟାର୍ଦ୍ଧ ମଧ୍ୟ ପ୍ରଥମର ରିପ୍ଲେ ଭଳି ବିତିଥିଲା। ଆଟାକିଂ ଓ ମିସିଂର ଅନେକ ମୁହ‌ୂର୍ତ ଦେଖାଇଥିଲା। ୧୮୦ ମିନିଟ୍ ପରେ ଗୋଲ୍ ଦେଖିଥିଲେ ଫୁଟ୍‌ବଲ୍ ପାଗଳ ଫତୋର୍ଦା ପ୍ରଶଂସକ। ବଦଳ ଖେଳାଳି ଭାବେ ଆସିଥିବା ଦୁଇ ସ୍ପେନୀୟ ସୁନ୍ଦରୀ ଏନହୋଆ ଏଲଗୁଆସିଲ୍ ଏବଂ ଲୁସିଆ କୋରାଲ୍‌ସ (୯୦ ମିନିଟ୍) ଗୋଲ୍ ତୃଷ୍ଣା ମେଣ୍ଟାଇଥିଲେ। ପଡ଼ିଆକୁ ଆସିବାର ୪ ମିନିଟ୍ ଭିତରେ ଗୋଲ୍ ଦେଇଥିଲେ କୋରାଲ୍ସ। ଏଥି ସହିତ ବୁଧବାର୍ ରେଡ୍ ଜର୍ସିର ବିଜୟ ଘଟିଥିଲା। କଲମ୍ବିଆ ବି ରେଡ୍ ଜର୍ସିରେ ଜିତି ଫାଇନାଲ୍ ଟିକେଟ୍ ହାସଲ କରିଥିଲା। ଧଳା-କଳାରେ ଖେଳି ଜର୍ମାନି ଏବଂ ଧଳା-ସବୁଜରେ ଖେଳି ନାଇଜେରିଆ କେବଳ କାଂସ୍ୟ ପଦକ ଆଶାରେ ସୀମିତ ରହିଲେ। ପ୍ରଥମ ସେମିଫାଇନାଲକୁ ୩,୫୭୬ ଏବଂ ଦ୍ବିତୀୟକୁ ୧୦,୨୬୪ ଦର୍ଶକ ଉପଭୋଗ କରିଥିଲେ। ସ୍ପେନ୍‌ର ସାନ୍ଦ୍ରା ଭିଲ୍ଲାଫାନେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଗୋଆର ବ୍ୟାବସାୟିକ ରାଜଧାନୀ ମାର୍‌ଗାଓଁର ଜବାହରଲାଲ୍ ନେ‌ହରୁ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଆଫ୍ରିକୀୟ ଶକ୍ତି ନାଇଜେରିଆ ଭେଟିଥିଲା ଦକ୍ଷିଣ ଆମେରିକୀୟ ଦଳ କଲମ୍ବିଆକୁ। କ୍ବାର୍ଟରଫାଇନାଲ୍‌ରେ ଶକ୍ତିଶାଳୀ ଆମେରିକାକୁ ପେନାଲ୍ଟି (୪-୩) ରେ ହରାଇଥିବା ନାଇଜେରିଆ କିନ୍ତୁ ସମାନ ପଦ୍ଧତିରେ ଅଶ୍ରୁଳ ବିଦାୟ ନେଇଥିଲା। କଲମ୍ବିଆ ୬-୫ (୦-୦)ସଡନ୍ ‌ଡେଥ୍‌ରେ ଜିତି ପ୍ରଥମ ଥର ଫ‌ିଫା ଯୁବା ବିଶ୍ବକପ୍ (୧୭ ବର୍ଷରୁ କମ୍‌) ଖେଳିବାର ସୌଭାଗ୍ୟ ପାଇଛି। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚିଲିକୁ ହରାଇ ଆଗକୁ ବଢ଼ିଥିବା ସୁପର୍ ଇଗଲ୍ସ ନାଇଜେରିଆ ସମାନ ସୁଯୋଗକୁ ହାତଛଡ଼ା କରିଦେଇଛି।

ପ୍ରଥମାର୍ଦ୍ଧରେ ଦୁଇ ଦେଶ ବଲ୍ ପାସିଂ ଅପେକ୍ଷା ତୁରନ୍ତ ଆକ୍ରମଣ କରିବାକୁ ଅଧିକ ପ୍ରୟାସ କରିଥିଲେ। କିନ୍ତୁ ତାଳମେଳ ଅଭାବରୁ କାହାରିକୁ ସଫଳତା ମିଳିନଥିଲା। ସୁଟିଂ ହେଉ କି ଫିନିସିଂରେ ଫେଲ୍‌ ମାରୁଥିଲେ ଯୁବା ପ୍ରତିଭା। ପ୍ରଥମ‌ାର୍ଦ୍ଧ ଘଟଣାବହୁଳ ଥିଲା। ଗୋଲ୍ ମିସିଂ, ଏକାଧିକ ଫ୍ରି କିକ୍, ଏପରିକି ଅଫ ସାଇଡ୍ ଗୋଲ୍ ସେଲିବ୍ରେସନ୍ ବି ଦେଖିଥିଲେ ଫତୋର୍ଦା ପ୍ରଶଂସକ। ନାଇଜେରିଆ ଯୁବା ବଲ୍ ନିୟନ୍ତ୍ରଣରେ ଚମତ୍କାର ଥିଲେ ମଧ୍ୟ ଗୋଲ୍‌ରେ ପରିଣତ କରିବାରେ ନିଷ୍ଫଳ ରହୁଥିଲେ। ଏହାର ସୁଯୋଗ ନେଇ କଲମ୍ବିଆ ଘନ ଘନ ଆକ୍ରମଣ କରି ଚାଲିଥିଲା। ବିଶେଷ କରି କଲମ୍ବିଆ ଅଧିନାୟିକା ଲିଣ୍ଡା ସାଇସିଦୋ ବାରମ୍ବାର ନାଇଜେରିଆ ରକ୍ଷଣଭାଗ ଭେଦୁଥିଲେ ମଧ୍ୟ ପ୍ରତିପକ୍ଷ ଗୋଲି ‌ଫେଥ୍ ଓମିଲାନାଙ୍କ ନେତୃତ୍ବରେ ପଣ୍ଡ କରି ଦେଉଥିଲେ।

ଦ୍ବିତୀୟାର୍ଦ୍ଧ ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରିଥିଲା। ନିଜ ଦ୍ବାରା ସୃଷ୍ଟି ସୁଯୋଗକୁ ହାତଛଡ଼ା କରି ଉଭୟ ଗୋଲ୍‌ଶୂନ୍ୟ ଭାବେ ନିୟମିତ ସମୟ ଶେଷ କରିଥିଲେ। ପେନାଲ୍ଟି ସୁଟ୍ ଆଉଟ୍ ବେଳକୁ ମଧ୍ୟ ବରାବର ସ୍ଥିିତିରେ ଚାଲିଥିଲେ। ପ୍ରଥମ ୫ଟି ପେନାଲଟି ୪-୪ରେ ଶେଷ ହୋଇଥିଲା। ସଡନ୍ ଡେଥ୍ ବେଳକୁ କଲମ୍ବିଆର ଗୋଲି ଲୁଇସା ଅବୁଦେଲୋ ସପ୍ତମ ପେନାଲ୍ଟି ମାରିଥିବା ନାଇଜେରିଆର କମ୍ପୋର୍ଟ ଫୋଲୋରୁନସାଙ୍କୁ ରୋକିଦେବା ନିର୍ଣ୍ଣାୟକ ହୋଇଥିଲା। ସ୍ବାଭାବିକ ଭାବେ ନାଇଜେରୀୟ ଯୁବା ନେ‌ହରୁ ଷ୍ଟଡିୟମରେ ଲୁହ ଝରାଇଥିଲେ। ଗୋଆ ପ୍ରଶଂସକଙ୍କଠୁ ସମର୍ଥନ ପାଇଥିବା କଲମ୍ବିଆ ବି ଐତିହାସିକ ସଫଳତାର ଉଲ୍ଲାସରେ ମାତିଉଠିଥିଲେ। ବିଗତ ୪ ସଂସ୍କରଣରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଉଥିବା ଏହ‌ି ଦକ୍ଷିଣ ଆମେରିକୀୟ ଦେଶ ଏବେ ଭାରତ-୨୦୨୨ର ‘କିକ୍‌ ଅଫ୍ ଦ ଡ୍ରିମ୍’ ସ୍ଲୋଗାନକୁ ଯଥାର୍ଥ ସାବ୍ୟସ୍ତ କରି ପ୍ରଥମ ଥର ଫାଇନାଲ୍ ଉଠିଛି। କଲମ୍ବିଆର ଲୁଇସା ଆଗୁଦେଲୋ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି।

ସମ୍ବନ୍ଧିତ ଖବର