ସୁଲ୍‌ତାନ ଜୋହର କପ୍‌ ହକି: ଭାରତ ୫-ଅଷ୍ଟ୍ରେଲିଆ ୫

ଜୋହର: ଚଳିତ ସୁଲ୍‌ତାନ ଜୋହର କପ୍‌ ହକି ପ୍ରତିଯୋଗିତାର ଦଶମ ସଂସ୍କରଣରେ ଭାରତୀୟ କନିଷ୍ଠ (୨୧ ବର୍ଷରୁ କମ୍‌) ହକି ଦଳ ଚତୁର୍ଥ ମ୍ୟାଚ୍‌ରେ ପଏଣ୍ଟ ଭାଗ କରିଛି। ମାଲେସିଆକୁ ୫-୨ ଗୋଲ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ଭାରତ ଦକ୍ଷିଣ ଆଫ୍ରିକା ନିକଟରୁ ଦ୍ବିତୀୟ ମ୍ୟାଚ୍‌ ହାରିଯାଇଥିଲା। ହେଲେ ତୃତୀୟ ମ୍ୟାଚ୍‌ରେ ଜାପାନକୁ ୫-୧ ଗୋଲ୍‌ରେ ପରାସ୍ତ କରି ବିଜୟ ଧାରାକୁ ଫେରିଥିଲା। ଏହାପରେ ବୁଧବାର ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ୫-୫ ଗୋଲ୍‌ରେ ମ୍ୟାଚ୍‌ ଅମୀମାଂସିତ ରଖି ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ଅବିଚଳିତ ରହିଛି। ଭାରତ ୨ ବିଜୟ, ୧ ପରାଜୟ ଓ ୧ ଅମୀମାଂସିତ ସହ ୭ ପଏଣ୍ଟ ପାଇଥିଲା ବେଳେ ଅଷ୍ଟ୍ରେଲିଆ ୩ ବିଜୟ ଓ ୧ ଅମୀମାଂସିତ ସହ ୧୦ ପଏଣ୍ଟ ପାଇଁ ଶୀର୍ଷରେ ରହିଛି। ଶୁକ୍ରବାର ଭାରତ ତା’ର ପଞ୍ଚମ ତଥା ଶେଷ ଲିଗ୍‌ ମ୍ୟାଚ୍‌ ବ୍ରିଟେନ ସହ ଖେଳିବ।

ବୁଧବାର ମ୍ୟାଚ୍‌ରେ ଭାରତ ପକ୍ଷରୁ ବିବି ସିଂହ ଧାମୀ (୨ ମିନିଟ୍‌), ଶାରଦାନନ୍ଦ ତିୱାରୀ (୮ ଓ ୩୫ ମିନିଟ୍‌), ଅରିଜିତ ସିଂହ ହୁଣ୍ଡାଲ (୧୮ ମିନିଟ୍‌) ଓ ଅମନଦୀପ (୬୦ ମିନିଟ୍‌) ଗୋଲ୍‌ ସ୍କୋରର୍‌ ରହିଥିଲା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଲିଆମ୍‌ ହାର୍ଟ (୩ ମିନିଟ୍‌), ଜାକ୍‌ ହୋଲାଣ୍ଡ (୮ ମିନିଟ୍‌), ଜୋସୁଆ ବ୍ରୁକ୍ସ (୨୦ ଓ ୪୧ ମିନିଟ୍‌) ଓ ଜାକେ ଲାମ୍ବେଥ୍‌ (୪୯ ମିନିଟ୍‌) ଗୋଲ୍‌ ସ୍କୋରର୍‌ ରହିଥିଲେ। ଏହି ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ୨-୨, ମଧ୍ୟାନ୍ତର ୩-୩, ଚତୁର୍ଥ କ୍ବାର୍ଟର ୪-୪ ଏବଂ ନିଦ୍ଧାରିତ ସମୟ ୫-୫ ଗୋଲ୍‌ରେ ବରାରବ ରହିଥିଲା। ଏଥି ସହିତ ୧୦ ଗୋଲ୍‌ ବିଶିଷ୍ଟ ଏହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ବାଣ୍ଟି ନେଇଥିଲେ।

ସମ୍ବନ୍ଧିତ ଖବର