ଜୋହର: ଭାରତୀୟ କନିଷ୍ଠ ପୁରୁଷ ହକି ଦଳ ଚମତ୍କାର ପ୍ରଦର୍ଶନ କରି ସୁଲତାନ ଅଫ୍ ଜୋହର କପ୍ ଫାଇନାଲ୍ରେ ପ୍ରବେଶ କରିଛି। ଭାରତ ଶନିବାର ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଭେଟିବ। ଶୁକ୍ରବାର ଏଠାରେ ଖେଳାଯାଇଥିବା ନିଜର ଶେଷ ପୁଲ୍ ମ୍ୟାଚ୍ରେ ଭାରତ ୨-୧ ଗୋଲ୍ରେ ଘରୋଇ ମାଲେସିଆକୁ ମାତ୍ ଦେଇଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ର ପ୍ରଥମ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ଗୁର ଜୋତ ସିଂହ (୨୨ ମିନିଟ୍)ଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।
ତୃତୀୟ କ୍ବାର୍ଟରରେ ମାଲେସିଆର ନାଭୀନେଶ ପାନିକର (୪୩ ମିନିଟ୍) ଗୋଲ୍ଟି ଶୁଝି ସ୍ଥିତି ବରାବର କରିଦେଇଥିଲେ। ଶେଷ କ୍ବାର୍ଟରରେ ସୌରଭ ଆନନ୍ଦ କୁଶୱା (୪୮ ମିନିଟ୍) ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ଭାରତୀୟ ଦଳକୁ ୨-୧ରେ ଆଗୁଆ କରିଥିଲେ। ଆୟୋଜକ ମାଲେସିଆ ଦଳ ମ୍ୟାଚ୍କୁ ସମାନ ସ୍ତରକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଭେଦ କରି ନପାରି ପରାଜୟ ବରଣ କରିଥିଲା। ଏହି ବିଜୟ ସହ ଭାରତ ୬ ମ୍ୟାଚ୍ରୁ ୧୦ ପଏଣ୍ଟ୍ ଅର୍ଜନ କରି ଟେବୁଲର ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍ ସ୍ଥାନ ପକ୍କା କରିଥିଲା। ଲିଗ୍ ପର୍ଯ୍ୟାୟରେ କିନ୍ତୁ ଅଷ୍ଟ୍ରେଲିଆଠାରୁ ହାରିଥିବାରୁ ଫାଇନାଲ୍ରେ ପ୍ରିତିଶୋଧ ନେବାର ସୁଯୋଗ ପାଇବ ଭାରତୀୟ ଯୁବ ଦଳ।