ବାସ୍କେଟ୍‌ବଲ୍‌ ବିକାଶ ପାଇଁ କ୍ରୀଡ଼ା ସ˚ସ୍କୃତିକୁ ଆଗକୁ ଆଣିବାକୁ ହେବ: ସୁମନ ଶର୍ମା

ଖୁବ୍‌ଶୀଘ୍ର ମହିଳା ବାସ୍କେଟ୍‌ବଲ୍‌ ଲିଗ୍‌

କଟକ, (ଦୀପ୍ତିରଞ୍ଜନ ସାମଲ): ଭାରତରେ ବାସ୍କେଟବଲ୍‌କୁ ଉନ୍ନତି ପଥରେ ନେବାକୁ ହେଲେ ପ୍ରଥମେ କ୍ରୀଡ଼ା ସ˚ସ୍କୃତିକୁ ଆଗକୁ ଆଣିବାକୁ ପଡିବ। ଏହି ସ˚ସ୍କୃତି ଖେଳାଳିଙ୍କ ପରିବାରରୁ ଆରମ୍ଭ ହୋଇଥାଏ। ଅଭିଭାବକମାନେ ପ୍ରଥମେ ତାଙ୍କ ପିଲାମାନଙ୍କୁ ଖେଳିବାକୁ ଉତ୍ସାହିତ କରିବା ଆବଶ୍ୟକ। ଏହାପରେ ସ୍କୁଲ୍‌, କଲେଜ ଓ ଶେଷରେ ଭଲ ଖେଳାଳିଟିଏ ଗଢିବା ଦାୟିତ୍ବ ସରକାରଙ୍କ ଆସିଥାଏ। ତେଣୁ ଯେପର୍ଯ୍ୟନ୍ତ କ୍ରୀଡ଼ା ସ˚ସ୍କୃତି ଆସିନାହିଁ, ସେପର୍ଯ୍ୟନ୍ତ ଭବିଷ୍ୟତ ଗଢିବା ଏତେ ସହଜ ହେବନାହିଁ ବୋଲି ଭାରତର ପ୍ରଥମ ମହିଳା ଅର୍ଜୁନ ପୁରସ୍କାରପ୍ରାପ୍ତ ବାସ୍କେଟବଲ ଖେଳାଳି ସୁମନ ଶର୍ମା କହିଛନ୍ତି। ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪୬ତମ ଜାତୀୟ ଉପକନିଷ୍ଠ ବାସ୍କେଟବଲ୍‌ ପ୍ରତିଯୋଗିତାରେ ସୁମନ ଚୟନ ସମିତି ଅଧ୍ୟକ୍ଷ ଭାବେ ଖେଳାଳି ଚୟନ କରୁଛନ୍ତି।

୧୯୮୩ ମସିହାରେ ଭାରତର ଏହି ପୂର୍ବତନ ଅଧିନାୟିକାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା। ସେତେବେଳେ ସେ ପ୍ରଥମ ମହିଳା ବାସ୍କେଟବଲ ଖେଳାଳି ହୋଇଥିଲା ବେଳେ ଦୀର୍ଘ ୩୧ ବର୍ଷ ପରେ ୨୦୧୪ ମସିହାରେ ଦ୍ବିତୀୟ ମହିଳା ଭାବେ ଗୀତୁ ଆନ୍ନା ଜୋସ୍‌ଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଥିଲା। ତାଙ୍କ ବ୍ୟତୀତ ପ୍ରଶାନ୍ତି ସି˚ହ ୨୦୧୭ରେ ତୃତୀୟ ମହିଳା ଭାବେ ଅର୍ଜୁନ ପୁରସ୍କାର ପାଇଥିଲେ। ୯ଥର ଜାତୀୟ ପ୍ରତିଯୋଗିତାରେ ପଞ୍ଜାବକୁ ପ୍ରତିନିଧିତ୍ବ କରିଥିଲା ବେଳେ ଶେଷ ମ୍ୟାଚ୍‌ ୧୯୮୪-୮୫ରେ କଟକରେ ଖେଳିଥିଲେ ସୁମନ। ଏହାବ୍ୟତୀତ ୪ଥର ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି। ତେବେ ଏହି ଉପକନିଷ୍ଠ ଖେଳାଳିମାନେ ଏତେ କମ୍‌ ବୟସରୁ ଭଲ ଖେଳିବା ଜାଣିନଥାନ୍ତି। ଯେତେ ଅଧିକ ଖେଳିବେ ସେମାନଙ୍କର ଉଚ୍ଚତା ବଢିବ। ଖେଳର ମୌଳିକତାକୁ ଏମାନେ ବୁଝିବେ ଏବ˚ ବିଭିନ୍ନ କୌଶଳ ଶିଖିବେ। ହେଲେ ବର୍ତ୍ତମାନ ସମୟରେ କ୍ରିକେଟକୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳ ପ୍ରତି ପିଲାମାନଙ୍କର ଆଗ୍ରହ କମିଯାଉଛି। ତେଣୁ ଅଭିଭାବକମାନେ ଏଥିପ୍ରତି ଧ୍ୟାନ ଦେବାକୁ ହେବ। ପାଠ ପଢିବା ସହିତ ଖେଳକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବା ଉଚିତ୍‌। ଯେତେ ଅଧିକ ଖେଳିବେ ସେମାନଙ୍କର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ତେବେ ଡେରିରେ ପ୍ରତିଯୋଗିତାରେ ଯୋଗଦେଇଥିବାରୁ ଓଡ଼ିଶା ଖେଳାଳିଙ୍କ ପ୍ରଦର୍ଶନ ଦେଖିପାରିନାହାନ୍ତି। ତଥାପି ଖେଳାଳିଙ୍କ ମାନ ବୃଦ୍ଧି କରିବାକୁ ହେଲେ ଭଲ ପ୍ରଶିକ୍ଷକ ନିଯୁକ୍ତ କରିବାକୁ ହେବ ଏବ˚ ଏକାଧିକ ଏକାଡେମି ଖୋଲିବାକୁ ପଡ଼ିବ। ପିଲାଙ୍କ ଭିତରୁ ପ୍ରତିଭା ଚିହ୍ନଟ କରି ତାକୁ ମାର୍ଜିତ କରିବାକୁ ହେବ। ଏପରି କମ୍‌ ବୟସରେ ସେମାନଙ୍କୁ ଖେଳପ୍ରତି ଆକୃଷ୍ଟ କରାଇବାକୁ ହେବ ବୋଲି ସୁମନ କହିଛନ୍ତି। ବାସ୍କେଟବଲ୍‌କୁ ଅଧିକ ଲୋକପ୍ରିୟ କରାଇବା ପାଇଁ ମହାସ˚ଘ ପକ୍ଷରୁ ପେସାଦାର ଲିଗ୍‌ କରାଇବାକୁ ଚିନ୍ତା କରାଯାଉଛି। ଖୁବ୍‌ଶୀଘ୍ର ମହିଳା ଲିଗ୍‌ ଆରମ୍ଭ ହେବ। ପେସାଦାର ଲିଗ୍‌ କରାଇଲେ, ଖେଳାଳିଙ୍କୁ ଟଙ୍କା ମିଳିବ, ଗଣମାଧ୍ୟମରେ ସେମାନଙ୍କର ପ୍ରଚାର ହେବ ଏବ˚ ପ୍ରାୟୋଜକମାନେ ଆସିବେ। ଏହାଦ୍ବାରା ବାସ୍କେଟବଲ ପ୍ରତି ଆଗ୍ରହ ବଢିବ ବୋଲି ଆଶା କରାଯାଉଛି। ଏଭଳି ଧାରା ଚାଲିଲେ ଭାରତରେ ବାସ୍କେଟବଲ୍‌ର ଭବିଷ୍ୟତ ଉଜ୍ବଳ ହୋଇପାରିବ ବୋଲି ସୁମନ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର