୩ ଥର ବିଶ୍ବ କୀର୍ତ୍ତିମାନ ଭାଙ୍ଗିଲେ ସୁମିତ: ଏକଦା ନୀରଜଙ୍କ ସହ ମୁକାବିଲା କରି ଚର୍ଚ୍ଚିତ ‌ହୋଇଥିଲେ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସର ଏଫ୍‌-୬୪ ପୁରୁଷ ଜାଭଲିନ୍‌ରେ ଭାରତର ସୁମିତ ଆନ୍ତିଲ ସୋମବାର ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଥିଲେ। ନିଜ ସ୍ବର୍ଣ୍ଣ ପଦକ ବିଜୟ ସଫଳତାରେ ରାଜସ୍ଥାନର ଏହି ରିୟଲ ହିରୋ ଅବିଶ୍ବସନୀୟ ଭାବେ ୩ଥର ନି‌ଜେ ନିଜର ବିଶ୍ବ କୀର୍ତ୍ତିମାନ ଭାଙ୍ଗିଥିଲେ। ଫାଇନାଲ୍‌ରେ ତାଙ୍କ ଶ୍ରେଷ୍ଠ ଥ୍ରୋ ଥିଲା ୬୮.୮୫ ମିଟର। ହରିୟାଣାର ୨୩ ବର୍ଷୀୟ କ୍ରୀଡ଼ା ତାରକା ସୁମିତ କିନ୍ତୁ ପ୍ରଥମ ରାଉଣ୍ଡରେ ହିଁ ୬୬.୯୫ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହା ପରେ ସେ ନିଜ ପ୍ରଦର୍ଶନକୁ କ୍ରମଶଃ ଆହୁରି ଭଲ କରି ଚାଲିଥିଲେ। ଦ୍ବିତୀୟ ଥ୍ରୋରେ ୬୮.୦୮ ଏବଂ ତୃତୀୟ ତଥା ଚତୁର୍ଥ ‌ଥ୍ରୋରେ ୬୫.୨୭ ଏବଂ ୬୬.୭୧ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗିଥିଲେ ସେ। ପଞ୍ଚମ ତଥା ଶେଷ ଥ୍ରୋରେ ୬୮.୮୫ ମିଟର ଦୂରତା ଛୁଇଁବା ବେଳକୁ ୩ ଥର ବିଶ୍ବ କୀର୍ତ୍ତିମାନ ଭାଙ୍ଗି ସାରିଥିଲେ ସୁମିତ। ବିଶ୍ବ ଜାଭଲିନ୍‌ର ନୂଆ ପୋଷ୍ଟରବୟ ନୀରଜ ଚୋପ୍ରା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଥିଲେ। ଚଳିତବର୍ଷ ପତିଆଲାରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ରେ ନୀରଜ ଓ ସୁମିତ ପରସ୍ପର ସହ ମୁକାବିଲା କରି ବେଶ୍ ଚର୍ଚ୍ଚିତ ହୋଇଥିଲେ। ସୁମିତ ସେତେବେଳେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ବେଳେ ନୀରଜ ପ୍ରଥମ ସ୍ଥାନରେ ରହିଥିଲେ। ଅନ୍ୟତମ ଭାରତୀୟ ସନ୍ଦୀପ ଚୌଧୁରୀ ୬୨.୨୦ ମିଟରର ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ‌ ସହ ଚତୁର୍ଥ ସ୍ଥାନରେ ରହିଥିଲେ। ଅଷ୍ଟ୍ରେଲିଆର ମାଇକେଲ୍ ବୁରିଆନ୍‌ ରୌପ୍ୟ ଏବଂ ଶ୍ରୀଲଙ୍କାର ଦୁଲାନ‌ କୋଡିଥୁୱାକୁ କାଂସ୍ୟ ପଦକ ପାଇଥିଲେ।

ଡିସ୍‌କସ୍‌ରେ କାଥୁନିଆ କମାଲ

ବିନା ପ୍ରଶିକ୍ଷକରେ ଟୋକିଓ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ନୂଆଦିଲ୍ଲୀର କିରୋରିମଲ୍ କଲେଜ ଛାତ୍ର ଯୋଗେଶ କାଥୁନିଆଙ୍କ ରୌପ୍ୟ ପଦକ ବିଜୟ ଭାରତ ପାଇଁ ସୋମବାରର ଆଉ ଏକ ବିରାଟ ଖୁସି ଖବର ଥିଲା। ୨୪ ବର୍ଷୀୟ କାଥୁନିଆ ଏଫ୍‌-୫୬ ପୁରୁଷ ଡିସକସ୍‌ରେ ଏହି ସଫଳତା ଲାଭ କରିଥିଲେ। ନିଜ ଷଷ୍ଠ ପ୍ରୟାସରେ ହାସଲ କରିଥିବା ୪୪.୩୮ ମିଟରର ସଫଳତା ତାଙ୍କୁ ଦ୍ବିତୀୟ ସ୍ଥାନରେ ପହଞ୍ଚାଇ ଦେଇଥିଲା। ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ମାତ୍ର ୮ ବର୍ଷ ବୟସରେ ପକ୍ଷାଘାତର ଶିକାର ହୋଇଥିବା କାଥୁନିଆ ପରବର୍ତ୍ତୀ ସମୟରେ ପାରା ଖେଳରେ ଯୋଗଦେଇ ଢେର ସଫଳତା ସାଉଣ୍ଟିଥିଲେ। ଏହା ପୂର୍ବରୁ ୨୦୧୯ ବିଶ୍ବ ପାରା ଆଥଲେଟିକ୍ସରେ ସେ କାଂସ୍ୟ ପଦକ ଜିତିଥିଲେ। ଏହା ମଧ୍ୟ ତାଙ୍କୁ ଟୋକିଓ ଟିକେଟ୍‌ ଦେଇଥିଲା। ବ୍ରାଜିଲର କ୍ଲାଉଡିନି ବାତିସ୍ତା (୪୫.୫୯ ମିଟର) ସ୍ବର୍ଣ୍ଣ ଏବଂ ଲିଓନାର୍ଡୋ ଡିଆଜ୍ ଆଲଦାନା (୪୩.୩୬ ମିଟର) ରୌପ୍ୟ ପଦକ ପାଇଥିଲେ।

ଅସାଧାରଣ ଅବନୀଙ୍କ ସୁନେଲି ସଫଳତା

ମାତ୍ର ୧୧ ବର୍ଷର ହୋଇଥିଲା ବେଳେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିବା ପରେ କୁନି ଝିଅଟିର ଶରୀର ଅଣ୍ଟାଠାରୁ ତଳକୁ ସଂପୂର୍ଣ୍ଣ ଅକାମି ହୋଇଗଲା। ଜୀବନ ବି ଏକପ୍ରକାର ହୁଇଲ୍ ଚେୟାରରେ ଆବଦ୍ଧ ହୋଇ ଯାଇଥିଲା। ହେଲେ ଏଥିନେଇ ହାରି ଯାଇ ନଥିଲା ସେ। ନିଜ ଅକ୍ଷମତାକୁ ଶକ୍ତି ଓ ସାମର୍ଥରେ ପରିଣତ କରି ବନ୍ଧୁକ ଚାଳନାରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିଲା। ଆଜି ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ‌କେବଳ ନିଜ ମାତାପିତା କିମ୍ବା ବନ୍ଧୁ ପରିବାର ନୁହେଁ, ସମଗ୍ର ଭାରତବର୍ଷକୁ ଗର୍ବିତ କଲା। ଏହି ସାହସିକ ଯାତ୍ରାର ସଫଳ ନାୟିକା ହେଉଛନ୍ତି ରାଜସ୍ଥାନ ରାଜଧାନୀ ଜୟପୁର ସହର ବାସିନ୍ଦା ଅବନୀ ଲେଖରା। ସୋମବାର ଅବନୀ ଭାରତୀୟ କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଏହି ୧୯ ବର୍ଷୀୟା କିଶୋରୀ ଟୋକିଓ ପାରାଲିମ୍ପିକ୍ସର ମହିଳା ୧୦ ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ଏହି ଇଭେଣ୍ଟରୁ ଏବଂ ଯେ କୌଣସି ପାରା ଖେଳରୁ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି ସେ। ଅବନୀ ମଧ୍ୟ ୨୪୯.୬ ପଏଣ୍ଟ ଅର୍ଜନ କରି ବିଶ୍ବ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ଚତୁର୍ଥ ଭାରତୀୟ। ତାଙ୍କ ପୂର୍ବରୁ ମୁରଲୀକାନ୍ତ ପେଟକର (୧୯୭୨), ଦେବେନ୍ଦ୍ର ଝାଝରିଆ (୨୦୦୪, ୨୦୧୬), ଥଙ୍ଗଭେଲୁ ମେରିୟାପନ୍ (୨୦୧୬) ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସୋମବାର ଅନ୍ୟତମ ଭାରତୀୟ ଭାବେ ସୁମିତ ଆନ୍ତିଲ ମଧ୍ୟ ପୁରୁଷ ଜାଭଲିନରେ ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ୨୦୧୫ ମସିହାରେ ବନ୍ଧୁକ ଚାଳନା ଜଗତରେ ଆନୁଷ୍ଠାନିକ ଭାବେ ପାଦ ଦେଇଥିବା ଅବନୀ ସଂପ୍ରତି ଆଇନ ପଢ଼ୁଛନ୍ତି। ଏହି ଅନନ୍ୟ ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର