ବାର୍ଥ ଡେ’ ବୟ ଥିମ୍‌ଙ୍କଠୁ ହାରିଲେ ସୁମିତ, ମରେଙ୍କ ପ୍ରତ୍ୟାବର୍ତ୍ତନ ଫିକା

ନ୍ୟୁୟର୍କ : ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡୋମିନିକ ଥିମ୍‌ ଗୁରୁବାର ୨୭ ବର୍ଷରେ ପଦାର୍ପଣ କରିଥିଲେ। ତାଙ୍କର ଏହି ଜନ୍ମଦିନରେ ସେ ଚଳିତ ୟୁଏସ୍‌ ଓପନ୍‌ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରି ଏହାକୁ ଆହୁରି ସ୍ମରଣୀୟ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ଅଷ୍ଟ୍ରିଆର ଥିମ୍‌ ୬-୩, ୬-୩, ୬-୨ ସେଟ୍‌ରେ ଯୁବ ଭାରତୀୟ ‌ଟେନିସ୍‌ ତାରକା ସୁମିତ ନଗଲଙ୍କୁ ପରାସ୍ତ କରିଥିଲେ। ୭ ବର୍ଷ ବ୍ୟବଧାନରେ କୌଣସି ଭାରତୀୟ ଭାବେ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ୨୩ ବର୍ଷୀୟ ସୁମିତଙ୍କ ପରାଜୟ ସହ ପୁରୁଷ ଏକକରେ ଭାରତର ଅଭିଯାନ ଶେଷ ହୋଇଛି। ଥିମ୍‌ ତୃତୀୟ ପର୍ଯ୍ୟାୟରେ ୨୦୧୪ ବିଜେତା କ୍ରୋଏସିଆର ମାରିନ ସିଲିକଙ୍କୁ ଭେଟିବେ। ୩୧ ମାନ୍ୟତାପ୍ରାପ୍ତ ସିଲିକ୍‌ ୬-୧, ୧-୬, ୭-୬, ୭-୫ ସେଟ୍‌ରେ ୧୦୪ ମାନ୍ୟତାପ୍ରାପ୍ତ ସ୍ଲୋଭାକିଆର ନୋର୍ବଟ ଗୋମ୍ବୋସଙ୍କୁ ପରାସ୍ତ କରିଥିଲେ। ଫଳରେ ୩୧ ବର୍ଷୀୟ ସିଲିକ୍‌ ଲଗାତାର ଭାବେ ସପ୍ତମ ଥର ଲାଗି ତୃତୀୟ ପର୍ଯ୍ୟାୟର ‌ପହଞ୍ଚିବାର ଗୌରବ ପାଇଛନ୍ତି।

ଅନ୍ୟ ପୁରୁଷ ଖେଳାଳିଙ୍କ ମଧ୍ୟରେ ତୃତୀୟ ମାନ୍ୟତାପ୍ରାପ୍ତ ଡାନିଏଲ୍‌ ମେଦଭେଦେଭ, ମାତିଓ ବେରେତିନି (ଷଷ୍ଠ), ରବର୍ଟ ବତିସ୍ତା ଅଗୁଟ (ଅଷ୍ଟମ), ଆଣ୍ଡି ରୁବଲେଭ (ଦଶମ) ଦ୍ବିତୀୟ ପର୍ଯ୍ୟାୟ ଅତିକ୍ରମ କରିଛନ୍ତି। ଗତ ବର୍ଷ ଫାଇନାଲ୍‌ରେ ରାଫେଲ୍‌ ନାଦାଲଙ୍କଠୁ ପରାଜିତ ହୋଇଥିବା ରୁଷିଆର ମେଦଭେଦଭ ୬-୩, ୬-୨, ୬-୪ ସେଟ୍‌ରେ ଅଷ୍ଟ୍ରେଲିଆର ଖ୍ରିଷ୍ଟୋଫର ଓ’କନେଲଙ୍କୁ ହରାଇଥିଲେ। ଇଟାଲିର ବେରେତିନି ୬-୪, ୬-୪, ୭-୬ ସେଟ୍‌ରେ ଫ୍ରାନ୍ସର ଉଗୋ ହମବର୍ଟଙ୍କୁ, ସ୍ପେନ୍‌ର ଅଗୁଟ ୬-୩, ୩-୬, ୬-୩, ୬-୪ ସେଟ୍‌ରେ ସର୍ବିଆର ମିଓମିର କେସମ‌େନାଭିକଙ୍କୁ ଏବଂ ରୁଷିଆର ରୁବଲେଭ ୬-୨, ୬-୪, ୭-୬ ସେଟ୍‌ରେ ଫ୍ରାନ୍ସର ଗ୍ରିଗୋରି ବାରେରେଙ୍କୁ ପରାସ୍ତ କରିଥିଲେ। ତେବେ ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି ଇଂଲଣ୍ଡର ଆଣ୍ଡି ମରେଙ୍କ ପ୍ରତ୍ୟାବର୍ତ୍ତନ ଫିକା ପଡ଼ିଯାଇଛି। ୨୦୧୨ ବିଜେତା ମରେ ଦ୍ବିତୀୟ ପର୍ଯ୍ୟାୟରେ ସିଧାସଳଖ ୨-୬, ୩-୬, ୪-୬ ସେଟ୍‌ରେ କାନାଡ଼ାର ଫେଲିକ୍ସ ଅଗେର ଆଲିଆସିମେଙ୍କଠୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର