ଭୁବନେଶ୍ବର: ଆସନ୍ତା ୨୦୨୪-୨୫ ଋତୁ ପାଇଁ ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ବରେ ୧୭ ଜଣିଆ ଓଡ଼ିଶା ରଣଜୀ ଦଳର ଘୋଷଣା କରାଯାଇଛି। ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ଏ’ରେ ସ୍ଥାନ ପାଇଥିବା ଓଡ଼ିଶାର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଏହି ଦଳ ଖେଳିବ। ଅକ୍ଟୋବର ୧୧ ତାରିଖରେ ଓଡ଼ିଶା ପ୍ରଥମ ମ୍ୟାଚ୍ରେ ତ୍ରିପୁରାକୁ ଭେଟିବ। ଜମ୍ମୁ କଶ୍ମୀର ସହିତ ଘରୋଇ ମ୍ୟାଚ୍ ୧୮ ତାରିଖରୁ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ବୋଲି ମୁଖ୍ୟ ଚୟନକର୍ତ୍ତା ଅମୀୟ ରାୟ ଓ ମୁଖ୍ୟ ପ୍ରଶିକ୍ଷକ ସୁରେନ୍ଦ୍ର ଭାବେ ସୂଚନା ଦେଇଛନ୍ତି।
ଘୋଷିତ ଦଳରେ ଦୁଇ ନୂଆ ମୁହଁକୁ ସାମିଲ କରାଯାଇଛି। ଗତ ଋତୁରେ ଦଳରେ ସ୍ଥାନ ପାଇଥିବା ବାମହାତୀ ସ୍ପିନର ସୁମିତ ଶର୍ମା ବୟସ ଜାଲିଆତି ମାମଲାରେ ବାସନ୍ଦ ହେବାରୁ ପଦାର୍ପଣ କରିପାରି ନଥିଲେ। କିନ୍ତୁ ବିସିସିଆଇ ତାଙ୍କୁ କ୍ଲିନ୍ ଚିଟ୍ ଦେଇଥିବାରୁ ସେ ଚଳିତ ଋତୁରେ ପୁଣି ଥରେ ଓଡ଼ିଶା ଦଳରେ ସ୍ଥାନ ପାଇଛନ୍ତି। ତାଙ୍କ ବ୍ୟତୀତ ଶୁଭ୍ରାଂଶୁ ସେନାପତି ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶ ଚାଲିଯାଇଥିବାରୁ ତାଙ୍କ ସ୍ଥାନ ପୂରଣ କରିବାକୁ ଯୁବ ବ୍ୟାଟର୍ ଅନୀଲ ପରିଡ଼ାଙ୍କୁ ସାମିଲ କରାଯାଇଛି। ଅନୀଲ ଗତ ଋତୁରେ ୨୩ ବର୍ଷରୁ କମ୍ ରାଜ୍ୟ ଦଳରେ ଖେଳିଥିଲା ବେଳେ ଅଗ୍ରଣୀ ରନ୍ ସଂଗ୍ରହକାରୀ ଥିଲେ। ଅନ୍ୟପକ୍ଷରେ ୧୯ ବର୍ଷରୁ କମ୍ ଦଳର ବ୍ୟାଟର୍ ଶ୍ରେୟାଂଶ ଭରଦ୍ବାଜ ମଧ୍ୟ ଅନ୍ୟତମ ବିକଳ୍ପ ଥିଲେ। ହେଲେ ଭିନୁ ମଙ୍କଡ଼ ଟ୍ରଫିରେ ଖେଳିବାକୁ ସେ ଜୟପୁର ଚାଲିଯାଇଥିବାରୁ ତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ। ସୂଚନାଯୋଗ୍ୟ, ଗତ ରଣଜୀ ଋତୁରେ ଓଡ଼ିଶା ୭ ମ୍ୟାଚ୍ରୁ ୧ ବିଜୟ ଓ ୪ ପରାଜୟ ମ୍ୟାଚ୍ରୁ ୧୨ ପଏଣ୍ଟ ପାଇବା ସହ ଏଲିଟ୍ ଗ୍ରୁପ୍ ଡି’ରେ ସପ୍ତମ ସ୍ଥାନରେ ରହିଥିଲା।
ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ବିପ୍ଳବ ସାମନ୍ତରାୟ, କାର୍ତ୍ତିକ ବିଶ୍ବାଳ, ସ୍ବସ୍ତିକ ସାମଲ, ରାଜେଶ ଧୂପର, ଆଶୀର୍ବାଦ ସ୍ବାଇଁ, ଅନୀଲ ପରିଡ଼ା, ସୂର୍ଯ୍ୟକାନ୍ତ ପ୍ରଧାନ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତରଣୀ ସା’, ହର୍ଷିତ ରାଠୋଡ଼, ସୁମିତ ଶର୍ମା।