ନୂଆଦିଲ୍ଲୀ, : ଭାରତୀୟ କୁସ୍ତି ଯୋଦ୍ଧା ସୁମିତ ମଲିକଙ୍କ ଅଲିମ୍ପିକ୍ସ ଖେଳିବା ଆଶା ଧୂଳିସାତ୍ ହୋଇଯାଇଛି। ଶୁକ୍ରବାର ନିଷିଦ୍ଧ ଔଷଧ ସେବନ ନେଇ ତାଙ୍କୁ ସଂଯୁକ୍ତ ବିଶ୍ବ କୁସ୍ତି (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଦୁଇ ବର୍ଷ ଲାଗି ବାସନ୍ଦ କରିଛି। ପୂର୍ବରୁ ତାଙ୍କ ‘ଏ’ ନମୂନା ରିପୋର୍ଟରେ ନିଷିଦ୍ଧ ଔଷଧର ମାତ୍ରା ଥିବା ଜଣାପଡ଼ିଥିଲା। ଶୁକ୍ରବାର ଆସିଥିବା ‘ବି’ ନମୂନା ରିପୋର୍ଟରେ ନିଷିଦ୍ଧ ଔଷଧ ଥିବାରୁ ୟୁଡବ୍ଲ୍ୟୁଡବ୍ଲ୍ୟୁ ସୁମିତଙ୍କୁ ବାସନ୍ଦ କରିଛି। ୨୮ ବର୍ଷୀୟ ସୁମିତଙ୍କୁ ଏହି ନିଷ୍ପତ୍ତି ଗ୍ରହଣ ଏବଂ ପ୍ରତିବାଦ କରିବା ଲାଗି ଗୋଟିଏ ସପ୍ତାହ ମହଲତ ମିଳିଛି। ସୋଫିଆରେ ଆୟୋଜିତ ବିଶ୍ବ ଅଲିମ୍ପିକ୍ସ ଯୋଗ୍ୟତା ପ୍ରତିଯୋଗିତା ବେଳେ ସେ ନିଷିଦ୍ଧ ଔଷଧ ସେବନ ପରୀକ୍ଷାରେ ବିଫଳ ହେବାରୁ ଗତ ମାସରେ ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ସେ ୧୨୫ କିଲୋଗ୍ରାମ ବର୍ଗରେ ଅଲିମ୍ପିକ୍ସ ଟିକେଟ୍ ମଧ୍ୟ ହାସଲ କରିଥିଲେ। ତାଙ୍କ ‘ବି’ ନମୂନା ଜୁନ୍ ୩୦ରେ ଖୋଲାଯାଇଥିଲା। ଉଭୟ ରିପୋର୍ଟ ସମାନ ରହିଥିଲା। ଆଣ୍ଠୁ ଯନ୍ତ୍ରଣା ପାଇଁ ପୀଡ଼ା ନିବାରଣ ବଟିକା ଖାଇଥିଲେ ବୋଲି ସୁମିତ ଗଣମାଧ୍ୟମକୁ କହିଛନ୍ତି। ‘‘ସୁମିତ ମଲିକଙ୍କ ‘ବି’ ନମୂନା ରିପୋର୍ଟ ସମାନ ରହିଛି। ୟୁଡବ୍ଲ୍ୟୁଡବ୍ଲ୍ୟୁ ତାଙ୍କୁ ଜୁନ୍ ୩ ତାରିଖରୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି। ଜବାବ ଲାଗି ଗୋଟିଏ ସପ୍ତାହ ସମୟ ଦିଆଯାଇଛି। ଏହି ସମୟରେ ଏହାକୁ ଗ୍ରହଣ କିମ୍ବା ଆଉଥରେ ଶୁଣାଣି ଲାଗି ଅପିଲ କରିପାରିବେ’’ ବୋଲି ଭାରତୀୟ କୁସ୍ତି ମହାସଂଘ ସୂତ୍ରରୁ ସୂଚନା ମିଳିଛି। ଆଗକୁ କି ପଦକ୍ଷେପ ସୁମିତ ନେବେ ସେଥିପାଇଁ ଆଇନଜୀବୀଙ୍କ ସହ ଆଲୋଚନା କରୁଥିବା ନେଇ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି।
ସୁମିତ ଦୁଇ ବର୍ଷ ବାସନ୍ଦ, ଅଲିମ୍ପିକ୍ସ ଆଶା ଧୂଳିସାତ୍
/sambad/media/post_attachments/wp-content/uploads/2021/07/Sumit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)