ମେଲ୍ବର୍ଣ୍ଣ: ନୀତୀଶ କୁମାର ରେଡ୍ଡୀ ଯେ ବଡ଼ ମଞ୍ଚ ପାଇଁ ପ୍ରସ୍ତୁତ ହୋଇ ଆସିଥିଲେ ପୁଣି ଥରେ ପ୍ରମାଣିତ କରିଛନ୍ତି। ଶୁବମନ ଗିଲଙ୍କୁ ବସାଇ ଭାରତ ଏକାଧିକ ଅଲରାଉଣ୍ଡ୍ର ଖେଳାଇବା ବିତର୍କ ବି ପଛରେ ପଡ଼ିଯାଇଛି। ଶନିବାର ନୀତୀଶ କୁମାର ରେଡ୍ଡୀ ଏବଂ ୱାସିଂଟନ୍ ସୁନ୍ଦରଙ୍କ ଯୋଡ଼ି ଶତକୀୟ ଭାଗୀଦାରି କରି ଭାରତକୁ ପୁଣି ଜେଲ୍କୁ ମୁକୁଳାଇଛନ୍ତି। ଭ୍ରମଣକାରୀ ଭାରତ ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇ ନଥିଲେ ମଧ୍ୟ ଅନ୍ୟୂନ ପରାଜୟ ଏଡ଼ାଇବାର ସାହସ ଜୁଟାଇପାରିଛି। ଅଷ୍ଟ୍ରେଲିଆର ୪୭୪ ରନ୍ ପ୍ରଥମ ପାଳିକୁ ପିଛା କରିଥିବା ଭାରତ ଶନିବାର ଫଲୋଅନ୍ ଏଡ଼ାଇବା ସହ ତୃତୀୟ ଦିନ ଖେଳ ସୁଦ୍ଧା ୯ ୱିକେଟ୍ ହରାଇ ୩୫୮ ରନ୍ ସଂଗ୍ରହ କରିଛି। ରୋହିତ ଶର୍ମାଙ୍କ ଦଳ ଏବେ ବି ୧୧୬ ରନ୍ ପଛରେ ଥିବାରୁ ଅଷ୍ଟ୍ରେଲିଆ ବିଜୟ ପାଇଁ ସମସ୍ତ ପ୍ରୟାସ କରିବ। ଶନିବାର ବର୍ଷା ଓ ଖରାପ ପାଗ କାରଣରୁ ୭୦ ଓଭର ଖେଳ ସମ୍ଭବ ହୋଇଥିଲା। ଚତୁର୍ଥ ଦିନରେ କିନ୍ତୁ ଭଲ ପାଗ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏପରିକି ଅଧଘଣ୍ଟା ଆଗରୁ ଖେଳ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଶନିବାର ସକାଳେ ରବୀନ୍ଦ୍ର ଜାଡ଼େଜା ଓ ଋଷଭ ପନ୍ତ୍ ପୂର୍ବ ଦିନର ଖେଳକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ଅଭିଜ୍ଞ ଯୋଡ଼ି ସକାଳର ଦଶମ ଓଭରରେ ଅଲଗା ହୋଇଯାଇଥିଲା। ଏକ ଦାୟିତ୍ବହୀନ ସଟ୍ ଖେଳି ଋଷଭ ପନ୍ତ୍ (୩୭ ବଲ୍ରୁ ୨୮ ରନ୍) ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ସ୍କଟ୍ ବୋଲାଣ୍ଡଙ୍କ ବଲ୍ ଅଫ୍ ଷ୍ଟମ୍ପ୍ ବାହାରେ ପଡ଼ିଥିବା ବେଳେ ପନ୍ତ୍ ଏହାକୁ କ୍ରସ୍ରେ ଫାଇନ୍ ଲେଗ୍ ଅଞ୍ଚଳକୁ ସ୍କୁପ୍ ଖେଳିବାକୁ ଯାଇ ନାଥନ୍ ଲାୟନଙ୍କ ହାତରେ ଧରା ପଡ଼ିଯାଇଥିଲେ। ଭାରତ ୧୯୧/୬ରେ ପହଞ୍ଚିଯାଇଥିଲା। ୩୦ ରନ୍ ପରେ ରବୀନ୍ଦ୍ର ଜାଡ଼େଜାଙ୍କୁ ନାଥନ୍ ଲାୟନ୍ ଲେଗ୍ବିଫୋର୍ ୱିକେଟ୍ କରି ନେଇଥିଲେ। ୨୨୧/୭ରେ ଭାରତ ସଂଘର୍ଷ କରିବାକୁ ବାଧ୍ୟ ହୋଇଥିଲା। ତେବେ ନୀତୀଶ କୁମାର ରେଡ୍ଡୀ ଓ ୱାସିଂଟନ୍ ସୁନ୍ଦର ହାର ମାନିବା ସ୍ଥିତିରେ ନଥିଲେ।
ଅଷ୍ଟ୍ରେଲୀୟ ବୋଲରଙ୍କୁ ବିଶେଷ ସୁଯୋଗ ନ ଦେଇ ସଂଯମୀ ଓ ସାହସୀ ପାଳି ଖେଳିଥିଲେ। ୪୭ ଓଭରରେ ଉଭୟ ୧୨୭ ରନ୍ ଯୋଡ଼ିନେଇଥିଲେ। ମଧ୍ୟାହ୍ନ ଭୋଜନ ବିରତିଠାରୁ ଚା’ପାନ ଭିତରେ ଭାରତକୁ କୌଣସି କ୍ଷତି ପହଞ୍ଚାଇ ନଥିଲେ ଏହି ବାମ-ଡାହାଣ ଭାରତୀୟ ଯୋଡ଼ି। ଚଳିତ ଗସ୍ତରେ ୱାସିଂଟନ୍ ସୁନ୍ଦର (୧୬୨ ବଲ୍ରୁ ୫୦ ରନ୍, ୧ ଚୌକା) ପ୍ରଥମ ଅର୍ଦ୍ଧଶତକ ହାସଲ କରି ଲାୟନଙ୍କ ଶିକାର ହୋଇଯିବା ପରେ ଆଶା ଓ ଆଶଙ୍କା ବଢ଼ିଯାଇଥିଲା। ନିଜ ୧୦୩ତମ ବଲ୍ରୁ ସେ ଏକମାତ୍ର ଚୌକା ମାରିଥିଲେ। ଗୋଟିଏ ଓଭର ପରେ ବୁମ୍ରାଙ୍କୁ କମିନ୍ସ ପ୍ୟାଭିଲିଅନ୍ ରାସ୍ତା ଦେଖାଇବା ପରେ ନୀତୀଶଙ୍କ ଶତକ ସ୍ବପ୍ନ ଅଧୁରା ରହିଯିବ ବୋଲି ଆଶଙ୍କା ଜାତ ହୋଇଥିଲା। କିନ୍ତୁ ନୀତୀଶଙ୍କୁ ତାଙ୍କ ହାଇଦ୍ରାବାଦ ସାଥୀ ମହମ୍ମଦ ସିରାଜ ସ୍ମରଣୀୟ କ୍ଷଣ ପ୍ରଦାନରେ ବଡ଼ ଯୋଗଦାନ ରଖିଥିଲେ। କମିନ୍ସଙ୍କ ସେହି ଓଭରର ଶେଷ ୩ ବଲ୍କୁ ସିରାଜ ଖେଳିଦେବା ପରେ ପ୍ରଶଂସକଙ୍କ ଉଲ୍ଲାସ ମେଲ୍ବର୍ଣ୍ଣରେ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। କାରଣ ସେପଟେ ନୀତୀଶ ୯୯ ରନ୍ରେ ଅପେକ୍ଷା କରିଥିଲେ। ପରବର୍ତ୍ତୀ ଓଭରରେ ସ୍କଟ୍ ବୋଲାଣ୍ଡ୍ଙ୍କୁ ୨ ବଲ୍ ଡିଫେଣ୍ଡ୍ କରିବା ପରେ ଏକ ଲଫ୍ଟେଡ୍ ଷ୍ଟ୍ରେଟ୍ ଡ୍ରାଇଭ୍ ସହ ଟେଷ୍ଟ୍ ଜୀବନର ପ୍ରଥମ ଶତକ ପୂର୍ଣ୍ଣ କରିଥିଲେ। ଦର୍ଶକ ଗ୍ୟାଲେରିରେ ଥିବା ତାଙ୍କ ପିତା ଓ ପରିବାର ସଦସ୍ୟଙ୍କ ଖୁସିର ସୀମା ରହି ନଥିଲା। ପ୍ରଶଂସକଙ୍କ ସହ ତାଙ୍କ ପିତାଙ୍କ ଆଖିରେ ବି ଲୁହ ଚାଲି ଆସିଥିଲା। ୮୩,୦୭୩ ଦର୍ଶକଙ୍କୁ ନେଇ ଭରପୂର ମେଲ୍ବର୍ଣ୍ଣ ପିଚ୍ରେ ନୀତୀଶ ଗୋଟିଏ ଆଣ୍ଠୁ ମାଡ଼ି ବାହୁବଳି ଷ୍ଟାଇଲ୍ରେ ଉତ୍ସବ ପାଳିଥିଲେ। ନିଜର ଏହି ଶତକୀୟ ପାଳି ଅବସରରେ ନୀତୀଶ ବି ଆକ୍ରମଣାତ୍ମକ, ରକ୍ଷଣାତ୍ମକ ଢଙ୍ଗର ଭଲ ମିଶ୍ରଣ ଦେଖାଇଥିଲେ। ଫ୍ରଣ୍ଟ୍ଫୁଟ୍ ହେଉ କି ବ୍ୟାକ୍ଫୁଟ୍ ସବୁକିଛିରେ ସେ ଓସ୍ତାଦ ଥିଲେ। ଏହା ଥିଲା ମାତ୍ର ତାଙ୍କ ଦ୍ବିତୀୟ ପ୍ରଥମ ଶ୍ରେଣୀ ଶତକ। ମେଲ୍ବର୍ଣ୍ଣ ଭଳି ଐତିହାସିକ ପଡ଼ିଆରେ ଭାରତୀୟ ଦଳ ପ୍ରବଳ ଚାପରେ ଥିବାବେଳେ ନିମ୍ନକ୍ରମ ବ୍ୟାଟର୍ଙ୍କୁ ଧରି ଶତକ ଅର୍ଜନ କରିବାର ଅନୁଭବ ସେ ନିଶ୍ଚିତ ଚିରଦିନ ପାଇଁ ସାଥିରେ ରଖିବେ।
ଅଷ୍ଟ୍ରେଲିଆରେ ଶତକ ହାସଲ କରିବାରେ ନୀତୀଶ ତୃତୀୟ ସର୍ବକନିଷ୍ଠ ଭାରତୀୟ ହୋଇଛନ୍ତି। ନୀତୀଶ ୨୧ ବର୍ଷ ୨୧୪ ଦିନରେ ଏହି ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର (୧୪୮* ଓ ୧୧୪) ୧୯୯୨ରେ ଦୁଇ ଥର (୧୮ ବର୍ଷ ୨୫୩ ଦିନ ଓ ୧୮ ବର୍ଷ ୨୮୩ ଦିନ) ଶତକ ମାରିଥିବା ବେଳେ ୨୦୧୯ରେ ଋଷଭ ପନ୍ତ ୨୧ ବର୍ଷ ୯୧ ଦିନରେ ଶତକ ହାସଲ କରିଥିଲେ। ସେହିଭଳି ନୀତୀଶ ଓ ୱାସିଂଟନ୍ ଅଷ୍ଟମ ୱିକେଟ୍ ପାଇଁ ସଂଗ୍ରହ କରିଥିବା ୧୨୭ ରନ୍ ଏହି ଭାଗୀଦାରିରେ ଭାରତ ପାଇଁ ଦ୍ବିତୀୟ ସର୍ବୋଚ୍ଚ ହୋଇଛି। ମାତ୍ର ୩ ରନ୍ ପାଇଁ ସେ ପ୍ରଥମ ସ୍ଥାନକୁ ଉଠି ପାରି ନଥିଲେ। ୨୦୦୮ରେ ଅନିଲ କୁମ୍ବଲେ-ହରଭଜନ ସିଂହ ସଂଗ୍ରହ କରିଥିବା ୧୦୭ ରନ୍ ଭାଗୀଦାରିକୁ ଶନିବାର ସେମାନେ ପଛରେ ପକାଇଥିଲେ। କିନ୍ତୁ ସେହି ଗସ୍ତରେ ହଭରଜନ ସିଂହ ଓ ସଚିନ ତେନ୍ଦୁଲକର ଯୋଡ଼ିଥିବା ୧୨୯ ରନ୍ ଶୀର୍ଷରେ ଅତୁଟ ରହିଲା।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୭୪/୧୦ (ଷ୍ଟିଭେନ୍ ସ୍ମିଥ୍-୧୪୦, ମାର୍ନସ ଲବୁସାନ୍-୭୨, ସାମ୍ କନ୍ଷ୍ଟାସ୍-୬୦, ଉସ୍ମାନ ଖୱାଜା-୫୭, ଯଶପ୍ରୀତ୍ ବୁମ୍ରା-୪/୯୯, ରବୀନ୍ଦ୍ର ଜାଡ଼େଜା-୩/୭୮, ଆକାଶ ଦୀପ-୨/୯୪, ୱାସିଂଟନ୍ ସୁନ୍ଦର-୧/୪୯)। ଭାରତ ପ୍ରଥମ ପାଳି: ୧୧୬ ଓଭରରେ ୩୫୮/୯ (ନୀତୀଶ କୁମାର ରେଡ୍ଡୀ-୧୦୫*, ଯଶସ୍ବୀ ଜୟସ୍ବାଲ-୮୨, ୱାସିଂଟନ୍ ସୁନ୍ଦର-୫୦, ବିରାଟ କୋହଲି-୩୬, ଋଷଭ ପନ୍ତ୍-୨୮, କେଏଲ୍ ରାହୁଲ୍-୨୪, ସ୍କଟ୍ ବୋଲାଣ୍ଡ୍-୩/୫୭, ପ୍ୟାଟ୍ କମିନ୍ସ-୩/୮୬, ନାଥନ୍ ଲାୟନ୍-୨/୮୮)।