ରାଉରକେଲା: ରାଜ୍ୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ଉଭୟ ସେମିଫାଇନାଲ ମ୍ୟାଚ୍ରେ ସୁଟ୍ଆଉଟ୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଶନିବାର ଖେଳାଯାଇଥିବା ସେମିଫାଇନାଲର ଫଳାଫଳ ସୁଟ୍ଆଉଟ୍ରୁ ବାହାରିଛି। ସୁଟ୍ଆଉଟ୍ରେ ବାଜିମାରି ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ଓ ସୁନ୍ଦରଗଡ଼ ଫାଇନାଲ ପ୍ରବେଶ କରିଛନ୍ତି। ରବିବାର ଅପରାହ୍ଣରେ ବିିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ।
ଉଭୟ ସେମିଫାଇନାଲ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ସେମିଫାଇନାଲରେ ଆର୍ଏସ୍ପି ଓ ଗାଙ୍ଗପୁର ହକି ଆସୋସିଏସନ୍ ମୁହାଁମୁହିଁ ହୋଇଥିଲେ। ମ୍ୟାଚ୍ସାରା ଉଭୟ ଦଳର ଖେଳାଳି ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ। ମ୍ୟାଚ୍ର ୩୭ତମ ମିନିଟ୍ରେ ଆର୍ଏସ୍ପିର ବଜରଙ୍ଗୀ ସିଂହ ଗୋଲ୍ ଦେଇ ଦଳକୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ।
ତେବେ ଏହାର ତିନି ମିନିଟ୍ପରେ ଗାଙ୍ଗପୁର ହକି ଆସୋସିଏସନ୍କୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ସୁଯୋଗ ମିଳିଥିଲା। ଏହାକୁ ହାତଛଡ଼ା ନ କରି ଆନନ୍ଦ ହସ୍ତୀ ଗୋଲ୍ଦେଇ ସ୍କୋର୍କୁ ୧-୧ ଗୋଲ୍ରେ ବରାବର କରିଥିଲେ। ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଆଉ କେହି କାହାରିକୁ ଗୋଲ୍ ଦେବାରୁ ସକ୍ଷମ ନ ହେବାରୁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ଆର୍ଏସ୍ପି ୪-୧ ଗୋଲ୍ରେ ବାଜି ମାରିନେଇଥିଲା।
ସୁନ୍ଦରଗଡ଼ ହକି ସଂଘ ଓ ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ ମଧ୍ୟ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳର ଖେଳାଳିଙ୍କ ଏକାଧିକ ପ୍ରୟାସ ସତ୍ତ୍ବେ ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିଥିଲା। ସୁନ୍ଦରଗଡ଼ ପକ୍ଷରୁ ସୁଜିତ ବାର୍ଲା (୧୨) ଓ ଆଲୋକ ବାର୍ଲା (୧୫) ଏବଂ ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି ପକ୍ଷରୁ ଦୀପକ ପ୍ରଧାନ (୩୩) ଓ ଯୋଜିନ ମିଞ୍ଜ(୫୨) ଗୋଲ୍ ଦେଇଥିଲେ। ପରେ ସୁଟ୍ଆଉଟ୍ରେ ସୁନ୍ଦରଗଡ଼ ୨-୧ ଗୋଲ୍ରେ ଜିତି ଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା।
Rourkela