ରବିବାର ରାଜ୍ୟ ପ୍ରତିଯୋଗିତା: ପ୍ରସାରିତ ହେଉଛି ଜାପାନ ସୋଟୋକାଇ କରାଟେ

ଭୁବନେଶ୍ବର: ଓକିନାୱା କରାଟେ ସ୍କୁଲ୍‌ ଅଧିନରେ ପରିଚାଳିତ ଜାପାନ ସୋଟୋକାଇ ଷ୍ଟାଇଲ୍‌ର ରାଜ୍ୟ ପ୍ରତିଯୋଗିତା ରବିବାର (ଜାନୁଆରି ୧୯) ମଞ୍ଚେଶ୍ବରସ୍ଥିତ ରେଳବାଇ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଏହି ଦିନିକିଆ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ପ୍ରାୟ ୭୦୦ ପ୍ରତିଯୋଗୀ ଏବଂ ୧୫୦ ଅଧିକାରୀ ଅଂଶଗ୍ରହଣ କରିବେ। ୬ ଓ ୮ ବର୍ଷରୁ କମ୍ ବୟସ ବର୍ଗ ସହିତ ୮ରୁ ୧୬ ବର୍ଷର ପ୍ରତିଟି ବର୍ଗରେ ପ୍ରତିଯୋଗିତା ହେବ। ଏହା ବ୍ୟତୀତ ୨୧ ବର୍ଷରୁ କମ୍‌ ଏବଂ ବରିଷ୍ଠ ବର୍ଗରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ‌ରେ ପ୍ରକାଶ କରିଛନ୍ତି ଜାପାନ କରାଟେ ସୋଟୋକାଇ ଇଣ୍ଡିଆର ଉପସଭାପତି ତଥା ଓକିନାୱା କରାଟେ ସ୍କୁଲ୍‌ର ସଭାପତି ସୌମ୍ୟରଂଜନ ଦାସ। ଏହି ପ୍ରତ‌ିଯୋଗିତା ରାଜ୍ୟର ସମସ୍ତ ବୟସ ବର୍ଗର ଖେଳାଳିଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଆଣିଥାଏ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ଓକିନାୱା ରାଜ୍ୟ ସଂଘ
ଓଡ଼ିଶାରେ ଥିବା ପ୍ରାୟ ଦେଢ଼ ଡଜନ କରାଟେ ଷ୍ଟାଇଲ୍ ମଧ୍ୟରୁ ଜାପାନ ସୋଟୋକାଇ ଅନ୍ୟତମ। ଜାପାନ କରାଟେ ସୋଟୋକାଇ ଇଣ୍ଡିଆ ଏହାର ଜାତୀୟ ସଂଘ ହୋଇଥିବା ବେଳେ ଓଡ଼ିଶାରେ ଓକିନାୱା କରାଟେ ସ୍କୁଲ୍‌ (ଓକେଏସ୍‌) ଏହ‌ାର ରାଜ୍ୟ ସଂଘ ଭୂମିକା ତୁଲାଉଛି। ୨୦୦୯ରୁ ଆନୁଷ୍ଠାନିକ ଭାବେ ଜାପାନ ସୋଟୋକାଇ ଷ୍ଟାଇଲ୍‌କୁ ରାଜ୍ୟରେ ପ୍ରଚଳନ କରିଛି ଏହି ସଂଘ। ଇତିମଧ୍ୟରେ ଜେକେଏସ୍‌ (ଜାପାନ କରାଟେ ସୋଟୋକାଇ) ଷ୍ଟାଇଲ୍‌ ରାଜ୍ୟର ୭/୮ ଜିଲ୍ଲାକୁ ପ୍ରସାରିତ ହୋଇସାରିଛି ଏବଂ ୪ ଜଣ ଜାତୀୟ ପ୍ରତିଯୋଗିତାରୁ ପଦକ ଜିତିବାର‌ ଗୌରବ ପାଇଛନ୍ତି। ଚିରସ୍ମିତା ଭଞ୍ଜଦେଓ, ଋତିକ ମହାପାତ୍ର, ଶାଶ୍ବତ କୁମାର ଲୋହା ଏବଂ ପ୍ରବୀଣ ଏନ୍ଦ୍ରା ଏହି ୪ ଜାତୀୟ ପଦକ ବିଜେତା। ଶାଶ୍ବତ ଏବଂ ପ୍ରବୀଣ କିନ୍ତୁ ଏବେ ଓଡ଼ିଶା ଛାଡ଼ି ତେଲେଙ୍ଗାନା ପାଇଁ ଖେଳୁଛନ୍ତି। ଭୁବନେଶ୍ବର, କଟକ, ଯାଜପୁର, ବାଲେଶ୍ବର, ପୁରୀ, ଭଦ୍ରକ, କେନ୍ଦୁଝର ଆଦି ଜିଲ୍ଲାରେ ଏହି ଖେଳ ନିଜ କାୟା ବିସ୍ତାର କରିସାରିଛି। କରାଟେ ଲାଗି ରାଜ୍ୟରେ ଏକମାତ୍ର ରାଜ୍ୟ ସଂଘ ଭାବେ କାର୍ଯ୍ୟ କରୁଥିବା ଓସ୍କା (ଓଡ଼ିଶା ରାଜ୍ୟ କରାଟେ ଡୋ ସଂଘ) ଅଧିନରେ ଓକେଏସ୍‌ ରହିଛି ବୋଲି ମଧ୍ୟ ଶ୍ରୀ ଦାସ ପ୍ରକାଶ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଗତ ଜାତୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟିନୀ ଚିରସ୍ମିତା ଭଞ୍ଜଦେଓଙ୍କ ସହିତ ତାଙ୍କ ଯାଆଁଳା ଭଉଣୀ ମଧୁସ୍ମିତା ଭଞ୍ଜଦେଓ ମୁଖ୍ୟ ଆକର୍ଷଣ ସାଜିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନରଂଜନ ନନ୍ଦ, ସନ୍ଦୀପ ପଟ୍ଟନାୟକ, ଦୀପକ କୁମାର ପଟୁଆରସିଂହ, ଦେବାଶିଷ ରାଉତ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର