ସୁନ୍ଦରଗଡ଼ ହିଁ ‘ହକି ଗଡ଼’: ପିଲ୍ଲେ

ଆଜି ଦିଲ୍ଲୀପ ବନାମ ଧନରାଜ

ଭୁବନେଶ୍ବର (ସୁରେଶ ସ୍ବାଇଁ): ହକିକୁ ପ୍ରୋତ୍ସାହିତ କରିବାରେ ଓଡ଼ିଶା ସରକାରଙ୍କ ସାହସିକ ତଥା ଐତିହାସିକ ପଦକ୍ଷେପକୁ ଭୂୟଶୀ ପ୍ରଶଂସା କରିଛନ୍ତି ହକି କିମ୍ବଦନ୍ତୀ ଧନରାଜ ପିଲ୍ଲେ। ବୁଧବାର ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଦିଲ୍ଲୀପ ତିର୍କି ଏକାଦଶ ଏବଂ ଧନରାଜ ପିଲ୍ଲେ ଏକାଦଶ ପାଇଁ ଏବେ ଭୁବନେଶ୍ବରର ପହଞ୍ଚିଛନ୍ତି ଏହି ୫୦ ବର୍ଷୀୟ ମହାନ ଖେଳାଳି। ଭାରତୀୟ ହକି ନୂଆ ସ୍ତରକୁ ଯାଇଛି ଏବଂ ଅନେକ କିଛି ବଦଳିଯାଇଛି। ପ୍ରଦର୍ଶନରେ ଉନ୍ନତି ବି ହୋଇଛି, ପ୍ରଶାସକ ଓ ପ୍ରଶଂସକଙ୍କ ଆଶା ବି ବଢ଼ିଛି। ଦିଲ୍ଲୀପ ତିର୍କି (୪୧୨)ଙ୍କ ପରେ ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ମ୍ୟାଚ୍ ଖେଳିଥିବା ଧନରାଜ ପିଲ୍ଲେ (୩୩୯) ବୁଧବାର ମ୍ୟାଚ୍ ପୂର୍ବରୁ ‘ସମ୍ବାଦ’କୁ ପ୍ରଦାନ କରିଥିଲେ ଏକ ସ୍ବତନ୍ତ୍ର ସାକ୍ଷାତକାର।
ଏ ବିଶ୍ବକପ୍ ନୂଆ ଇତିହାସ ରଚିବ
ହକି ବିଶ୍ବକପ୍‌ର ସମସ୍ତ ଦାୟିତ୍ବ ଓ ବୋଝକୁ ନିଜେ ମୁଣ୍ଡାଇଥିବାରୁ ପ୍ରଥମେ ମୁଁ ଓଡ଼ିଶା ସରକାରଙ୍କୁ ସାଧୁବାଦ, କୃତଜ୍ଞତା ଓ ଧନ୍ୟବାଦ ଜଣାଇବି। ଓଡ଼ିଶା ଏଭଳି ରାଜ୍ୟ ଯିଏ ହୃଦୟଖୋଲା ସମର୍ଥନ ଦେଇଛି ହକିକୁ। ସେହି ଦୃଷ୍ଟିରୁ ଏ ବିଶ୍ବକପ୍ ନିଶ୍ଚିତ ନୂଆ ଇତିହାସ ରଚିବ ଏବଂ ଚିରସ୍ମରଣୀୟ ରହିବ ବୋଲି ମୋର ଦୃଢ଼ ବିଶ୍ବାସ। ମିଳିଥିବା ସମସ୍ତ ଆହ୍ବାନକୁ ସରକାର ଗ୍ରହଣ କରିଥିବାରୁ ମୋତେ ଅଧିକ ଖୁସି ଲାଗୁଛି।
ଦିଲ୍ଲୀପଙ୍କୁ ପ୍ରଶଂସାରେ ପୋତିଲେ
ହକି ବିଶ୍ବକପ୍ ଓଡ଼ିଶା ଆସିବା ପଛରେ ମଧ୍ୟ ମହାନ ଖେଳାଳି ଦିଲ୍ଲୀପ ତିର୍କିଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ବହୁବାର ବିଶ୍ବକପ, ଅଲିମ୍ପିକ୍ସ, ଏସିଆଡ୍‌ରେ ପ୍ରତିନିଧିତ୍ବ କରିଥିବା ଦିଲ୍ଲୀପ ଦେଶପାଇଁ ଖେଳିବା ବେଳେ ହିଁ ହିନ୍ଦୁସ୍ତାନ ହକିକୁ ବହୁ ଉପରେ ଦେଖିବାକୁ ଚାହୁଁଥିଲେ। ରାଜ୍ୟସଭା ସାଂସଦ ଥିବାବେଳେ ନି‌େଜ ପ୍ରୟାସ କରିଥିଲେ। ଦେଶରେ କ୍ରିକେଟ୍ ସହ ହକିକୁ ତୁଳନା କରାଯାଇ ପାରିବ ନାହିଁ। କିନ୍ତୁ ଦେଶ ଓ ଓଡ଼ିଶାର ହକିକୁ ତୃଣମୂଳ ସ୍ତରରେ ବିକଶିତ କରିବାରେ ସେ ଅହରହ ଲାଗିଛନ୍ତି। ବିଜୁ ପଟ୍ଟନାୟକ ଗ୍ରାମୀଣ ହକିରେ ପ୍ରାୟ ୧୫,୦୦୦ ଦଳ ଭାଗନେବା କିଛି କମ୍ କଥା ନୁହେଁ। ସୁନ୍ଦରଗଡ଼ ଏକ ‘ହକି ଗଡ଼’। ଦେଶର ହକି ଏହାର ଅନେକ ଅବଦାନ ରହିଛି। ଦିଲ୍ଲୀପ ଏହାକୁ ଅଧିକ ଆଗକୁ‌ ନେବାକୁ ଅହରହ ଲାଗିବା ବଡ଼ କଥା। ଦିଲ୍ଲୀପ ତିର୍କିଙ୍କ ଅବଦାନ ଦେଖି ପ୍ରତି ହକି ଖେଳାଳି ଆଗକୁ ଆସି ଏଭଳି ଦାୟିତ୍ବ ତୁଲାଇବା ଉଚିତ।
ଓଡ଼ିଶା ଭଳି ଅନ୍ୟ ରାଜ୍ୟ ଆସନ୍ତୁ
ଓଡ଼ିଶା ସରକାର ବିଶ୍ବର ପ୍ରଥମ ରାଜ୍ୟ ଭାବେ ହକିକୁ ୫ ବର୍ଷ ପାଇଁ ପ୍ରାୟୋଜିତ କରିବା ଏକ ନୂଆ ପରମ୍ପରା ସୃଷ୍ଟି କରିଛି। ଆମ ସମୟରେ ସମର୍ଥନ କରିବା ଲାଗି ଆମେ ଏଠି ସେଠି‌ ହେଉଥିଲୁ। ଓଡ଼ିଶା ଭଳି ମୁଖ୍ୟମନ୍ତ୍ରୀ ସବୁ ରାଜ୍ୟରେ ରହିବା ଆବଶ୍ୟକ। ହକି ସହିତ ଅନ୍ୟ ଖେଳକୁ ମଧ୍ୟ ଏହା ପ୍ରୋତ୍ସାହିତ କରିବ।
ହକିକୁ ପେସା କରିହେବ
ବୁଧବାର ଖେଳାଯିବାକୁ ଥିବା ପ୍ରଦର୍ଶନୀ ମ୍ୟାଚ୍ ଆମ ସମୟକୁ ମନେ ପକାଇ‌‌‌ ଦେଉଛି। ଦିଲ୍ଲୀପ ଏବଂ ମୁଁ ବହୁଥର ଏକାଠି‌ ଗୋଟିଏ ମ୍ୟାଚ୍‌ରେ ଖେଳିଛୁ। ଏହା ପୁରୁଣା ଓ ନୂଆ ଖେଳାଳିଙ୍କୁ ମିଳନର ଏକ ଅପୂର୍ବ ପର୍ବ ହେବ। ଏହି ମ୍ୟାଚ୍‌ରୁ ମଧ୍ୟ ଯୁବ ଖେଳାଳି ‌େସଦିନ ଏବଂ ଏଦିନର ହକିକୁ ପରଖି ପାରିବେ। ସବୁଠାରୁ ବଡ଼ କଥା‌ ହେବ ଏହି ମ୍ୟାଚ୍ ମଧ୍ୟ ହକିକୁ ପେସା କରିହେବ ବୋଲି ବାର୍ତା ଦେବ। ଜଣେ ହକି ଖେଳାଳି ଏବେ କୋଟିପତି ହୋଇ ପାରିବା। କିନ୍ତୁ ଏଥି ପ୍ରତି ଭଲପାଇବା ଏବଂ ନିଷ୍ଠାର ଆବଶ୍ୟକତା ରହିବା ଜରୁରୀ।
ଭାରତର ସମ୍ଭାବନା
ଓଡ଼ିଶା ହକି ବିଶ୍ବକପ୍‌ରେ ଭାରତର ସମ୍ଭାବନା ନିଶ୍ଚିତ ସକରାତ୍ମକ ଦିଗରେ ରହିଛି। ବିଗତ ୩/୪ ବର୍ଷ ଭିତରେ ଦଳର ପ୍ରଦର୍ଶନରେ ଉନ୍ନତି ହୋଇଛି। ଏସୀୟ କ୍ରୀଡ଼ାରେ ଦଳ ମାଲେସିଆଠାରୁ ଜିତି ନପାରିବା ଦୁଃଖ ଦେଇଥିଲା କିନ୍ତୁ ଏହା ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରେ ଦଳ ଭଲ ଖେଳିଥିଲା। ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଇ ପେନାଲଟି ସୁଟ୍ ଆଉଟ୍‌ରେ ହାରିଥିଲା। ବିଶ୍ବକପ୍ ବେଳକୁ ଭାରତୀୟ ଦଳକୁ ଭଲ ଖେଳିବାକୁ ପଡ଼ିବ। ଚାପ ନିଶ୍ଚିତ ରହିବ। ଭଲ ଖେଳିଲେ ଖେଳାଳିଙ୍କୁ ମିଡିଆ, ପ୍ରଶଂସକ ଏବଂ ପ୍ରଶାସକଙ୍କଠୁ ସାବାସୀ ମିଳିବ। ଖରାପ ଖେଳିଲେ ଗାଳି ନିଶ୍ଚିତ ମିଳିବ।
ଓଡ଼ିଶା ପ୍ରଶଂସକ ଜ୍ଞାନୀ
ଓଡ଼ିଶା ହକି ପ୍ରଶଂସକମାନେ ହକିକୁ ଭଲ ବୁଝନ୍ତି, ସେମାନଙ୍କ ହକି ଜ୍ଞାନ ‌େଢର ଅଧିକ ରହିଛି। ସେମାନଙ୍କୁ ଜଣା କେତେବେଳେ ବଲ୍‌କୁ ରଖିବାକ୍ୁ ହେବ ଓ ଛାଡ଼ିବାକୁ ହେବ। କେତେବେଳେ ପେନାଲଟି କର୍ନର ସୃଷ୍ଟି କରାଯିବ ଏବଂ ଗୋଲରେ ରୂପାନ୍ତର କରାଯିବ। ଭୁବନେଶ୍ବର ଷ୍ଟାଡିୟମ ନିଶ୍ଚିତ ଭରପୂର ରହିବ।
ହକି ବଦଳିଯାଇଛି
ଆମ ସମୟର ହକି ଏବଂ ଏବର ହକି ମଧ୍ୟରେ ଅନେକ ପରିବର୍ତନ ଘଟିଛି। ସେତେବେଳେ ଏହା ଅଧିକ କଳାତ୍ମକ ଓ ଦକ୍ଷତାପୂର୍ଣ୍ଣ ଥିଲା। ଏବେ ଆପଣଙ୍କୁ ପ୍ରଥମେ ଫିଟନେସ୍ ଆବଶ୍ୟକ ହେଉଛି ପରେ ଖେଳ। ଏବେ ମଧ୍ୟ ହକି ଅଧିକ ଫାଷ୍ଟ୍ ହୋଇଯାଇଛି। ଆମ ସମୟରେ ଫରୱାର୍ଡ ଗୋଲ୍‌ ଦେଇ ନପାରିଲେ ଦିଲ୍ଲୀପ ତିର୍କି, ଲାଜରୁସ୍ ବାର୍ଲା, ସନ୍ଦୀପ ସିଂହ, ଯୁଗରାଜ ସିଂହ, ପରଗତ ସିଂହଙ୍କ ଭଳି ପେନାଲଟି କର୍ନର ବିଶାରଦ‌ ଗୋଲ ବନାଇ ଦେଉଥିଲେ। ଗୋଲ ନିଶ୍ଚିତ ହେବ ବୋଲି ବିଶ୍ବାସ ଆସିଯାଉଥିଲା। ଏବେ ହରମନପ୍ରୀତ୍ ସିଂ, ରୂପିନ୍ଦର ପାଲ ସିଂହ ଅଛନ୍ତି। ପିସି ସୃଷ୍ଟି କରିବା ଭଳି ଖେଳାଳି ସୁନୀଲ, ଅାକାଶଦୀପ, ମନପ୍ରୀତ୍, ଲଳିତ ବି ରହିଛନ୍ତି। ଏମାନେ ସମସ୍ତ ଦକ୍ଷତା ସମ୍ପନ୍ନ।
ସ୍ମରଣୀୟ, ଅଭୁଲା ଓ ଅବସୋସ
ବ୍ୟକ୍ତିଗତ ଭାବେ ୧୯୮୯ରେ ଦେଶ ପାଇଁ ଖେଳିବା ସବୁଠାରୁ ସ୍ମରଣୀୟ ମୁହୂର୍ତ ହୋଇଥିଲା। ଗୋଟିଏ ପରେ ଗୋଟିଏ ସ୍ବପ୍ନ ସାକାର କରି ମୁଁ‌ ଦେଶ ପାଇଁ ୧୬ ବର୍ଷ ଖେଳିଥିଲି। ୧୯୯୨ ବାର୍ସିଲୋନା ଅଲିମ୍ପିକ୍ସ, ୧୯୯୪ ବିଶ୍ବକପ୍ ଭୁଲି ହେବ ନାହିଁ। ମୁଁ ଏକମାତ୍ର ଭାରତୀୟ ଭାବେ ବିଶ୍ବ ଏକାଦଶରେ ସାମିଲ ହୋଇଥିଲି। ୧୯୯୮ ବ୍ୟାଙ୍କକ୍ ଏସିଆଡ୍‌ରେ ଦିଲ୍ଲୀପ ତିର୍କିଙ୍କ ଜରିଆରେ ଦେଇଥିବା ଗୋଲ ଏବେ ବି ମନେପଡ଼ୁଛି। ଦିଲ୍ଲୀପଙ୍କ ହିଟ୍ କେବଳ କାର୍ପେଟରେ ଯାଇଥାଏ। ଦେଶ ପାଇଁ କିଛି କରିବା ଲାଗି ଦିଲ୍ଲୀପ ତିର୍କି, ଲାଲରୁସ୍ ବାର୍ଲା ଏବଂ ଅନୀଲ ଆଲଡ୍ରିନ୍‌ଙ୍କ ଦୂରଦୃଷ୍ଟି ରହିଥିଲା। ବ୍ୟକ୍ତିଗତ ଅବସୋସ ଭାବେ ମୁଁ ଏତିକି କହିବି ଚାରି ଚାରିଟି ବିଶ୍ବକପ୍ ଓ ଅଲିମ୍ପିକ୍ସ ଖେଳିଥିଲେ ବି ପଦକ ଜିିତି ପାରିନଥିଲି। ଏହା କଷ୍ଟ ଜୀବନସାରା ରହିବ।

ଭୁବନେଶ୍ୱର,: ହକି ବିଶ୍ବ କପ୍‌ ଲାଗି ପୁନଃନିର୍ମିତ ହୋଇଥିବା କଳିଙ୍ଗ ଷ୍ଟାଡିୟମର ହକି କମ୍ପ୍ଲେକ୍ସ ବୁଧବାର ଉଦ୍‌ଘାଟିତ ହେବ। ଏହି ପର୍ବ ଅବସରରେ ଦୁଇ ହକି କିମ୍ବଦନ୍ତୀ ଦିଲ୍ଲୀପ ତିର୍କି ଏବଂ ଧନରାଜ ପିଲ୍ଲେଙ୍କ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଉପରେ ଏବେ ସମସ୍ତଙ୍କ ନଜର। ପ୍ରଶଂସକମାନେ ବି ଅସମ୍ଭବ ଉତ୍ସାହ ଦେଖାଇଛନ୍ତି। ଉଭୟ ଦଳରେ ବହୁ ପୂର୍ବତନ ଏବଂ ବର୍ତମାନର ଖେଳାଳିଥିବାରୁ ପ୍ରଶଂସକଙ୍କୁ ନିଆରା ହକି ଦେଖିବାର ସୁଯୋଗ ମିଳିବ। ଏହି ମ୍ୟାଚ୍ ସଂଧ୍ୟା ୭ଟାରେ ମଧ୍ୟ ଫେସବୁକ୍ ପୃଷ୍ଠା @heartbeatsforhockeyରେ ସିଧାପ୍ରସାରିତ ହେବ। ଏହି ମ୍ୟାଚକୁ ନେଇ ବହୁ ଉତ୍ସାହିତ ଏବଂ ପ୍ରସ୍ତୁତ ହୋଇଛନ୍ତି ଦିଲ୍ଲୀପ ତିର୍କି। ‘ମୁଁ ଭାରତର ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଳି (୪୧୨) କିନ୍ତୁ କିଳଙ୍ଗ ଷ୍ଟାଡିୟମରେ କେବେ ଖେଳିବାର ସ‌ୁଯୋଗ ପାଇନଥିଲି। ଏହି ମ୍ୟାଚ୍ ମୋ ପାଇଁ ନୂଆ ଅଭିଜ୍ଞତା ଓ ଅନୁଭବ ଆଣିଦେବ। ସେହିଭଳି ଦେଶର କିମ୍ବଦନ୍ତୀ ଧନରାଜ ପିଲ୍ଲେଙ୍କ ‌େଖଳକୁ ଓଡ଼ିଶା ଲୋକ ଟିଭ‌ିରେ ଦେଖିଥିବେ ଏବେ ପ୍ରତ୍ୟେକ୍ଷରେ ଦେଖିବାର ସ‌ୁଯୋଗ ପାଇବେ ବୋଲି କହିଥିଲେ ଦିଲ୍ଲୀପ। ଏଥି ପାଇଁ ମୁଁ ଆ‌େୟାଜକ ନୁପୂର ମହାଜନ ଓ ରାଜ୍ୟ କ୍ରୀଡ଼ା ବିଭାଗକୁ ଦିଲ୍ଲୀପ ଧନ୍ୟବାଦ ଜଣାଇଥିଲେ। ‘ଅବ ବାସ୍ ହକି, ମେରା ଦିଲ୍ ଭି ଧଡକତା ହୈ ’ ବୋଲି କହିଥିଲେ ଧନରାଜ।
ଦିଲ୍ଲୀପଙ୍କ ଦଳ: ଦିଲ୍ଲୀପ ତିର୍କି (ଅଧିନାୟକ), କୃଷ୍ଣ ବାହାଦୁର ପାଠକ, ଇଗ୍ନେଶ ତିର୍କି, ଭିଆର୍‌ ରଘୁନାଥ, ଦୀପକ ଠାକୁର, ମନପ୍ରୀତ ସିଂହ, ଦୀପସାନ ତିର୍କି, ରୂପିନ୍ଦର ପାଲ ସିଂହ, ସୂରଜ କାର୍କେରା, ନୀଲମ ସଞ୍ଜୀପ ଖେସ୍‌, ସୁରେନ୍ଦର କୁମାର, ଅମିତ ରୋହିଦାସ, ସୁମିତ, ନୀଳକଣ୍ଠ ଶର୍ମା, ଲଲିତ କୁମାର ଉପାଧ୍ୟାୟ, ଆକାଶଦୀପ ସିଂହ, ମନଦୀପ ସିଂହ, ସୁମିତ କୁମାର।
ଧନରାଜଙ୍କ ଦଳ: ଧନରାଜ ପିଲ୍ଲେ (ଅଧିନାୟକ), ପିଆର୍‌ ଶ୍ରୀଜେସ୍‌, ବୀରେନ୍‌ ରାସ୍‌କିନା, ସର୍ଦାର ସିଂହ, ପ୍ରଭଜ୍ୟୋତ ସିଂହ, ସନ୍ଦୀପ ସିଂହ, ବରୁନ କୁମାର, ହରମନପ୍ରୀତ ସିଂହ, ଗୁରିନ୍ଦର ସିଂହ, କୋଥାଜିତ ସିଂହ, ଜର୍ମନପ୍ରୀତ ସିଂହ, ଚିଙ୍ଗଲେନସନା ସିଂହ କାଙ୍ଗୁଜାମ, ସିମରନଜୀତ ସିଂହ, ହାର୍ଦିକ ସିଂହ, ଏସ୍‌ଭି ସୁନୀଲ, ଗୁରଜାଣ୍ଟ୍‌ ସିଂହ, ଦିଲପ୍ରୀତ ସିଂହ, ପ୍ରଦୀପ ସିଂହ।

ସମ୍ବନ୍ଧିତ ଖବର