ଭୁବନେଶ୍ବର: ସଂପ୍ରତି ଦକ୍ଷିଣ କୋରିଆ ଗସ୍ତରେ ଥିବା ଭାରତୀୟ ଦଳର ଅନ୍ୟତମ ଓଡ଼ିଆ ସଦସ୍ୟା ସୁନୀତା ଲାକ୍ରା ବୁଧବାର ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। କୋରିଆ ବିପକ୍ଷ ଦ୍ବିତୀୟ ମ୍ୟାଚ୍ ଖେଳି ସେ ନିଜ ଖେଳ ଜୀବନର ୧୫୦ତମ ଆନ୍ତର୍ଜାତିକ ମ୍ୟାଚ୍ ସଂଖ୍ୟା ଛୁଇଁଛନ୍ତି। ୨୯ ବର୍ଷ ବୟସ୍କା ଏହି ଅଭିଜ୍ଞ ଡିଫେଣ୍ଡର ୨୦୦୯ରେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ତାଙ୍କ ୧୦ ବର୍ଷର ଖେଳ ଜୀବନ ମଧ୍ୟରେ ସୁନୀତା ଭାରତୀୟ ଦଳର ସବୁଠୁ ଅଧିକ ନିର୍ଭରଯୋଗ୍ୟ ବିବେଚିତ ହୋଇଥିଲେ। ଭାରତୀୟ ରକ୍ଷଣଭାଗ ତାଙ୍କ ସାମର୍ଥ୍ୟ ବଳରେ ଶକ୍ତିଶାଳୀ ହୋଇଥିଲା। ତାଙ୍କ ପ୍ରଦର୍ଶନ ବଳରେ ଭାରତ ୨୦୧୬ ଏସୀୟ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୧୭ରେ ଜାପାନରେ ଆୟୋଜିତ ନବମ ମହିଳା ଏସିଆ କପ୍ ବିଜେତା ହୋଇଥିଲା ବେଳେ ଜାକର୍ତା ଓ ପାଲେମ୍ବଙ୍ଗ୍ରେ ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା। ନିଜର ଶ୍ରେଷ୍ଠ ପ୍ରଦର୍ଶନ ଏବଂ ଜଣେ ନିର୍ଭରଯୋଗ୍ୟ ଖେଳାଳି ଭାବେ ସୁନୀତାଙ୍କୁ ଗତବର୍ଷ ଦକ୍ଷିଣ କୋରିଆ ଗସ୍ତରେ ସବିତାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ଉପଅଧିନାୟିକା ଦାୟିତ୍ବ ଅର୍ପଣ କରାଯାଇଥିଲା। ଆଉ ଏହାର ଭରପୁର ଫାଇଦା ଉଠାଇ ସୁନୀତା ମଧ୍ୟ ଭାରତକୁ ୫ ମ୍ୟାଚ୍ ବିଶିଷ୍ଟ ସେହି ଶୃଙ୍ଖଳାରେ ୩-୧ର ବିଜୟ ଭେଟି ଦେଇଥିଲେ।
କୋରିଆକୁ ପୁଣି ହରାଇଲା ଭାରତ
ଦକ୍ଷିଣ କୋରିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ବିଜୟ ଧାରା ଜାରି ରଖିଛି। ଜିନ୍ଚିଅନ୍ରେ ସୋମବାର ନିଜର ପ୍ରଥମ ମ୍ୟାଚ୍ରେ କୋରିଆକୁ ୨-୧ ଗୋଲ୍ରେ ପରାସ୍ତ କରିଥିବା ଭାରତ ବୁଧବାର ଦ୍ବିତୀୟ ମ୍ୟାଚ୍କୁ ବି ସମାନ ବ୍ୟବଧାନ ୨-୧ରେ ଜିତି ନେଇଛି। ଅଧିନାୟିକା ରାଣୀ ୩୭ ମିନିଟ୍ରେ ପ୍ରଥମ ଗୋଲ୍ କରି ଭାରତକୁ ଅଗ୍ରଣୀ ଦେବା ପରେ ୫୦ ମିନିଟ୍ରେ ନଭ୍ଜୋତ୍ କୌର ଦ୍ବିତୀୟ ଗୋଲ୍ କରି ୨-୧ର ବିଜୟ ଭେଟି ଦେଇଥିଲେ। ତେବେ ୧୯ ମିନିଟ୍ରେ ଲି ସିଉଙ୍ଗୁଙ୍କ ଫିଲ୍ଡ ଗୋଲ୍ ହିଁ ଆୟୋଜକ କୋରିଆ ପାଇଁ ଏକମାତ୍ର ସାନ୍ତ୍ବନା ଥିଲା। ମ୍ୟାଚ୍ରେ ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିବା ଭାରତ ଏଥି ସହିତ ତିନି ଟିକିଆ ଦ୍ବିପାକ୍ଷିକ ଶୃଙ୍ଖଳାକୁ ଶେଷ ମ୍ୟାଚ୍ ପୂର୍ବରୁ କବ୍ଜା କରିନେଇଛି। ଆସନ୍ତା ଶୁକ୍ରବାର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳି ଭାରତ ତା’ର ସଫଳ କୋରିଆ ଗସ୍ତ ଶେଷ କରିବ। କୋରିଆ ବିପକ୍ଷ ଶୃଙ୍ଖଳା ବିଜୟ ହିରୋସୀମାରେ ଆୟୋଜିତ ହେବାକୁ ଥିବା ଆଗାମୀ ମହିଳା ସିରିଜ୍ ଫାଇନାଲ୍ସ ପୂର୍ବରୁ ଦଳ ତଥା ଖେଳାଳିଙ୍କ ମନୋବଳ ବୃଦ୍ଧି କରିବ ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍। ଆମେ ଜିନ୍ଚିଅନ୍ରେ ପହଞ୍ଚିବାର ମାତ୍ର ୨୪ ଘଣ୍ଟା ପରେ ପ୍ରଥମ ମ୍ୟାଚ୍ ଖେଳିଥିଲୁ। ଏହାର ଦିନକ ପରେ ଦ୍ବିତୀୟ ମ୍ୟାଚ୍ ଖେଳିଲୁ। ଆଉ ଦୁଇଟିଯାକ ମ୍ୟାଚ୍ ଜିତିବା ଆମ ପାଇଁ ଅତ୍ୟନ୍ତ ଖୁସୀର କଥା ବୋଲି ମାରିନ୍ କହିଛନ୍ତି।
ସୁନୀତା @ ୧୫୦
/sambad/media/post_attachments/wp-content/uploads/2019/05/suneeta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)