ଭାରତ ବିଶ୍ବକପ୍‌ର ପ୍ରମୁଖ ଦାବିଦାର ନୁହେଁ: ଗାଭାସ୍କର

ମୁମ୍ବାଇ: ଇଂଲଣ୍ଡରେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ୫୦ ଓଭରିଆ ବିଶ୍ବକପ୍‌ର ଭାରତ ଅନ୍ୟତମ ଦାବିଦାର। ହେଲେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଏଥିରେ ଏକମତ ହୋଇନାହାନ୍ତି। ଭାରତ ଆସନ୍ତା ବିଶ୍ବକପ୍‌ର ପ୍ରମୁଖ ଦାବିଦାର ନୁହେଁ ବୋଲି ସେ ଶନିବାର ରୋକ୍‌ଠୋକ୍‌ ଭାବେ କହିଛନ୍ତି। ଗାଭାସ୍କର ମଧ୍ୟ ଏହାର କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଆୟୋଜକ ଇଂଲଣ୍ଡ ଆସନ୍ତା ବିଶ୍ବକପ୍‌ର ପ୍ରମୁଖ ଦାବିଦାର। ସେମାନେ ଘରୋଇ ପରିବେଶରେ ପ୍ରଥମ ଥର ବିଶ୍ବକପ୍ ଜିତିବାର ସର୍ବାଧିକ ସମ୍ଭାବନା ରହିଛି। ଦିନିକିଆ କ୍ରିକେଟ୍ ପ୍ରତି ସେମାନଙ୍କ ଆଭିମୁ୍ଖ୍ୟ ହିଁ ଇଂଲଣ୍ଡ ବିଜେତା ହେବାର ପ୍ରମୁଖ କାରଣ ହେବ। ୨୦୧୫ ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟରେ ସେମାନେ ସମ୍ଭବତଃ ବାଂଲାଦେଶଠାରୁ ପରାଜିତ ହୋଇଥିଲେ। ହେଲେ ସେବେଠାରୁ ସେମାନେ ନିଜ ଖେଳରେ ଅନେକ ଉନ୍ନତି ଆଣିଛନ୍ତି। ଦଳଗତ ଭାବେ ସେମାନଙ୍କ ଶକ୍ତି ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ‌ସେମାନଙ୍କ ପାଖରେ ଭଲ ପ୍ରାରମ୍ଭିକ ଯୋଡ଼ି ରହିଛି। ‌ମଧ୍ୟକ୍ରମ ମଧ୍ୟ କିଛି କମ୍ ନୁହେଁ। ତା’ ଛଡ଼ା‌ ଇଂଲଣ୍ଡ ଦଳରେ କିଛି ଭଲ ଅଲ୍‌ରାଉଣ୍ଡର ମଧ୍ୟ ଅଛନ୍ତି। ଘରୋଇ ପରିବେଶରେ ସେମାନେ ଯେ କୌଣସି ପ୍ରତିପକ୍ଷ ପାଇଁ ନିଶ୍ଚିତ ଭାବେ ଘାତକ ସାବ୍ୟସ୍ତ ହେବେ। ଅବଶ୍ୟ ବିଶ୍ବକପ୍ ଦାବିଦାରି ତାଲିକାରେ ଇଂଲଣ୍ଡ ପଛକୁ ଭାରତ ରହିବ। ଇଂଲଣ୍ଡରେ ଭାରତ ଲଗାତାର ଦୁଇ ବର୍ଷ (୨୦୧୭ ଏବଂ ୨୦୧୮) କ୍ରିକେଟ୍ ଖେଳିଛି। ଏଣୁ ବିଶ୍ବକପ୍ ଦଳରେ ସ୍ଥାନ ପାଇବାକୁ ଥିବା ଖେଳାଳିଙ୍କର ଇଂଲଣ୍ଡ ପରିବେଶରେ ଖେଳିବାର ଭଲ ଅଭିଜ୍ଞତା ରହିଛି। ମୁଁ ଭାବୁଛି, ଇଂଲଣ୍ଡ ଏକ ନମ୍ବର ଦାବିଦାର ହେଲେ ଭାରତ ଦୁଇ ନମ୍ବରରେ ରହିବ।

ସମ୍ବନ୍ଧିତ ଖବର