ମୁମ୍ବାଇ: ଭାରତର ପୂର୍ବତନ ଷ୍ଟାର କ୍ରିକେଟର ସୁନୀଲ ଗାଭାସ୍କରଙ୍କ ପିଲାଦିନର ବନ୍ଧୁ ତଥା ମୁମ୍ବାଇର କିମ୍ବଦନ୍ତୀ ଖେଳାଳି ମିଲିନ୍ଦ ରେଗେଙ୍କର ୭୬ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି। ମୁମ୍ବାଇ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏବଂ ଚୟନକର୍ତ୍ତା ମିଲିନ୍ଦ ରେଗେ ଘରୋଇ କ୍ରିକେଟରେ ଜଣେ ଅତ୍ୟନ୍ତ ସମ୍ମାନିତ ବ୍ୟକ୍ତି ଥିଲେ। ଗତ ରବିବାର ମିଲିନ୍ଦ ରେଗେ ୭୬ ବର୍ଷ ବୟସରେ ପଦାର୍ପଣ କରିଥିଲେ। ହୃଦଘାତ ହେବା ପରେ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ଆଜି ସକାଳ ପ୍ରାୟ ୬ଟାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଅଛନ୍ତି।
ସୂଚନା ମୁତାବକ, ମିଲିନ୍ଦ ରେଗେଙ୍କୁ ୨୬ ବର୍ଷ ବୟସରେ ପ୍ରଥମ ଥର ପାଇଁ ହୃଦଘାତ ହୋଇଥିଲା, କିନ୍ତୁ ସେ କ୍ରିକେଟ୍ କ୍ଷେତ୍ରକୁ ଫେରିଥିଲେ ଏବଂ ରଣଜୀ ଟ୍ରଫିରେ ମୁମ୍ବାଇର ଅଧିନାୟକତ୍ୱ ମଧ୍ୟ କରିଥିଲେ। ସେ ୧୯୬୬-୬୭ ଏବଂ ୧୯୭୭-୭୮ ମଧ୍ୟରେ ୫୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ ଏବଂ ତାଙ୍କର ଡାହାଣହାତୀ ଅଫ୍-ବ୍ରେକ୍ ବୋଲିଂରେ ୧୨୬ଟି ୱିକେଟ ନେଇଥିଲେ।
ମିଲିନ୍ଦ ରେଗେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ପିଲାଦିନର ବନ୍ଧୁ। ରେଗେ, ଗାଭାସ୍କରଙ୍କ ସହ ସମାନ ସ୍କୁଲ ଏବଂ କଲେଜରେ ପାଠପଢ଼ିଥିଲେ ଓ ତାଙ୍କ ସହିତ ଦାଦର ୟୁନିଅନ ସ୍ପୋର୍ଟିଂ କ୍ଲବରେ ମଧ୍ୟ ଖେଳିଥିଲେ। ମୁମ୍ବାଇ ଏବଂ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ ଥିବା ମିଲିନ୍ଦ ରେଗେ ତାଙ୍କ କ୍ୟାରିୟର ସମୟରେ ଅନେକ ଭୂମିକା ଗ୍ରହଣ କରିଥିଲେ ଏବଂ ଜଣେ କ୍ରିକେଟ ପରାମର୍ଶଦାତା ଭାବରେ ମୁମ୍ବାଇ କ୍ରିକେଟ ଆସୋସିଏସନ ସହିତ ମଧ୍ୟ ଜଡିତ ଥିଲେ।